ଅତଲସରାରେ ଖୁବଶୀଘ୍ର ହେବ ଇକୋ ଟୁରିଜିମ୍ : ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଙ୍କ ସହିତ ଷ୍ଟେଟ ଟୁରିଜିମ୍ ଟିମଙ୍କ କ୍ଷେତ୍ର ପରିଦର୍ଶନ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବନ୍ୟପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ଅତଲସରା ଶିଶୁ ବଗିଚାରେ ଇକୋ ଟୁରିଜିମ୍ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ନେଇ ସୂଚନା ମିଳିଛି । ଏନେଇ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିବା ଅନୁମାନ କରାଯାଉଛି । ଉକ୍ତ ପ୍ରକଳ୍ପଟି ପୂର୍ବ ବିଜେଡି ସରକାର ଅମଳରେ ପୂର୍ବତନ ବିଧାୟକ କେବଳ ନିର୍ବାଚନ ବୈତରଣୀ ପାର ହେବାପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିବା ନେଇ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବର୍ତ୍ତମାନ ନୂତନ ବିଜେପି ସରକାର ଆସିବା ପରେ ଗତକାଲି ବନ୍ୟପ୍ରାଣୀ ବନାଞ୍ଚଳ ଉତ୍ତରାଞ୍ଚଳ ଆର୍‌ସିସିଏଫ୍‌ ସୁଧାଂଶୁ ଶେଖର ଖୁରା, ନୟାଗଡ଼ ଡିଏଫ୍‌ଓ -ଫାଲ୍ଗୁନୀ ସାରଥୀ ମଲ୍ଲିକ, ଏସିଏଫ୍‌- ଦେବୀ ପ୍ରସାଦ ରାଉତ ଓ ଡ଼ା. ସୁଦୀପ୍ତ ମହାପାତ୍ରଙ୍କ ସମେତ ଷ୍ଟେଟ ଟୁରିଜିମ୍‌ ଟିମ୍‌, କୁଶଙ୍ଗ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ, ବନପାଳ ପ୍ରଶାନ୍ତ ଗୁରୁ, ଶ୍ରୀନିବାସ କହଁରଙ୍କ ଉପସ୍ଥିତରେ ଶିଶୁ ବଗିଚା ପରିଦର୍ଶନ କରିଥିଲେ । ଯଥାଶୀଘ୍ର ଏହି ଇକୋ ଟୁରିଜିମ୍ କାର୍ଯ୍ୟ ଆରମ୍ଭ ହେବା ସହିତ କୁମାରୀ ବିଟ ନିକଟରେ ୨ ଏକର ବିଶିଷ୍ଟ ଜାଗାରେ ଲୋକଙ୍କ ଯାନ ବାହାନ ପାର୍କିଙ୍ଗ ପାଇଁ ଜାଗା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏହି ପ୍ରକଳ୍ପ କାର୍ଯ୍ୟ ଖୁବ ଶୀଘ୍ର କାର୍ଯ୍ୟକାରୀ ହେଲେ ଅଞ୍ଚଳବାସୀ ଓ ପର୍ଯ୍ୟଟକ ମାନେ ମନ ଭରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.