ମନ କୀ ବାତରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ
- ବନାଗ୍ନି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀକୁ ମଧ୍ୟ କଲେ ପ୍ରଶଂସା
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ କରିଛନ୍ତି । ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଦେଶର ଉଲ୍ଲେଖନୀୟ ଉପଲବ୍ଧି ଏବଂ ସମୃଦ୍ଧ ଲୋକ ପରମ୍ପରା ବିଷୟରେ ଆଲୋଚନା ବେଳେ ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ବିଷୟରେ ଉଲ୍ଲେଖ କରିଛନ୍ତି । ଦେଶର ସ୍ୱଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ ଏବଂ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାନ୍ତାଳି ଶାଢ଼ି ବୁଣୁଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳି ଶାଢ଼ୀର ପୁନରୁଦ୍ଧାର କରି ପାରିଛନ୍ତି । ବର୍ତ୍ତମାନ ଏହି ମହିଳାମାନେ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ମନ କୀ ବାତ କାର୍ଯ୍ୟକ୍ରମରେ ବିଶ୍ୱ ପାଇଁ ଚିନ୍ତାଜନକ ସମସ୍ୟା ପାଲଟିଥିବା ବନାଗ୍ନି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ କରୁଥିବା କେନ୍ଦୁଝରର କୀର୍ତ୍ତନ ମଣ୍ଡଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଦେଶର ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳିଥାଏ । ଏହାର ଅଂଶ ହେଉଛି ଆମର ଭଜନ ଓ କୀର୍ତ୍ତନ । କିନ୍ତୁ ବନାଗ୍ନି ସମ୍ପର୍କରେ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା କଥା ଆପଣମାନେ କେବେ ଶୁଣିଛନ୍ତି କି ? ବୋଧହୁଏ, ଆପଣମାନେ ଏକଥାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି । ଏଠାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଗୋଟିଏ ଦଳ ଅଛି । ଏହି ଦଳ ଆଜି ଭକ୍ତି ସହିତ ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପୁଛି । ପ୍ରମିଳା ପ୍ରଧାନ ଏହି ପ୍ରୟାସ ଲାଗି ପ୍ରେରଣା ସାଜିଛନ୍ତି । ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସେ ପାରମ୍ପରିକ ଗୀତରେ ନୂଆ ଶବ୍ଦ, ନୂଆ ବାର୍ତ୍ତା ଯୋଡ଼ିଛନ୍ତି । ତାଙ୍କ ଦଳ ଗାଁ ଗାଁ ବୁଲି ଜଙ୍ଗଲରେ ଲାଗୁଥିବା ନିଆଁରୁ କେତେ କ୍ଷତି ହୁଏ, ତାହା ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି । ଦେଶର ଲୋକ ପରମ୍ପରାଗୁଡ଼ିକ ଆଦୌ ପୁରୁଣାକାଳିଆ ନୁହେଁ, ଏଥିରେ ଆଜି ବି ସମାଜକୁ ଦିଗଦର୍ଶନ ଦେବାର ଶକ୍ତି ରହିଛି ବୋଲି ଏହି ଉଦାହରଣରୁ ପ୍ରମାଣିତ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।