ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତବିଭାଗୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚରେ ସୁରକ୍ଷା ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଡେୟର ଡେଭିଲ୍ସ ଲେଡିଜ ଦଳ ଜିନ୍ଦଲ ମହିଳା ସମିତି (ଜେଏମଏସ) କୁ ୯ ୱିକେଟରେ ପରାସ୍ତ କରିଥିଲା । ଜେଏସପିର ଇସ୍ପାତ ବ୍ୟବସାୟର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଦୀନେଶ କୁମାର ସରୋଗୀ, ଏହି ଫାଇନାଲ ମ୍ୟାଚ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଚିତ୍ତାକର୍ଷକ ଫାଇନାଲ ମ୍ୟାଚଟିକୁ ଦେଖିବା ପାଇଁ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଜେଏସପିର କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ହୃଦେଶ୍ଵର ଝା, ଶ୍ରୀମତୀ ସୁଜତା ସରୋଗୀ, ଶ୍ରୀମତୀ ଅନୀତା ମିତ୍ତଲ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଟସ୍ ଜିତିବା ପରେ ଡେୟର ଡେଭିଲ୍ସ ଦଳ ଜିନ୍ଦଲ ମହିଳା ସମିତି ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲେ । ଫଳ ସ୍ୱରୂପ ଜେଏମଏସ ଦଳ ନିର୍ଧାରିତ ୧୦ ଓଭରରେ ୪ ୱିକେଟ ହରାଇ ମାତ୍ର ୩୮ ରନ୍ ସ୍କୋର କରିପାରିଥିଲା । ୩୯ ରନ୍ର ଟାର୍ଗେଟକୁ ହାସଲ କରିବା ପାଇଁ ଡେୟର ଡେଭିଲ୍ସ ୬.୩ ଓଭରରେ ମାତ୍ର ୧ ୱିକେଟ ହରାଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲେ । ୩ ଓଭରରେ ମାତ୍ର ୭ ରନ୍ ବିନିମୟରେ ୩ ୱିକେଟ୍ ହାସଲ କରିଥିବାରୁ ହରିପ୍ରିୟା ନାୟକଙ୍କୁ ପ୍ଲେୟାର ଅଡଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା ।