ଖୋର୍ଦ୍ଧା-ବଲାଙ୍ଗିର ରେଳପଥ : କଥା ବେଶୀ କାମ କମ୍‌, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର

  • ରାଜିନାମା ଅନୁ୍‌ଯାୟୀ ୫୦-୫୦ ଅର୍ଥ ପ୍ରଦାନ କରାଯାଇନାହିଁ – ହେମନ୍ତ ପଣ୍ଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳପଥ ସମଗ୍ର ଦେଶର ଏକ ବିଳମ୍ବିତ ପ୍ରକଳ୍ପ ଭାବେ ଜଣାଶୁଣା । ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କ ଦାବୀକୁ ସମ୍ମାନ ଦେଇ ଏହି ରେଳପଥର ନିର୍ମାଣ କାର୍ଯ୍ୟକୁ କ୍ଷୀପ୍ରତର କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ରେଳ ବିଭାଗ ଆଗେଇ ଆସି ୨୦୧୫ ମସିହାରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କୌଣସି ଏକ ରେଳପଥର ନିର୍ମାଣ ପାଇଁ କେନ୍ଦ୍ର ଓ ରେଳ ବିଭାଗର ଏଭଳି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦେଶରେ ପ୍ରଥମ ଘଟଣା ବୋଲି ପ୍ରଚାର କରାଯାଇଥିଲା । ବୁଝାମଣାପତ୍ର ଅନୁଯାୟୀ ୨୦୨୧ ମସିହା ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା କଥା । କିନ୍ତୁ ରେଳପଥ ନିର୍ମାଣ କାର୍ଯ୍ୟରେ ବିଶେଷ ଅଗ୍ରଗତି ହୋଇନାହିଁ ଏବଂ ବର୍ତ୍ତମାନ ମଧ୍ୟ ଉପେକ୍ଷାର ଅନ୍ତ ହୋଇନାହିଁ ବୋଲି ଆଜି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପୂର୍ବତଟ ରେଳ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଓଡିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଦେଶର ରେଳ ମନ୍ତ୍ରୀ ଦାୟିତ୍ୱ ନେବା ପରେ ରେଳ ବିକାଶ କ୍ଷେତ୍ରରେ ଓଡିଶାର ଭାଗ୍ୟୋଦୟ ହେଲା ବୋଲି ରାଜ୍ୟବାସୀ ଆଶା କରିଥିଲେ । ହେଲେ ରାଜ୍ୟ ରାଜଧାନୀରୁ ଏହି ରେଳପଥ ଦ୍ୱାରା ସଂଯୋଗ ହେବାକୁଥିବା ଅଞ୍ଚଳର ଲୋକଙ୍କ ଭାଗ୍ୟ ଏବେବି ବଦଳି ନାହିଁ ବୋଲି ପଣ୍ଡା କହିବା ସଙ୍ଗେ ଓଡିଶା ପ୍ରତି ରେଳ ବିଭାଗର ଉପେକ୍ଷାମୂଳକ ମାନସିକତା ଆଜିବି ବଳବତ୍ତର ରହିଛି ବୋଲି କହିଛନ୍ତି । ବୁଝାମଣାପତ୍ର ଅନୁସାରେ ରାଜ୍ୟ ଓ କେନ୍ଦ୍ର ୫୦-୫୦ ଭାଗ ଅର୍ଥ ଖର୍ଚ୍ଚ କରିବା ସହ ରାଜ୍ୟ ମାଗଣାରେ ଜମି ହସ୍ତାନ୍ତର କରିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ୨୦୧୫ ମସିହା ରାଜିନାମା ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ୫୦-୫୦ ଭାଗ ଅର୍ଥ ଅଂଶ ଖର୍ଚ୍ଚ କରିନଥିବା ଶ୍ରୀ ପଣ୍ଡା କହିଛନ୍ତି । ୨୦୧୫-୧୬ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୬ ବର୍ଷରେ ତଥା କେନ୍ଦ୍ର-ରାଜ୍ୟ ରାଜିନାମା ସମୟସୀମା ମଧ୍ୟରେ ରେଳ ବିଭାଗ ସମୁଦାୟ ୧୦୯୦କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟ ପ୍ରଦାନ କରିଛି ମାତ୍ର ୪୮୩ କୋଟି ଟଙ୍କା । ରାଜ୍ୟ ୧୮-୧୯ ଓ ୧୯-୨୦ ମସିହାରେ ଆଦୌ ଅର୍ଥ ପ୍ରଦାନ କରିନଥିବା ଜଣାଯାଇଛି । ଏଠାରେ ଉଲ୍ଲଖେଯୋଗ୍ୟ ଯେ, ଗତ ୨୦୨୧ ବର୍ଷ ବଜେଟରେ ଏହି ରେଳପଥ ପାଇଁ ୧ ହଜାର ୫୦ କୋଟି ଟଙ୍କା ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ନିର୍ଦ୍ଦିଷ୍ଟ ରେଳପଥ ପାଇଁ ବିଗତ ୧୦ ବର୍ଷର କେବଳ ବଜେଟ ଘୋଷଣାକୁ ଅନୁଧ୍ୟାନ କଲେ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ଘୋଷଣା କରାଯାଇଥିବା ବେଳେ ବାସ୍ତବରେ କିନ୍ତୁ ଖର୍ଚ୍ଚ କରାଯାଇଛି ମାତ୍ର ୧ ହଜାର ୩ଶହ ୪୪ କୋଟି ଟଙ୍କା । ଏହି ନିର୍ମାଣାଧୀନ ରେଳପଥ ପାଇଁ ରେଳ ବିଭାଗର ଅବହେଳା ସମସ୍ତଙ୍କୁ ଜଣା ଥିଲା । କିନ୍ତୁ ୨୦୧୫ ମସିହା ରାଜିନାମାକୁ ଦେଖିଲେ ରାଜ୍ୟର ଅବହେଳା ମଧ୍ୟ କିଛି କମ୍‌ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଛୁପାଲି ଠାରୁ ଝାର୍‌ତରଭା ଷ୍ଟେସନ ମାତ୍ର ୧୦.୩୫ କିମି ଦୂରତା ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ରେଳ ଗଡିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ହେବା ଉପରେ କିନ୍ତୁ ଏହି ସ୍ୱଳ୍ପ ଦୂରତାକୁ ଧାର୍ଯ୍ୟ ସମୟ ମଧ୍ୟରେ ରେଳ ଚଳାଚଳ ସମ୍ପ୍ରସାରଣ ହେବା ଆଶା ଅତ୍ୟନ୍ତ କ୍ଷୀଣ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତଥା ୨୦୧୯ ମସିହା ଜାନୁଆରୀ ୧୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର -ବିଛୁପାଲି ଟ୍ରେନର ଲୋକାର୍ପଣ କରି ରେଳପଥର ନିର୍ମାଣ କର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବର୍ତ୍ତମାନ ଏହି ରେଳପଥକୁ ସମ୍ପୂର୍ଣ କରିାବା ପାଇଁ ୨୦୨୪ ମସିହାକୁ ଧାର୍ଯ୍ୟ ସମୟ ଘୁଞ୍ଚାଇ ଦିଆଯାଇଛି, ହେଲେ ଦୀର୍ଘ ୬୮ କିମିର ପାଇଁ ଷ୍ଟେଜ-୧ ଜଙ୍ଗଲ ଜମି ଅନୁମତି ବର୍ତମାନ ପର୍ୟ୍ୟନ୍ତ ମିଳିନଥିବା ଜଣାଯାଇଛି । ୧୯୯୪-୯୫ ମସିହାରେ ମଂଜୁରୀପ୍ରାପ୍ତ ଏହି ନିର୍ମାଣାଧୀନ ପ୍ରକଳ୍ପ ପାଇଁ ୨୭ ବର୍ଷ ପରେ ବି ଜଙ୍ଗଲ ଜମି ଷ୍ଟେଜ-୧ ଅନୁମତି ମିଳି ନଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ ନେଇ କଥା ବେଶୀ ଓ କାମ କମକୁ ଇଙ୍ଗିତ କରୁଛି ବୋଲି ସୂଚନା ଆଇନ ଦ୍ୱାରା ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ଜଣା ପଡୁଥିବା ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.