ପାଣି ପାଇଁ ଡହକ ବିକଳ ଚାଉଲସୁଖା ଓ ଧୁମସୁ ଗ୍ରାମବାସୀ : ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ପାଣି ସର୍ବ ସାଧାରଣଙ୍କ ବ୍ୟବହାରେ ଆସୁନାହିଁ

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଚାଉଲସୁଖା ପଂଚାୟତ ସଦର ଗ୍ରାମରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମରେ ପାଣିର ଅଭାବ ଯୋଗୁଁ ଗ୍ରାମର ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମବାସୀ ସରପଂଚଙ୍କ ଜରିଆରେ ବି.ଡି.ଓ. ତୁରେକେଲାଙ୍କୁ ଗତ ୧୩/୪/୨୦୨୧ ଦିନ ଲିଖିତ ଜଣାଇଛନ୍ତି । କିନ୍ତୁ ଅଭିଯୋଗ ହେବାର ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଗ୍ରାମବାସୀ ପାଣି ପାଇଁ ହାହାକାର ହେଉଛନ୍ତି । ଦେଇଥିବା ଅଭିଯୋଗ ଅନୁସାରେ ବସୁଧା ଯୋଜନାରେ ସମସ୍ତଙ୍କୁ ପାଣି ଯୋଜନା ଫେଲ ମାରିଛି ଚାଉଲସୁଖା ଗାଁରେ । ଗାଁରେ ପାଣି ଯୋଗାଇବା ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟରେ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭର ହେଡ୍‌ ପାଣି ଟାଙ୍କି ପ୍ରକଳ୍ପ ନିର୍ମାଣ ହୋଇ ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ଏହି ଓଭର ହେଡ ପାଣି ଟାଙ୍କିର ପାଣି କେବଳ ମାଝିପଡାକୁ ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ବସ୍ତି ବାସିନ୍ଧାକୁ ଦିଆଯାଉ ନାହିଁ । ପଂଚାୟତ ସଦର ମହକୁମା ଗାଁର ୬ଟି ୱାର୍ଡରେ ୨୦୦୦ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି । କେବଳ ମାଝିପଡା ବସ୍ତିର ୨୦ଟି ପରିବାର ବ୍ୟତୀତ ଅନ୍ୟ ଶତାଧିକ ପରିବାର ପାଣିରୁ ବଂଚିତ ହେଉଛନ୍ତି । ଗାଁରେ ୬ଟି ନଳକୂପ ରହିଛି କିନ୍ତୁ ଗ୍ରୀଷ୍ମ ଦିନରେ ସମସ୍ତ ୬ଗୋଟି ନଳକୂପର ପାଣି ଶୁଖି ଯାଉଥିବାରୁ ଅଚଳ ହୋଇ ପଡିଛି । ଯଥା ଶୀଘ୍ର ଗ୍ରାମବାସୀଙ୍କୁ ପାଣି ଯୋଗାଇବା ପାଇଁ ଗାଁର ୱାର୍ଡ ସଭ୍ୟ ବାଳକୃଷ୍ଣ ମେହେର, ପୁଷ୍ପାଞ୍ଜଳି ମେହେର, ଚନ୍ଦ୍ରକାନ୍ତି ପୁଟେଲ, ନେହେରୁ କ୍ଲବର ସଭାପତି ଆଦିତ୍ୟ ମେହେରଙ୍କ ସହ ଗ୍ରାମର ଶତାଧିକ ଗ୍ରାମବାସୀ ଲିଖିତ ଜଣାଇଛନ୍ତି । ସେହିପରି ପଂଚାୟତର ଧୁମସ୍‌ୁ ଗ୍ରାମରେ ମଧ୍ୟ ପାଣିର ସମସ୍ୟା ଯୋଗୁଁ ଗ୍ରାମବାସୀ ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗାଁରେ କେବଳ ୪ଟି ନଳ କୂପ ରହିଛି ଯାହା ଗ୍ରୀଷ୍ମ ଋତୁ ଆରମ୍ଭ ହେବାର ଅପ୍ରିଲ ମାସ ପହିଳାରୁ ସମସ୍ତ ୪ଟି ନଳକୂପର ପାଣି ଶୁଖି ଯିବାରୁ ଧମୁସୁ ଗ୍ରାମବାସୀ ମଧ୍ୟ ପାଣିର ହାହାକାର ନେଇ ସରପଂଚ ଚାଉଲସୁଖା ଓ ବିଡିଓ ତୁରେକେଲାଙ୍କୁ ଲିଖିତ ଜଣାଇଛନ୍ତି । ଚାଉଲସୁଖା ଓ ଧୁମସୁ ଗାଁର ପାଣି ସମସ୍ୟା ଉପରେ ସରପଂଚ ସୁଶିଲା ବାଗଙ୍କୁ ପଚାରିବାରୁ କହନ୍ତି ବସୁଧା ଯୋଜନାରେ ଚାଉଲସୁଖାରେ ନିର୍ମିତ ହୋଇଥିବା ପ୍ରକଳ୍ପର କୂଅ ଖରାଦିନେ ଶୁଖିଯାଏ ଯଦ୍ୱାରା ପାଣିର ସମସ୍ୟା ହୋଇଥାଏ ଏପରିକି କି ଗାଁର ନଳକୂପ ମଧ୍ୟ ଖରାଫ ହୋଇଥିବାରୁ ଏହି ବାବଦରେ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ତୁରେକେଲାଙ୍କୁ ଜଣାଇଛୁ କିନ୍ତୁ ୮ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ନଳକୂପ ମରମାତି କରିନାହାନ୍ତି । କିମ୍ବା ଟେଙ୍କର ଯୋଗେ ପାଣି ସପ୍ଲାଏ କରୁ ନାହାନ୍ତି । ସେହିପରି ଧୁମସୁ ଗାଁରେ ମଧ୍ୟ ସେହି ଅବସ୍ଥା । ଗାଁରେ ଥିବା ୪ଟି ନଳକୂପ ଉପରେ ଭରସା କରି ରହୁଥିବା ଗ୍ରାମବାସୀ ନଳକୂପ ଅଚଳ ହେବାରୁ ପାଣି ପାଇଁ ଅସୁବିଧା ହେଉଛନ୍ତି । ଏଥିପ୍ରତି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଆସନ୍ତା ଦିନରେ ବିଡିଓ ଓ କଂଟାବାଂଜି ଗ୍ରାମ୍ୟ ଜଳ ଯୋଗାଣ ସବ୍‌ ଡିଭିଜନ କାର୍ଯ୍ୟାଳୟକୁ ଘେରାଉ କରିବା ପାଇଁ ବାଧ୍ୟ ହେବୁ ବୋଲି କହିଛନ୍ତି । ଚାଉଲସୁଖା ଓ ଧୁମସୁ ଗାଁର ପାଣି ସମସ୍ୟାର ଲିଖିତ ଅଭିଯୋଗ ଉପରେ ବ୍ଲକସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ପଣ୍ଡା ବାବୁଙ୍କୁ ମଂଗଲବାର ଦିନ ତାଙ୍କ କାର୍ଯ୍ୟାଳୟରେ ଯାଇ ବୂଝିବା ମଧ୍ୟରେ ଅନୁପସ୍ଥିତ ଥିବାରୁ ତାଙ୍କ ଫୋନ ନଂ.୮୨୮୦୪୦୮୬୧୪ ରେ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲା କିନ୍ତୁ ତାଙ୍କ ଫୋନ ନଂବର ସ୍ୱିଚ ଅଫ୍‌ ଥିବାରୁ କୌଣସି ମତାମତ ମିଳି ପାରି ନାହିଁ ।

Leave A Reply

Your email address will not be published.