କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜିର ସର୍ବ ପୁରାତନ ରେଲବାଇ ପମ୍ପୁ ତଲାବର ପୁନଃରୁଦ୍ଧାର କାର୍ଯ୍ୟରେ ଦୁର୍ନିତି ଅଭିଯୋଗ ଆଣିବା ସହ ଭିଜିଲାନ୍ସ ତଦନ୍ତ ଦାବୀରେ ସୁରଥ ବେହେରା ବୁଧବାର ଦିନ ଇଂଦିରା ଛକ ନିଜଟରେ ଦିନିକିଆ ଧାରଣାରେ ବସିଥିଲେ । ଦାବୀପତ୍ରରେ ଉଲ୍ଲେଖ ମୁତାବକ ସହରର ସର୍ବ ପୁରାତନ ରେଲବାଇ ପମ୍ପୁ ତଲାବର ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ବଲାଙ୍ଗିର ଦ୍ୱାରା ୨କୋଟି ୫୪ ଲକ୍ଷ ୯୨ ହଜାର ୯୧୨ ଟଙ୍କା ଅନୁଦାନ ମିଳିଥିଲା । ଉକ୍ତ ପମ୍ପୁ ତଲାବ ଗତ ୧୬.୩.୨୦୧୭ ମସିହାରେ ଆରମ୍ଭ ହୋଇ ୧୫.୨.୨୦୧୮ ମସିହାରେ କାର୍ଯ୍ୟ ଶେଷ ହୋଇଥିଲା । କାର୍ଯ୍ୟ ଆରମ୍ଭ ଦିନ ଠାରୁ ସଂପୂର୍ଣ୍ଣ ଦିନ ମଧ୍ୟରେ କୌଣସି ଆଖି ଦୃଷିଆ କାର୍ଯ୍ୟ ହୋଇ ନଥିବା ଅଭିଯୋଗ କରିଛନ୍ତି ଶ୍ରୀ ବେହେରା । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ପମ୍ପୁ ତଲାବର ପୁନଃରୁଦ୍ଧାର କରିବା ଦାବୀରେ ଏହି ଧାରଣା ଦିଆଯାଇଛି । ଏହି ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ ରସିଆ ନନ୍ଦ ରାଏ, ନରେନ୍ଦ୍ର ସୁନା, ସୁବାଷ ଷଡଙ୍ଗି, ଅମରଚନ୍ଦ ଶର୍ମା ସହ ଅନ୍ୟମାନେ ସାମିଲ ଥିଲେ ।