ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୪୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସଭାପତି ସେହି ମହାନ ଜନନାୟକଙ୍କ ସ୍ମୃତିଚାରଣ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଡ. ନଗେନ କୁମାର ଦାସ ନୀଳକଣ୍ଠଙ୍କ ଜୀବନୀ ଓ ବ୍ୟକ୍ତିତ୍ଵ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଓଡ଼ିଆ ଅସ୍ମିତା ପ୍ରତିଷ୍ଠା, ବିଜ୍ଞାନ ଭିତ୍ତିକ ଓଡ଼ିଆ ବ୍ୟାକରଣ ରଚନା, ଲିପି ସଂସ୍କାର ତଥା ସମାଜ ସଂସ୍କାରରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ବରେଣ୍ୟ ବକ୍ତା ଭାବେ ଯୋଗଦେଇ ଡ. ବିଭୂତି ଭୂଷଣ ପଣ୍ଡା ନୀଳକଣ୍ଠଙ୍କ ସାହିତ୍ୟ ସର୍ଜନା ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ଡ. ପ୍ରଭାତ କୁମାର ମଲ୍ଲିକ ନୀଳକଣ୍ଠଙ୍କୁ ବହୁ ଆୟାମ ବିଶିଷ୍ଟ ବ୍ୟକ୍ତି ଭାବେ ବର୍ଣ୍ଣନା କରିବା ସହ ଜଣେ ବିଦ୍ୱାନ-ଦାର୍ଶନିକ ତଥା ବିଶିଷ୍ଟ ବ୍ୟବସ୍ଥାପକ ଭାବେ ତାଙ୍କର କୃତିତ୍ୱକୁ ଆକଳନ କରିଥିଲେ । ଓଡ଼ିଶାର ସାରସ୍ଵତ ଜଗତ ତାଙ୍କୁ ଉତ୍କଳ ପୁରୁଷ ଭାବେ ମାନ୍ୟତା ଦେବା ସହ ତାଙ୍କର ଅମର କୀର୍ତ୍ତି କୋଣାର୍କ କାବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟ ଶେଷରେ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ପରିଚାଳନାରେ, କବି ତ୍ରିନାଥ ସିଂଙ୍କ ସଭାପତିତ୍ୱ ଏବଂ ସ୍ମିତା ମିଶ୍ର ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଜୟ କୁମାର ମହାନ୍ତି, ଅର୍ଚ୍ଚନା ପାତ୍ର, ଉପେନ୍ଦ୍ର କୁମାର ବସ୍ତିଆ, ତ୍ରିଲୋଚନ ସ୍ୱାଇଁ, ସଂଜୀବ ଭୋଇ, କାଶୀନାଥ ନନ୍ଦୀ, ଗୀତାରାଣୀ ବେହେରା, ପ୍ରତାପ କୁମାର ପଣ୍ଡା, ଇଂ ଅଶୋକ କୁମାର ପଟ୍ଟନାୟକ, ବିଜୟିନୀ ଜେନା, ତ୍ରିନାଥ ସିଂ, ସ୍ମିତା ମିଶ୍ର, ରଶ୍ମି ସାହୁ ପ୍ରମୁଖ ସହରର କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାଶ, ଅର୍ଜୁନ ଭୂୟାଁ, ବିପିନ ବିହାରୀ ପଟ୍ଟନାୟକ, ଧରଣିଧର ସାମଲ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ସହାୟତା କରିଥିଲେ । ଏହି ସଭାରେ ସହରର ବହୁ ସାହିତ୍ୟ – ସଂସ୍କୃତି ପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.