କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ ଘଟଣାରେ ନିଜ ଆଡ଼ୁ ମାମଲା କଲେ ଓଏଚ୍ଆର୍ସି, ଡିଜିଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ
କଟକ : କିଶନନଗର ଥାନା ସାମ୍ନାରେ ନ୍ୟାୟ ପାଇଁ ଜଣେ ବ୍ୟକ୍ତି ଆତ୍ମାହୁତି ଦେବା ଘଟଣାରେ ରାଜ୍ୟ ମାନବାଧିକାର କମିସନ (ଓଏଚ୍ଆରସି) ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ପୁଲିସ୍ ଡିଜି ମାମଲାର ତଦନ୍ତ କରି ପରବର୍ତ୍ତୀ ଶୁଣାଣି ସୁଦ୍ଧା ରିପୋର୍ଟ ଦାଖଲ ଲାଗି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁଲାଇ ୨୫ରେ ପରବର୍ତ୍ତୀ ଶୁଣାଣି ହେବ ।
ସୂଚନା ଯୋଗ୍ୟ ଯେ, କିଶନନଗର ଥାନା ଅନ୍ତର୍ଗତ ଇଶାଣି ବ୍ରହ୍ମପୁର ପଞ୍ଚାୟତ ସାଇଁପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ(୫୫) ଗତକାଲି ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ମାନବାଧିକାର୍ କମିସନ୍ ଏହାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।
ଅନ୍ୟପକ୍ଷରେ ଘଟଣାକୁ ନେଇ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଜାତୀୟ ମାନବାଧିକାର କମିସନ୍ରେ ମଧ୍ୟ ମାମଲା ଦାଏର କରିଛନ୍ତି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ନାୟକ ପ୍ରାର୍ଥନା କରିଛନ୍ତି ।