ଓଡ଼ିଶା ଗୃହ ନିର୍ମାଣ ସଂସ୍ଥାକୁ ରାଉରକେଲାରେ କାର୍ଯ୍ୟକ୍ଷମ କରାଯାଉ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଉଚ୍ଚ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଓଡିଶା ଗୃହ ନିର୍ମାଣ ସଂସ୍ଥାର ରାଉରକେଲା ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ବନ୍ଦ ହେବାକୁ ଯାଉଛି । ୧୯୭୫ ମସିହାରେ ଆରମ୍ଭ ହୋଇଥିବା ଅଫିସ ରାଉରକେଲା ସ୍ଥିତ ବାସନ୍ତି କଲୋନୀରେ ୨୩୭୬, ଛେଣ୍ଡ ଫେଜ୍‌ ୧ରେ ୧୦୩୫, ଛେଣ୍ଡ ଫେଜ ୨ରେ ୮୩୨, ଛେଣ୍ଡ ଫେଜ ୩ରେ ୯୭୨ ଟି ବାସଗୃହ ଜନସାଧାରଣଙ୍କ ପାଇଁ ନିର୍ମାଣ କରାଯାଇ ବଣ୍ଟନ କରାଯାଇଥିଲା । ଏହିସବୁ ଗୃହ ୩୧୦ ଏକର ଜମିରେ ନିର୍ମାଣ କରାଯାଇଥିଲା । ଏହି ଅଫିସ ଯୋଗୁଁ ହାଉସିଂ ବୋର୍ଡ଼ ତାର ଆର୍ଥିକ ସ୍ଥିତିକୁ ସୁଧାର ଆଣି ପାରିଥିଲା । କିନ୍ତୁ ଗତ ୩୫ ବର୍ଷ ହେବ ଏହି ଅଫିସରେ ଅଫିସର ଓ ତଳ କର୍ମଚାରୀମାନଙ୍କ ମରୁଡି ପଡ଼ିଯାଇଥିବା ପରିଲକ୍ଷିତ ହେଉଛି । ଅଫିସରମାନଙ୍କୁ ୬ମାସ ପାଇଁ ଆଣି ପୁନ୍ନର୍ବାର ଭୁବନେଶ୍ୱର ଅଫିସକୁ ଫେରାଇ ନିଆଯାଉଛି । ସେହିପରି ଭୁବନେଶ୍ବର ପରେ ୧୯୭୫ମସିହାରେ ରାଉରକେଲା ରେ ହାଉସିଙ୍ଗ୍‌ ବୋର୍ଡ ଖୋଲିଲା । ସେତେବେଳେ ଏହା ଡ଼ିଭିଜନ ଅଫିସ ଥିଲା । ଯେଉଁଟାକି ଆଜିକା ଦିନରେ ମୁଖ୍ୟଯନ୍ତ୍ରୀ ଏଠି ଅଧ୍ୟକ୍ଷ ହେବା କଥା କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏଠି ଯେଉଁ ପିଅନଙ୍କ ସହ ୮ଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ଇଂଜିନିୟର ଏଠାକାର କଥା ବୁଝାବୁଝି କରୁଛନ୍ତି । ଅଥଚ ଭୁବନେଶ୍ୱରରେ ୪୦୦ପାଖାପାଖି କର୍ମଚାରୀ ଥିବା ବେଳେ ଏଠାରେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କ ପାଇଁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ୨ଗୋଟି ବହୁତଳ ଅଟ୍ଟାଳିକା ତିଆରି ହେବାର ସମସ୍ତ ଆନୁସାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହା ଆରମ୍ଭ ହୋଇପାରୁନାହିଁ । ରାଉରକେଲାରେ ବାସଗୃହର ପ୍ରଚୁର ଚାହିଦା ଥିଲା ବେଳେ ଖାଲି ଜାଗାରେ ପ୍ରକଳ୍ପ ନ କରିବା ରାଉରକେଲା ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସତେ ଯେମିତି ରାଉରକେଲା ଓଡିଶା ଭିତରେ ନାହିଁ । ରାଉରକେଲା ଓଡ଼ିଶା ଭିତରେ ଆସୁଛି । ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସ୍ଥାନ ହୋଇଥିଲା ବେଳେ ଏହାର ବିକାଶ ସାମଗ୍ରିକ ବିକାଶ ବୋଲି ଧରାଯିବ । ଏ ସମ୍ବନ୍ଧରେ ଓଡ଼ିଶା ଷ୍ଟେଟ୍‌ ହାଉସିଙ୍ଗ୍ ବୋର୍ଡ ଲ୍ୟାଣ୍ଡ ଆଣ୍ଡ ହାଉସ ଓନର ଆସୋସିଏସନ୍ ର ସଭାପତି ତଥା ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଏସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଅବଗତ କରାଇଥିବା ଜଣାପଡିଛି । ଏନେଇ ଶ୍ରୀ ବିଶି ୨ଥର ହାଉସିଙ୍ଗ୍‌ ବୋର୍ଡର ଅଧ୍ୟକ୍ଷ ଓ ମହାପ୍ରବନ୍ଧକଙ୍କ ସହିତ ବାରମ୍ବାର ସାକ୍ଷାତ ପରେ ମଧ୍ୟ କୌଣସି ଅଗ୍ରଗତି ହୋଇପାରୁ ନାହିଁ ବୋଲି କହିଛନ୍ତି । ଫଳଶୂନ ହେଉଥିବାରୁ ସେ ଏନେଇ ଏହି ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ ରାଉରକେଲାର ଗୃହ ମାଲିକମାନେ ବିଭିନ୍ନ କାମ ପାଇଁ ଭୁବନେଶ୍ୱରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବାର ଅଭିଯୋଗ ମଧ୍ୟ ହେଉଛି ଓ ଭୁବେନେଶ୍ୱରଠାରେ କିରାଣୀମାନେ ଉତ୍କୋଚ ନ ନେଲେ କାମ କରୁନାହାନ୍ତି । ଛେଣ୍ଡ ଫେଜ ୨ ଓ ୩ର ଗୃହ ମାଲିକମାନଙ୍କ ଲିଜ୍‌ ଦଲିଲ ରାଉରକେଲାରେ ସମ୍ପୂର୍ଣ୍ଣ କରାଯାଇଥିଲେ ମଧ୍ୟ ଭୁବନେଶ୍ୱରଠାରେ ସଚିବଙ୍କର ଦସ୍ତଖତ କରାଇ ୩ମାସ ପରେ ଫେରସ୍ତ କରାଯାଇଥିଲା । ତାହା ପୁଣି ସମ୍ବାଦପତ୍ର ଗୁଡିକରେ ଏ ସମ୍ବନ୍ଧରେ ସମ୍ବାଦ ପ୍ରକାଶ ପାଇଲା ପରେ । ଏ ମଧ୍ୟରେ ୫୦୦ ରୁ ଉର୍ଦ୍ଧ୍ବ ଗୃହମାଲିକ ମାନେ ରାଉରକେଲା ଅଫିସ ମାଧ୍ୟମରେ ଲିଜ ଦଲିଲ କରିବାପାଇଁ ଆବେଦନ କରୁଥିଲେ ମଧ୍ୟ ଏ ପଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ ।ଏ ମଧ୍ୟରେ ଯେଉଁ ଲୋକ ମୋଟା ଟଙ୍କାର ଲାଞ୍ଚ ଦେଇପାରୁଛନ୍ତି ସେମାନଙ୍କୁ ଭୁବନେଶ୍ୱର ଡକାଇ ଲିଜ ଦଲିଲ ସମ୍ପାଦନା କରାଯାଉଛି ବୋଲି ବାରମ୍ବାର ଅଭିଯୋଗ ହସ୍ତଗତ ହେଉଅଛି । ଦଲିଲ ସମ୍ପାଦନ ସମୟରେ ସଚିବ ରାଉରକେଲାରେ ନ ରହିବାର କାରଣ ଗୃହ ମାଲିକମାନେ ଜାଣିପାରୁନାହାନ୍ତି । ତେଣୁ ସରକାରଙ୍କ ଦୃଷ୍ଟିଗୋଚର କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଉଛି ଓ ଯଥାଶୀଘ୍ର ସଚିବଙ୍କୁ ରାଉରକେଲା ପଠାଇ ଦଲିଲ ସମ୍ପାଦନ ପଦକ୍ଷେପ ନେବା ସହିତ ବାସନ୍ତୀ କଲୋନୀଠାରେ ପ୍ରସ୍ତାବିତ ବହୁତଳ ପ୍ରସାଦକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ରାଉରକେଲାବାସୀଙ୍କ ସହ ଶ୍ରୀବିଶି ଦାବି କରିଛନ୍ତି ।

Leave A Reply

Your email address will not be published.