ସାଲେପାଲି ଜରାନିବାସରେ ମାହେଶ୍ୱରୀ ସଂଗଠନ କୁଡ଼ାସିଂହା ଶାଖା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ନୂଆଁଖାଇ ପରେ ଗାଁ ଗାଁରେ ଆୟୋଜିତ ହେଉଛି ନୂଆଁଖାଇ ଭେଟ୍‌ଘାଟ୍‌ । କିଏ ସହର ଭିତରେ ପାଳୁଛି ତ ପୁଣି କିଏ ଗାଁ ଲୋକଙ୍କୁ ନେଇ ପାଳୁଛି । ହେଲେ ବଲାଙ୍ଗିର ଜିଲ୍ଲାର ସାଲେପାଲି ଠାରେ ଥିବା ବୃଦ୍ଧାଶ୍ରମରେ ସମାଜରୁ ଅଲୋଡ଼ା ହୋଇ ବଞ୍ଚୁଥିବା ଅସହାୟ ଲୋକଙ୍କୁ ନେଇ କୁଡ଼ାସିଂହାର ମାହେଶ୍ୱରୀ ସଂଗଠନ ପକ୍ଷରୁ ରବିବାର ଦିନ ପାଳିତ ହୋଇଯାଇଛି ନୂଆଁଖାଇ ଭେଟ୍‌ଘାଟ୍‌ । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅନ୍ତେବାସୀଙ୍କ ସହ ଅତିଥି ହୋଇ ଆସିଥିବା ବଲାଙ୍ଗିର ଡିଏସଏସଓ ସହ ଦେଓଗାଁ ବିଡ଼ିଓ ସମ୍ବଲପୁରୀ ଗୀତରେ ନୃତ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍‌କୁ ମାହେଶ୍ୱରୀ ସଂଗଠନର ଜିଲ୍ଲା ସଭାପତି ଅଙ୍କୁଶ ପାଣ୍ଡିଆ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ନବକିଶୋର ସାହୁ, ଦେଓଗାଁ ବିଡ଼ିଓ ଦାୟିତ୍ୱରେ ଥିବା ବଲାଙ୍ଗିର ଏବିଡ଼ିଓ ରାମଦତ୍ତ ଭୋଇ, ରସରାଜ କବି ଅଚ୍ୟୁତ ପୁରୋହିତ, ସଂଗଠନର ଉପଦେଷ୍ଟା ଦିନେଶ ଶର୍ମା, ଜେବିବିଏସଏନ ସାଲେପାଲିର ନିର୍ଦ୍ଦେଶକ କ୍ଷମାନିଧି ମେହେର, ଡ଼ା. ସୁଧାଂଶୁ ମେହେର, ପ୍ରହଲ୍ଲାଦ ପଧାନ, ବିନୋଦିନି ମେହେର ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ । ଡ଼ା. ଲଳିତ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମହିଳା ଶାଖାର ସୋନିଆ ବେଜ ଧନ୍ୟବାଦ ଅର୍ପଣ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମହିଳା ଶାଖାର ସଦସ୍ୟାମାନେ ସଂଯୋଜନା କରିଥିବା ବେଳେ ଶିବ ପ୍ରସାଦ ସାହୁଙ୍କ ଶିଶୁ ନିର୍ଦ୍ଦେଶନାରେ ସେବାଶ୍ରମ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।

jittmm
Leave A Reply

Your email address will not be published.