ଖପ୍ରାଖୋଲ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ : କ୍ଵାକ୍‌ମାନଙ୍କ ହାତରେ ରୋଗୀଙ୍କ ଜୀବନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ନିରବଦ୍ରଷ୍ଟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତରଙ୍କ ଅଭାବ ଯୋଗୁଁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି । ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି । ଏମାନେ ଡାକ୍ତରୀ ପାଠ ପଢି ନ ଥିବା ବେଳେ ନିଜକୁ ଆତ୍ମଘୋଷିତ ଡାକ୍ତର କହି ଗାଁ ଲୋକଙ୍କୁ ଭୁଆଁ ବୁଲାଇ ବେସ୍‌ ଫାଇଦା ଉଠାଉଛନ୍ତି । ରାଜ୍ୟ ବାହାର କୋଲକାତାର କେତେ ଜଣ ନକଲି ଡାକ୍ତର କ୍ଲିନିକ୍‌ ଖୋଲିଛନ୍ତି ତ ଆଉ କେଉଁଠି ହାଟ ବଜାରରେ ପସରା ମେଲାଇ ଓ ଗାଁ ଗାଁ ବୁଲି ଉପାନ୍ତ ଅଞ୍ଚଳରେ ମୋଟର ସାଇକେଲ ଯୋଗେ ପ୍ରଚାର କରି ରୋଗୀଙ୍କୁ ଲୁଟୁଛନ୍ତି । ବିଭିନ୍ନ ରୋଗର ମେଡିସିନ କହି ଚଢ଼ା ଦରରେ ବିକୁଥିବା ଦେଖିବାକୁ ମିଳିଛି । ଏହି ନକଲି ଡାକ୍ତରମାନେ ଉପାନ୍ତ ଗାଁ ଗୁଡିକରେ ଘରଭଡ଼ା ନେଇ ଆସ୍ଥା ଜମାଇଛନ୍ତି । ଅପରପକ୍ଷେ କିଛିମାସ ତଳେ ଜୁରିଆ ଅଞ୍ଚଳର ଜଣେ ନକଲି ଡାକ୍ତରଙ୍କ ଟିକାରେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା । ହେଲେ ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି । ଖପ୍ରାଖୋଲ ଅଞ୍ଚଳରେ ଏହି ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ବିଶେଷ କରି ରେଙ୍ଗାଲି, ଜୁରିଆ, ସାନଉଡେନ, କନ୍ଦ୍ରାଭଟା, ବେନ୍ଦେର, ଝାଙ୍କରପାଲି, ବନ୍ଦେପଦର, ଡୁଡ଼କି ପଦର, ତେଲେନପାଲି, ଲାଠୋର ସହ ବିଭିନ୍ନ ଗ୍ରାମରେ ଦିନକୁ ଦିନ ନକଲି ଡାକ୍ତର ଆଡ୍ଡା ଜମାଇଛନ୍ତି । ଗାଁକୁ ଗାଁ ବୁଲି ନକଲି ଡାକ୍ତର ବା କ୍ବାକ୍‌ ବ୍ୟବସାୟୀମାନେ ରୋଗୀଙ୍କୁ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟର କଥା ବଲାଙ୍ଗିର ସହରରେ ଥିବା କୌଣସି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଦଶମ ଶ୍ରେଣୀ ପାସ କରିଥିବା ଲୋକଙ୍କୁ ସାର୍ଟିଫିକେଟ ଦେଉଥିବା ବେଳେ ସେଇ ସାର୍ଟିଫିକେଟ ଦେଖାଇ କ୍ଵାକମାନେ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଦେଖିବାକୁ ମିଳୁଛି । ଥଣ୍ତାକାଶ ଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ । ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ପରାମର୍ଶ ଦେବା ପରିବର୍ତ୍ତେ ନିଜେ ଚିକିତ୍ସା କରୁଛନ୍ତି । ରୋଗୀଙ୍କୁ ସାଲାଇନ୍, ଇଞ୍ଜେକ୍ସନଠାରୁ ଆରମ୍ଭ କରି ସତମିଛ କହି ବିଭିନ୍ନ ପ୍ରକାରର ଔଷଧ ଦେଇ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି ଏହି କ୍ୱାକ୍‌ ଡାକ୍ତର । କୌଣସି ରୋଗୀ ଗୁରୁତର ହେବା ଜାଣିଲେ ନିଜ ଉପରୁ ଦୋଷ ଖସାଇ ଚାଲି ଯାଉଛନ୍ତି । ଫଳରେ ରୋଗୀମାନେ ଭୁଲ ଚିକିତ୍ସା ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । କିଛି ଜାଗାରେ ଅଷ୍ଟମ ଶ୍ରେଣୀ ପାଠ ପଢ଼ି ଗାଈ ଗୋରୁଙ୍କୁ ଚିକିତ୍ସା କରିବା ସହ ନିରୀହ ରୋଗୀ ମାନଙ୍କୁ ମଧ୍ୟ ସେମାନେ ଚିକିତ୍ସା କରୁଥିବା ନଜରକୁ ଆସିଛି । ଖପ୍ରାଖୋଲ ଅଞ୍ଚଳରେ ଏଭଳି ଅନେକ କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ପାଇଁ ରୋଗୀ ଶୋଷିତ ହେବା ସହ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ସବୁ ଜାଣି ବି ସ୍ୱାସ୍ଥ୍ୟ ବିଭାଗ କିମ୍ବା ଡ୍ରଗ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି । ବିଶେଷ କରି ଖପ୍ରାଖୋଲ ବ୍ଲକ୍‌ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଏହି ନକଲି ଡାକ୍ତରମାନେ । ବଡ଼କଥା ହେଉଛି ଏହି ବ୍ୟବସାୟରେ କିଛି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ବଣ ଜଙ୍ଗଲ ଘେରା ଅଞ୍ଚଳ ମଧ୍ୟରେ ବସବାସ କରୁଥିବା ନିରୀହ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସେଭଳି କୌଣସି ସୁବିଧା ନଥିବା ହେତୁ ଏହାର ଫାଇଦା ଉଠାଇ ଚାଲିଛନ୍ତି ଏହି ବ୍ୟବସାୟୀ ମାନେ । ଗାଁ ଗହଳିରେ କିଛି କ୍ୱାକ୍‌ ବ୍ୟବସାୟୀ ଔଷଧ ବ୍ୟବସାୟ ବାହାନାରେ ନିଶା ଭାବେ ବ୍ୟବହାର କରାଯାଉଥିବା ବିଭିନ୍ନ କମ୍ପାନିର କଫ୍‌ସିରପ୍ ଓ ନିଶା ଟାବଲେଟ୍‌ ପ୍ରଭୃତି ଯୋଗାଉଥିବାର ଅଭିଯୋଗ ହେଉଛି । ଏମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟ ତଥା ବେଆଇନ ଗର୍ଭପାତ କରିବା ସହ ଗର୍ଭପାତ ପାଇଁ ଟାବ୍‌ଲେଟ ଓ ତରଳ ଔଷଧ ରୋଗୀଙ୍କୁ ଦେଉଛନ୍ତି । ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଔଷଧ ସମେତ କେତେଜଣ ଗୁଣୀ ଗାରେଡ଼ି ଓ ଝଡ଼ା ଫୁଙ୍କାରେ ଶିଶୁ ଓ ମହିଳାଙ୍କ ଚିକିତ୍ସା କରୁଥିବା କୁହାଯାଉଛି । ସ୍ବାସ୍ଥ୍ୟ ବିଭାଗ ଉପାନ୍ତ ଅଞ୍ଚଳରେ ଏହି ନକଲି ଡାକ୍ତର, କ୍ୱାକ୍‌ଙ୍କ ଉପରେ ନଜର ରଖିଛନ୍ତି ସତ କିନ୍ତୁ ସେମାନଙ୍କ ବେଆଇନ କାରବାରକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି କିମ୍ବା ପୋଲିସ ପ୍ରଶାସନର ସହାୟତା ନେଇ ସେମାନଙ୍କ ଉପରେ କୌଣସି ଅଙ୍କୁଶ ଲଗାଉ ନାହାନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସ୍ୱାସ୍ଥ୍ୟ ବିଭାଗ ଏବଂ ନକଲି ଡାକ୍ତରଙ୍କ ମଧ୍ୟରେ କେମିତି ସମ୍ବନ୍ଧ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଅଛି । ଏ ସମ୍ପର୍କରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ମହନ୍ତଙ୍କୁ ପଚାରିବାରୁ ଆମ ପାଖରେ କୌଣସି ଲିଖିତ ଅଭିଯୋଗ ନାହିଁ ଯଦି କେହି ଅଭିଯୋଗ କରିବେ ତା’ହେଲେ ନକଲି ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ତା’ହେଲେ ନକଲି ଡାକ୍ତର କିମ୍ବା କୌଣସି କ୍ଵାକ ହାତରେ କୌଣସି ରୋଗୀର ଜୀବନ ଯିବା ପରେ ମୃତ ବ୍ୟକ୍ତିର ପରିବାର ଲୋକ ଯଦି ଲିଖିତ ଅଭିଯୋଗ କରିବେ ତା’ପରେ ଏହି ଝୋଲାଛାପମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବ । ଏବେ ଦେଖିବାକୁ ବାକି ରହିଲା ଲିଖିତ ଅଭିଯୋଗ କେବେ ହେବ ଏବଂ ପ୍ରଶାସନ କେବେ ଆକ୍ସନ ମୁଡ଼ରେ ଆସିବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.