ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ପୌର ପରିଷଦ ବିଫଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ମଂଗଳବାର ବଜାରରେ ଚାଲିଛି ସହରର ଏକମାତ୍ର କଂସେଇଖାନା । ପୌର ପରିଷଦ ଅଧୀନରେ ଚାଲିଥିବା ଏହି କଂସେଇଖାନାରୁ ନିୟମିତ ଭାବରେ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରାଯାଉଛି । କିନ୍ତୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ପୌର ପରିଷଦ ବିଫଳ ।
ବହୁ ଦିନରୁ ପୁରୁଣା ଟିଣ ଓ ଏଜବେସଟସରେ ତିଆରି ହୋଇଥିବା ଏହି ଦୋକାନଗୁଡିକ ପାଇଁ କୌଣସି ସୁବିଧା କରାଯାଇନାହିଁ । କଂସେଇଖାନା ଅଂଚଳରେ ପରିଷ୍କାର ପରିଛନ୍ନ କରିବା ସହିତ ବ୍ୟବସାୟୀମାନଙ୍କୁ ପାଣି ଯୋଗାଇ ଦେବାକୁ ଦାବୀ ହୋଇ ଆସୁଥିଲେ ହେଁ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ବିଶେଷକରି ବର୍ଷା ଦିନରେ କଂସେଇଖାନା ପରିସର ଓ କଂସେଇଖାନାକୁ ଲମ୍ବିଥିବା ରାସ୍ତା କାଦୁଅ ହେଉ ଥିବାରୁ ବ୍ୟବସାୟୀ ଓ ଗ୍ରାହକମାନେ ବେଶ୍ ହଇରାଣ ହେଉଛନ୍ତି । କଂସେଇଖାନାରୁ ବାହାରୁ ଥିବା ଦୂଷିତ ପାଣି ନିଷ୍କାସନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ବ୍ୟବସାୟୀମାନଙ୍କ ପାଇଁ ଏକ ପାଣି ଟାଂକି ତିଆରି କରାଯାଇ ଥିବା ବେଳେ ପାଣି ଯୋଗାଇ ଦିଆଯାଉନାହିଁ ।
ଏହି ପରିସରରେ ଦଶଟି କଂସେଇ ଦୋକାନ ଚାଲିଥିବା ବେଳେ ଅସୁବିଧା ଯୋଗୁଁ କିଛି ବ୍ୟବସାୟୀ ସହର ବାହାରେ ଖୋଲାରେ ଦିନେ ଦିନେ କଂସେଇ ଦୋକାନ ଖୋଲୁଥିବା ଦେଖିବାକୁ ମିଳୁଛି । କଂସେଇଖାନା ପରିସରର ଭିତ୍ତିଭୂମିର ବିକାଶ କରିବା ପାଇଁ ଦାବୀ ହୋଇ ଆସୁଥିଲେ ହେଁ ପୌର ପରିଷଦ କର୍ତ୍ତୃପକ୍ଷ ନୀରବ ରହୁଥିବା ଅଭିଯୋଗ ହେଉଛି । ଏ କରୋନା କାଳରେ ପରିଷ୍କାର ପରିଛନ୍ନତା ପ୍ରତି ବିଶେଷ ଗୁରୁତ୍ବ ଦିଆଯାଉଥିବା ବେଳେ ଏପରି ଅବହେଳା ଯୋଗୁଁ ସହରବାସୀ ଚିନ୍ତିତ ।
ମଂଗଳବାର ବଜାର ନିକଟରେ ମହିଳା ମହାବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଅଂଗନୱାଡି କେନ୍ଦ୍ର ଥିବା ସହିତ ମା ସୁରେଶ୍ବରୀଙ୍କ ମନ୍ଦିର ରହିଛି । ତେଣୁ କଂସେଇଖାନା ସହର ବାହାରକୁ ନେବା ପାଇଁ ସହରର ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ସହର ବାହାରେ କଂସେଇଖାନା ତିଆରି ପାଇଁ ଯୋଜନା ରହିଥିବା ସତ୍ତ୍ୱେ ପୌର ପରିଷଦ ଏ ବିଷୟରେ ନୀରବ ରହିଛି ।

Leave A Reply

Your email address will not be published.