ମିର୍ଦ୍ଧାପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

  • ଭଲ ଖେଳାଳି ଦେଶର ଗର୍ବ ଓ ଗୌରବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ମୋଟ ୨୦ଟି ବିଭାଗରେ କ୍ରୀଡା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ପରିଚାଳନା ସମିତିର ସଭାପତି ଦିଲିପ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଖେଳ ଶିକ୍ଷାର ଅଂଶ ବିଶେଷ ବୋଲି କହିବା ସହ ଭଲ ଖେଳାଳି ଦେଶର ଗର୍ବ ଓ ଗୌରବ ବୋଲି କହିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଯଶୋବନ୍ତୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଖେଳ ପରିଚାଳନା ହୋଇଥିଲା । ଚଳିତ ବର୍ଷ ମୋଟ ୪ଟି ଚାମ୍ପିଆନ ପୁରସ୍କାର ପ୍ରଦାନ କରାଯାଇଥିଲା । ବାଳକ ଓ ବାଳିକା ବିଭାଗରେ ପ୍ରତ୍ୟେଚରେ ଦୁଇଟି ଲେଖାଏଁ ସିନିୟର ଓ ଜୁନିୟର ଗ୍ରୁପ ପାଇଁ ଚାମ୍ପିଆନ ପୁରସ୍କାର ପ୍ରଦାନ କରାଯାଇଥିଲା । ଜୁନିୟର ଗ୍ରୁପରେ ସାସ୍ୱତ ଦଲାଇ ଓ ଅଲିଭା ଭୁଏ ଏବଂ ସିନିୟର ଗ୍ରୁପରେ ସାହିଲ ସା ଓ ପ୍ରୀତି ରାଉତ ଯଥାକ୍ରମେ ଚାମ୍ପିଆନ ହୋଇଥିଲେ । ଉଦ୍‌ଯାପନି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଫେନ୍ସି ଡ୍ରେସ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ସୂର୍ଯ୍ୟକାନ୍ତ ବରାଡ ସଭା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.