ମେଡିକାଲକୁ ସାଂସଦଙ୍କ ପରିଦର୍ଶନ : ବଲାଙ୍ଗିରର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବାକୁ ସମସ୍ତ ଉଦ୍ୟମ କରାଯିବ – ସାଂସଦ ସଙ୍ଗୀତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସାଂସଦ ସ୍ଥାନୀୟ ଭୀମ ଭୋଇ ମେଡିକାଲକୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଅସଲ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପୂର୍ବାପେକ୍ଷା ସ୍ଥିତିରେ ଅନେକ ସୁଧାର ଆସିଥିବା ବେଳେ ପ୍ରତ୍ୟହ ଏହି ସେବା ଜାରି ରଖିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ସେବା ସହିତ ଜନସାଧାରାଣଙ୍କୁ ସ୍ୱଚ୍ଛତା ଓ ସୁିବିଧା ଯୋଗଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ତେବେ ଆମେ ସମସ୍ତେ ମିଳିମିଶି ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ରାଜ୍ୟରେ ସବୁଠୁ ସୁଦୃଢ କରି ପାରିବା, ତା’ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସାଂସଦ ସଙ୍ଗୀତା ସିଂହଦେଓ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଗତ ସେପ୍ଟେମ୍ବର ୧ ତାରିଖରେ ସାଂସଦ ସଙ୍ଗୀତା ସିଂହଦେଓ ଭୀମ ଭୋଇ ମେଡିକାଲରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ମେଡିକାଲକୁ ଆସି ସ୍ଥିତି ପରଖିଥିଲେ । ବିଭିନ୍ନ ସମସ୍ୟା ସହିତ ମେଡିକାଲକୁ ସ୍ୱଚ୍ଛତା ଓ ପରିଛନ୍ନତା ସୁଧାରିବା ପାଇଁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ୭ ଦିନର ମହଲତ ଦେଇଥିଲେ ।

ତେବେ ଆଜି ମହଲତ ସରିଯାଇଥିବା ବେଳେ ସାସଂଦ ନିଜ କଥା ମୁତାବକ ମେଡିକାଲକୁ ପହଞ୍ଚି ମେଡିକାଲର ସମସ୍ଥ ବିଭାଗ ବୁଲି ଦେଖିଥିଲେ । ପ୍ରତ୍ୟେକ କୋଠରୀ ପରିଦର୍ଶନ କରି ସେଠାକାର ସୁବିଧା ଅସୁବିଧା ପଚାରି ବୁଝିବା ସହିତ ନିଜେ ସ୍ୱଚ୍ଛତାର ଯାଞ୍ଚ କରିଥିଲେ । ପରିଦର୍ଶନ ସମୟରେ ଅନେକ ଥଣ୍ଡା ପାଣି ମେସିନ ଅଚଳ ଥିବା ଜଣା ପଡିଥିଲା । ସେସବୁକୁ ତୁରନ୍ତ ବଦଳାଇ ନୂତନ ମେସିନ ଲଗାଇବାକୁ ସଂଙ୍ଗୀତା ନିର୍ଦ୍ଦେଶ ଦେଇଥିଲେ । ସେହିପରି ମେଡିକାଲର ସମସ୍ତ ମୁତ୍ରାଳୟ, ସୌଚାଳୟ, ପାହାଚର ପରିଛନ୍ନତା ଦେଖି ପରଖି ଥିଲେ । ୭ ଦିନ ସମୟ ଦେବା ସତ୍ୱେ ସେ ସବୁ କୌଣସି ଆଖି ଦୃଶିଆ ଉନ୍ନତି ହୋଇନଥିବା ଦେଖି ସାଂସଦ ଶ୍ରୀମତୀ ସିଂହଦେଓ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଠିକ ଭାବେ ନିଜ ଦାୟିତ୍ୱର ନିର୍ବାହ କର ଅଥବା ଅନ୍ୟ ମାନଙ୍କୁ ସୁଯୋଗ ଦିଆଯିବ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ । ଭେକ୍ସିନେସନ୍‌ ସେଣ୍ଟର, ଚକ୍ଷୁ ବିଭାଗ, ଆଖି, ଗଳା, ନାଶା, ଦନ୍ତ, ଅସ୍ଥିଶଲ୍ୟ, ସ୍ତ୍ରୀ ପ୍ରସୂତି ଓ ଶିଶୁ, ସିଟି ସ୍କାନ ଆଦି ବିଭାଗ ବୁଲି ଉଭୟ ଡାକ୍ତର ଓ ରୋଗୀଙ୍କ ଭଲମନ୍ଦ ବୁଝି ଥିଲେ । ଶେଷରେ ସାଂସଦ ଶ୍ରୀମତୀ ସିଂହଦେଓ ନିର୍ମାଣାଧିନ ଅକ୍ସିଜେନ ପ୍ଲାଂଟ ପରିଦର୍ଶନ କରିବା ସହ ଆସନ୍ତା ମାସ ସେ ପୁଣି ପରିଦର୍ଶନରେ ଆସିବେ ବୋଲି କହିବା ପରେ ମେଡିକାଲରୁ ଫେରିଥିଲେ । ଆଜିର ଏହି ପରିଦର୍ଶନ ସମୟରେ ମେଡିକାଲ ଅଧିକ୍ଷକ ଡା. ମହେନ୍ଦ୍ର ନାୟକ, ମ୍ୟାନେଜର ଡା.ପ୍ରତ୍ୟୁଷ ପଟ୍ଟନାୟକ, ଡା. ଦତ୍ତ, ସାଂସଦ ପ୍ରତିନିଧି ଅନିତା ଗୁରୁ ଓ ଦୀନେଶ ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.