ବିଶ୍ୱ ମାତୃଭାଷା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ପ୍ରାୟ ସାହିତ୍ୟାନୁଷ୍ଠାନଗୁଡିକ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଠାରେ ମିଳିତ ହୋଇ ବିଶ୍ୱ ମାତୃଭାଷା ଦିବସ ପାଳନ କରିଥିଲେ । ଏହି ଅବସରରେ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ମାତୃଭାଷା ସହିତ ପ୍ରତ୍ୟେକ ମଣିଷର ନାଡିର ସଂପର୍କ ରହିଛି । ମାତୃଭାଷା ପ୍ରଚାର, ପ୍ରସାର, ସ୍ନେହ, ଶ୍ରଦ୍ଧା ଓ ସଂପ୍ରୀତିର ବାତାବରଣ ସୃଷ୍ଟି କରିଥାଏ । ବିଶେଷତଃ ଭାରତ ଭଳି ବହୁଭାଷୀ ଦେଶପାଇଁ ମାତୃଭାଷା ଅପରିହାର୍ଯ୍ୟ । ଚଳିତବର୍ଷ ଆନ୍ତର୍ଜାତିକ ମାତୃଭାଷା ଦିବସର ବିଷୟବସ୍ତୁ ‘ବହୁଭାଷୀ ଶିକ୍ଷା ପାଇଁ ଟେକ୍ନୋଲୋଜି ବ୍ୟବହାର : ଆହ୍ୱାନ ଓ ସୁଯୋଗ’ ସଂପର୍କରେ ବକ୍ତାମାନେ ଆଲୋଚନା କରି କହିଲେ ଯେ, ସଂପ୍ରତି ଡିଜିଟାଲ ଦୁନିଆର ଯୁଗ । ବୈଷୟିକ ଶିକ୍ଷାର ଚାହିଦା ଦିନକୁଦିନ ବଢିବାରେ ଲାଗିଛି । ଏଥିପାଇଁ ଆମକୁ ମାତୃଭାଷା ସହିତ ଅନ୍ୟ ଭାଷାରେ ଦକ୍ଷତା ରଖିବାକୁ ପଡିବ । ତେବେ ନିଜ ମାତୃଭାଷାକୁ ବ୍ୟବହାର କରିଲେ ତାହା ସର୍ବଦା ଗ୍ରହଣୀୟ ହେବା ସହ ଭାଷା ବଂଚିବାର ସହାୟକ ହେବ । ଏହାସହ ମାତୃଭାଷା ସଂପର୍କିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାହିତ୍ୟାନୁଷ୍ଠାନ ଯଥା ଓଡିଆ ଭାଷା ବିକାଶ ମଞ୍ଚ, ଆଦର୍ଶ ପାଠାଗାର, ଇସ୍ପାତ ସାହିତ୍ୟ ସଂସଦ, ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ, ସ୍ୱସ୍ତି ସାହିତ୍ୟ ସଂସଦ, ଧାମରା ସଂଘ, ହମିରପୁର ଉନ୍ନୟନ ପରିଷଦ, କଲଚରାଲ ଏକାଡ଼େମୀ, ସମ୍ବାଦ ସାହିତ୍ୟ ଘର, ପରିଚୟ, ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ, ରାଧାକୃଷ୍ଣ ସେବା ସମିତି, ହେତୁବାଦୀ ସଂଗଠନ ପ୍ରଭୃତିର ସର୍ବଶ୍ରୀ ପ୍ରଶାନ୍ତ କୁମାର ପତି, ପଶୁପତିନାଥ ଚାଟାର୍ଜୀ, ବ୍ରଜେନ୍ଦ୍ର ଦାଶ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡଃ ସୁମନ ଦତ୍ତ, ଆର୍ତ୍ତତ୍ରାଣ ମହାପାତ୍ର, ଚନ୍ଦ୍ରଶେଖର ପାଇକରାୟ, ଅଭିରାମ ପ୍ରଧାନ, ଗଙ୍ଗାଧର ପୁହାଣ, ପ୍ରଫୁଲ୍ଲ ସାମଲ, ହେମନ୍ତ ବିଶ୍ବାଳ, ଡଃ ନଗେନ ଦାସ, ପଞ୍ଚାନନ ପାତ୍ର, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.