ସୁଧୁରୁନି ଜାତୀୟ ରାଜପଥର ଅବସ୍ଥା : ଗାଡ଼ି ଗଲେ ଉଡୁଛି ଗୁଣ୍ଡ, ସ୍ଥାୟୀ ମରାମତି ଦାବୀ

ଦେଓଗାଁ, (କିଶୋର କୁମାର ସାହୁ) : ବରଗଡ-ବୋରିଗୁମ୍ମା ଜାତୀୟ ରାଜପଥ ବହୁ ଜନସମାଗମ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଯିବା ଆସିବା କରୁଛି । ଏବେ ଏହି ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟ ପଟରେ ଜାତୀୟ ରାଜପଥର ସୌନ୍ଦର୍ୟ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଅଞ୍ଚଳର ରାସ୍ତା ମରାମତି ପାଇଁ କୁଣ୍ଠାବୋଧ କରୁଛନ୍ତି ସଡ଼କ ପରିବହନ ବିଭାଗ ବୋଲି ମତ ପ୍ରକାଶ ପାଉଛି ।
ବଲାଙ୍ଗୀରରୁ ଦେଓଗାଁକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଏଭଳି ଗାତମାନଙ୍କରେ ପଡି ବହୁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । କିଛି ମାତ୍ରାରେ ବର୍ଷା ହେଲେ ଏହି ଗାତଗୁଡିକରେ ପାଣି ଜମି ରହି ଯାଉଥିବାରୁ କୌଣସି ଯାନବାହନ ଚାଳକ ତାହା ଜାଣି ନ ପାରୁଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସମୟରେ ଏହାକୁ ନେଇ ଖବର କାଗଜରେ ଖବର ପ୍ରକାଶ ପାଇଲେ ବିଭାଗୀୟ କର୍ମଚାରୀମାନେ ଆସି ପିଚୁ ବଦଳରେ ମେଟାଳ ଗୁଣ୍ଡରେ ମରାମତି କରି ଦେଇଥାନ୍ତି। ବର୍ଷା ଛାଡ଼ି ଖରା ହେଲେ ଏହି ପଥର ଗୁଣ୍ଡ ଉଡି ଯାଉଥିବାରୁ ଯେ କୌଣସି ଚାରି ଚକିଆ ଗାଡ଼ି ପଛରେ ଯାଉଥିବା ବାଇକ୍ ଆରୋହୀର ଆଖିରେ ଗୁଣ୍ଡ ପଶି ଯାଇଥାଏ । ଯାହାଫଳରେ ଆଖି ନଷ୍ଟ ହେବାର ଆଶଙ୍କା ରହିଥାଏ । ଦେଓଗାଁ ସୋନଗଡ଼ ବ୍ରିଜରେ ମଧ୍ୟ ବହୁ ଗାତ ସୃଷ୍ଟି ହୋଇଛି । ଦେଓଗାଁରୁ ବଲାଙ୍ଗୀର ରାସ୍ତାର ପ୍ରତି ୨ କିଲୋମିଟର ମଧ୍ୟରେ ବଡ଼ ବଡ଼ ଗାତ ଥିଲେ ମଧ୍ୟ ସଡ଼କ ସୁରକ୍ଷା ବିଭାଗର ନଜରକୁ ଆସୁନାହିଁ । ସିନଖମନ ପୋଲରେ ଖୁବ୍ ବଡ଼ ଖାଲ ଥିବାରୁ କୌଣସି ବଡ଼ ଗାଡ଼ି ବାଇକ୍ ଆରୋହିଙ୍କୁ ଓଭରଟେକ୍ କଲେ ଖାଲରେ ଥିବା ପାଣିରେ ଭିଜି ହୋଇ ଯାଇଥାଏ । ସମସ୍ତ ପୋଲରେ ରାସ୍ତା ସହ ଯୋଡ଼ି ହୋଇଥିବା ସ୍ଥାନରେ ଫାଙ୍କା ହୋଇ ଯାଇଛି । ଫଳରେ ବହୁ ଅସୁବିଧା ହୋଇଥାଏ । ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବୀ ହେଉଛି ।
ସୂଚନା ଯୋଗ୍ୟ ଯେ, ୨ ମାସ ତଳେ ଦେଓଗାଁ କଚ୍ଛାରପାଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକ ଗାତରେ ଦୁଇଟି ବାଇକ୍ ଦୁର୍ଘଟଣା ଘଟିଥିଲା । ତାହାକୁ ନେଇ ଖବର କାଗଜରେ ଜାତୀୟ ରାଜପଥରେ ଗାତ ଯୋଗୁଁ ଘଟିଲା ଦୁର୍ଘଟଣା ବୋଲି ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ପଥର ଗୁଣ୍ଡ ଦେଇ ମରାମତି କର ଯାଇଥିଲା । ଯାହାଫଳରେ ଏବେ ରାସ୍ତାରେ ଯାଉଥିବା ବାଇକ୍ ଆରୋହୀମାନେ ହନ୍ତସନ୍ତ ହେଉଛନ୍ତି ।

Leave A Reply

Your email address will not be published.