ଝିରପାଣି ଠାରେ ୨୪ତମ ମକର ମିଳନ ଓ ଟିସୁ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ୟଙ୍ଗ ଆଦିବାସୀ କ୍ଲବ ପଡିଆରେ ୨୪ତମ ମକର ମିଳନ ଓ ଟିସୁ ମେଳା ଅନୁଷ୍ଠିତ ହୋଇଯାଇଛି । ଝିରପାଣି ମକର ମିଳନ କମିଟିର ସଭାପତି ହାଲୁ ମୁଣ୍ଡାରୀ (ଖ)ଙ୍କ ସଭାପତିତ୍ୱ ଓ ସମ୍ପାଦକ ନିଳାମ୍ବର ମୁଣ୍ଡାରୀ ଓ କୋଷାଧ୍ୟକ୍ଷ କିଶୋର ମୁଣ୍ଡାରୀଙ୍କ ଆବାହକତ୍ଵରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲାପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସମାଜସେବୀ ଗୌରୀ କୁମ୍ଭାର, ଏ. ତିର୍କି, ମଙ୍ଗଲୁ ଖାଡିଆ, ରାମଚନ୍ଦ୍ର ଗାଡିଆ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସଂସ୍କୃତି ହେଉଛି ଆମ ପରିଚୟ, ଏ ମାଟି ଆଦିବାସୀର ମାଟି, ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ମହାନ । ଏହା ସହ ସେ ୨୯ କୋଟିରେ ଝିରପାଣି ମିଟକୁନ୍ଦୁରୀ ରାସ୍ତା, ୨୨କୋଟିରେ ଝିରପାଣି ବନ୍ଧମୁଣ୍ଡା ରାସ୍ତା, ଝିରପାଣି ହାଇସ୍କୁଲ ପାଇଁ ୧୧ କୋଟି ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ମୁଣ୍ଡାରୀ ଓ ଅନ୍ୟ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ମକର ଏକ ଶାନ୍ତିର ଉତ୍ସବ ଓ ଟିସୁ ମା’ଙ୍କ ଆଲୌକିକ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଝିରପାଣି ଓ ଆଖପାଖ ଅଞ୍ଚଳରୁ ୧୩ଟି ଟିସୁ ମେଢ଼ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଝିରପାଣି କଂସାରୀ ବସ୍ତି ଏ, କୁମାର ବସ୍ତି ଏ, ଆର୍ ଏସ୍ କଲୋନୀ ବନ୍ଧମୁଣ୍ଡା, ଝିରପାଣି ମୁଣ୍ଡାରୀ ବସ୍ତିର ମହିଳା ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ମ୍ୟୁଜିକ ଚେୟାର ଓ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୋମଲାଲ ମୁଣ୍ଡାରୀ, ନବୀନ ମୁଣ୍ଡାରୀ, ଅଜୟ ନାଲକୋ, ଅମିତ ବାରା, ରବି ସାଉଣ୍ଡ, ଦଶରଥ କଂସାରୀ, ଜଗଦିଶ ମୁଣ୍ଡାରୀ, ଗଣେଶ ଲୋହାର, ସୀତାରାମ ମାହାତୋ, ରାମଚନ୍ଦ୍ର ତନ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.