ଦାନା ଯୋଗାଉଛି ମହୁଲ ଫୁଲ

ନୂଆପଡା, (ନିରାକାର ମେହେର) : କିଏ ମହୁଲ ଗୋଟାଇବାରେ ବ୍ୟସ୍ତ ତ କିଏ ଗାଁ ଦାଣ୍ଡରେ ମହୁଲ ଶୁଖାଉଛି । ଫଗୁଣ ମାସର ଆଗମନରେ ଚଳଚଞ୍ଚଳ ହୋଇଉଠୁଛି ନୂଆପଡା ଜିଲ୍ଲାର ଆଦିବାସୀ ଅଧିଷ୍ଟିତ ଅଞ୍ଚଳ । ଏଇଠି ସକାଳ ହେଲେ ପରିବାରର ପ୍ରତେକ ସଦସ୍ୟ ମହୁଲ ଗୋଟାଇବାକୁ ଜଙ୍ଗଲ ମୁହାଁ ହୋଇଥାନ୍ତି । ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ଦାନା ଯୋଗାଉଛି ମହୁଲ ଫୁଲ । ମାର୍ଚ୍ଚ ମାସ ଆସିଲେ ମହୁଲ ଫୁଲ ଝରିବାକୁ ଲାଗେ । ନୂଆପଡା ଜିଲ୍ଲାରେ ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ । ଜିଲ୍ଲାର ଅନେକ ପରିବାରଙ୍କ ଜୀବନ ଜୀବିକାର ଉତ୍ସ ହେଉଛି ମହୁଲ ଫୁଲ । ବିଶେଷ କରି ଆଦିବାସୀ ପରିବାର ମହୁଲ ଫୁଲ ଗୋଟାଇ ପରିବାର ପାଇଁ କିଛି ମାସର ଅନ୍ନ ସଂସ୍ଥାନ କରିଥାନ୍ତି । ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଜଙ୍ଗଲ କିମ୍ବା ବିଲ ବାଡ଼ିକୁ ଯାଇଥାନ୍ତି । ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆଯାଏ କିମ୍ବା ମାଟି ଲେପି ଦିଆଯାଏ । ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରୁଛନ୍ତି ।ମହୁଲ ଫୁଲ ଗୋଟିଏ ଗୋଟିଏ ପଡ଼ୁଥିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ । କିଛି ଲୋକଙ୍କ ନିଜ ଗଛ ଥିବା ବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରିଥାନ୍ତି ।
ମହୁଲ କାହା ପାଇଁ ମହୁଲି ନିଶା ତ କାହାର ଭାତ ହାଣ୍ଡି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ । ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଲୋକେ । ପରେ ଘରେ ମହୁଲକୁ ନେଇ ଶୁଖାଇ ବେପାରୀମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମ ହିସାବରେ ଉଚିତ ମୂଲ୍ୟ ପାଉ ନଥିବା ଅଭିଯୋଗ ହୋଇଛି । ବେପାରି ମାନେ ୩୫ରୁ ୪୦ ଟଙ୍କା ଦେଇ ମହୁଲ ଫୁଲ କିଣି ନେଉଛନ୍ତି । ଲୁଣ, ଚାଉଳ ବଦଳରେ ମଧ୍ୟ ମହୁଲ ବିକ୍ରି କରାଯାଏ । ସରକାରଙ୍କ ରାଜସ୍ୱ ବୃଦ୍ଧିର ମୁଖ୍ୟ ସ୍ରୋତ ହେଉଛି ମହୁଲ ଫୁଲ । ମହୁଲି ମଦ ବିକ୍ରୟ କରି ସରକାର ବହୁତ ଲାଭବାନ ହୋଇଥାନ୍ତି କିନ୍ତୁ ମହୁଲ କିଣିବା ପାଇଁ ସରକାରୀ ବ୍ୟବସ୍ଥା ଉତ୍ସାହଜନକ ନୁହେଁ । ଫଳରେ ଲୋକେ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି । ସାଧାରଣତଃ ଲଘୁବନ ଜାତ ଦ୍ରବ୍ୟ ବିକ୍ରୟ ତିନି ପ୍ରକାରରେ ହୋଇଥାଏ । ଯିଏ ଏହା କିଣିବାକୁ ଚାହିଁବ ସେ ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ୧୦୦ଟଙ୍କା ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣି ପାରିବ । ଏମାନେ ପ୍ରାଥମିକ କ୍ରେତା, ଦ୍ଵିତୀୟରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିମ୍ବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ । ଏନେଇ ଖଡ଼ିଆଳ ଜିପିଇ ଓ ଶୁକୃ ରାଠୋର ଓ ଖଡ଼ିଆଳ ଡିଏଫ୍‌ଓ ସୁଶୀଲ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ମହୁଲ ଫୁଲ ଓ ଅନ୍ୟାନ୍ୟ ଲଘୁଜାତ ଦ୍ରବ୍ୟ କ୍ରୟ ପାଇଁ ଏବେ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା ରହିଛି ବୋଲି କହିଥିଲେ ।

Leave A Reply

Your email address will not be published.