ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଛାତ୍ରଛାତ୍ରୀ ଯୁବ ସମ୍ପ୍ରଦାୟ ଏବଂ ସବୁ ବର୍ଗର ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ କରିଛି । ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଏନ୍‌ଆଇସିର ମିଳିତ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନର ନୂତନ କୋଠାରେ ଏକ ଜିଲ୍ଲା ସ୍ତରୀୟ ପାଠାଗାର ଓ ଲାଇବ୍ରେରୀର ଶୁଭାରମ୍ଭ କରାଯାଇଛି । ଅର୍ଥ ଏବଂ ଅବକାରୀ ବିଭାଗ, ଓଡ଼ିଶା ସରକାର ମନ୍ତ୍ରୀ ନିରଂଜନ ପୂଜାରୀ ଏହାର ଶୁଭ ଉଦ୍‌ଘାଟନ କରି ଇ – ଗ୍ରନ୍ଥାଳୟର ମଧ୍ୟ ଉନ୍ମୋଚନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଲେ ଯେ, “ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଯୁଗରେ ସମସ୍ତଙ୍କ ପଠନ ଅଭ୍ୟାସରେ କ୍ରମାଗତ ହ୍ରାସ ଘଟିଛି । ତେଣୁ ଲାଇବ୍ରେରୀ ପରି ପଦକ୍ଷେପ ନିଶ୍ଚିତ ଭାବରେ ବୟସ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ପଢିବା ଅଭ୍ୟାସକୁ ଉତ୍ସାହିତ କରିବାରେ ତଥା ପ୍ରୋତ୍ସାହିତ କରିବାରେ ସହାୟକ ହେବ । ଏହି ଲାଇବ୍ରେରୀ ଛାତ୍ରଛାତ୍ରୀ, ପୁସ୍ତକ ପ୍ରେମୀ ଏବଂ ଲାଇବ୍ରେରୀ ପରିଦର୍ଶନ କରୁଥିବା ସମସ୍ତ ଲୋକଙ୍କୁ ଆକର୍ଷିତ କରିବ, ଯେଉଁମାନେ ଶୀତତାପ ନିୟନ୍ତ୍ରିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ କିଛି ସମୟ ପଢ଼ା ପଢି କରି ପାରିବେ । ନିକଟ ଭବିଷ୍ୟତରେ ଏହି ଗ୍ରନ୍ଥାଗାରରେ ଇ-ଲାଇବ୍ରେରୀ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରୀ ସୂଚିତ କଲେ । ଏହି କାର୍ଯ୍ୟକ୍ରମକୁ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆଇଏଏସ୍, କହିଛନ୍ତି ଯେ, ଏହି ଲାଇବ୍ରେରୀର ବିକାଶରେ ଅବସରପ୍ରାପ୍ତ ବ୍ୟକ୍ତି, ପ୍ରଫେସନାଲ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ଜଡିତ କରାଯିବ । ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ସୃଜନଶୀଳ କର୍ମଶାଳା ଏବଂ ଜୀବନ୍ତ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଅଦ୍ୟ ଶୁଭଉଦ୍‌ଘାଟନ କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ଦାଶ, ସୁବର୍ଣ୍ଣପୁର ଏଡିଏମ୍‌, ଶ୍ରୀମତୀ ନିଶି ପୁନମ ମିଞ୍ଜ୍, ସୁବର୍ଣ୍ଣପୁର ଏଡିଏମ ଶ୍ରୀମତୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ, ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ଚନ୍ଦ୍ର ନାୟକ, ଡି ଆଇ ପ୍ରମୁଖ ଯୋଗଦେଇଥିଲେ । ଏହି ପାଠାଗାରର ସୁଯୋଗ ନେବା ପାଇଁ ସମସ୍ତ ପାଠକମାନଙ୍କ ପାଇଁ ଲାଇବ୍ରେରୀ ସଦସ୍ୟତା ଏକାନ୍ତ ଆବଶ୍ୟକ । ଏହା ବ୍ୟତୀତ ଆର୍ଥିକ ଦୃଷ୍ଟିରୁ ପଛୁଆ, ଅନୂସୁଚିତ ଜାତି ଏବଂ ଜନଜାତି ଏବଂ ଭିନ୍ନକ୍ଷମ ଅନାଥମାନେ ଯିଏକି ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି ସେଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ଏଠାରେ ବିନା ମୂଲ୍ୟରେ ସୁବିଧା ଯୋଗାଇ ଦିଆଯିବ । ସେମାନେ ସେଥିପାଇଁ ଉପଯୁକ୍ତ ସାର୍ଟିଫିକେଟ୍ ସହିତ ଆବେଦନପତ୍ର ଦାଖଲ କରିବେ । ବଡ ସହରରେ ରହି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି କରିବାର ସୁଯୋଗ ପାଉ ନଥିବା ପିଲାମାନଙ୍କ ପାଇଁ ଏହି ଲାଇବ୍ରେରୀ ଏକ ବରଦାନ ସଦୃଶ ହେବ । ବଜାରରୁ ବିଭିନ୍ନ ପ୍ରକାରର ମହଙ୍ଗା ବହି ତଥା ପତ୍ର ପତ୍ରିକା କିଣିବାରୁ ବଞ୍ଚିତ ପିଲାମାନେ ଏହା ଦ୍ୱାରା ଲାଭବାନ ହେବେ ।
ଏହି ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଉଭୟ ଏଡିଏମ୍ ପ୍ରତ୍ୟେକ ୧୦୦୦ ଟଙ୍କାର ସଦସ୍ୟତା କାର୍ଡ ଗ୍ରହଣ କରିଥିଲେ । ଗ୍ରନ୍ଥାଗାରରେ ଓଡିଆ, ହିନ୍ଦି ଏବଂ ଇଂରାଜୀ ପୁସ୍ତକଗୁଡ଼ିକର ଏକ ସୁନ୍ଦର ସଂଗ୍ରହ ରହିଛି । ଶିଶୁ ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବିଭାଗ ରହିଛି । ଓଡିଆ ପୁସ୍ତକଗୁଡ଼ିକର ସୁନ୍ଦର ଷ୍ଟକ୍ ସହିତ ଏଠାରେ ଇଂରାଜୀ ବେଷ୍ଟ ସେଲର, ଏନସାଇକ୍ଲୋପିଡ଼ିଆ ଏବଂ କ୍ଲାସିକ୍ସ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ଉପାଦେୟ ପାଠ୍ୟ ପୁସ୍ତକ ରହିଛି । ଲାଇବ୍ରେରୀରେ ଓଡିଆ ସାହିତ୍ୟ, ଉପନ୍ୟାସ, କବିତା, ଗଳ୍ପ, ନାଟକ, ପୁରାଣ ଗ୍ରନ୍ଥର ଏବଂ ଇଂରାଜୀରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଗାଇଡ୍, ମାଗାଜିନ ଏବଂ ଅଭିଧାନ ପରି ବିଭିନ୍ନ ବିଭାଗର ୫୩୦୦ ପୁସ୍ତକ ଅଛି । ଏହି ଲାଇବ୍ରେରୀର ସଦୁପଯୋଗ କରିବା ସହ ବହୁଳ ଭାବରେ ସଦସ୍ୟତା ଗ୍ରହଣ କରିବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.