ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୁଲିସ ଲାଇନର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ୱ ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଅତିଥିମାନେ କାନ୍ତକବିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଭାରତର ସେନାଧିକାରୀ ବିପିନ ରାୱତଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଭାପତିତ୍ୱ କରୁଥିବା ଶ୍ରୀମତୀ ଜେନା ଅତିଥିଙ୍କ ପରିଚୟ ସହ ନିଜ ବକ୍ତବ୍ୟରେ କହିଲେ ଯେ, କାନ୍ତକବିଙ୍କ ସର୍ଜନାରେ ଯେଉଁ ସାହିତ୍ୟ ସୃଷ୍ଟି ହୋଇଛି, ତାହା ତାଙ୍କୁ କାଳକାଳକୁ ଅମର କରିରଖିଛି । ଆବାହକ ତଥା ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କାନ୍ତକବିଙ୍କ ସଂପର୍କରେ ମତରଖି କହିଲେ ଯେ, ତାଙ୍କ ସାହିତ୍ୟ ହେଉଛି କାନ୍ତ ସାହିତ୍ୟମାଳା । ସେଥିରେ ଅଛି ଖଣ୍ଡ କବିତା, କାହାଣୀ କବିତା, ଗୀତି କବିତା, କୀର୍ତ୍ତନ ପଦ୍ୟାବଳୀ, ନାଟକ, ଗୀତିନାଟ୍ୟ, ଶିଶୁ ଓ ଝିଅଙ୍କ ପାଇଁ ଗୀତ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ପ୍ରଭୃତି । ଉପନ୍ୟାସ କଣା ମାମୁଁ ଓ ବୁଢା ଶଙ୍ଖାରୀ, ମାଳିକା ଇତ୍ୟାଦି ତାଙ୍କର ଶ୍ରେଷ୍ଠ ଗଳ୍ପ । ପାଲାଗାୟକ ଓ ଗାଁରେ ବୁଲୁଥିବା ଯୋଗୀମାନଙ୍କ ପାଇଁ ମଧ୍ୟ ସେ କବିତା ରଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ତତ୍କାଳୀନ ସମୟରେ ବାସ୍ତବତାକୁ ନେଇ ଡଗର ପତ୍ରିକା ପ୍ରକାଶ କରି ବ୍ରିଟିଶ ସରକାରଙ୍କ ଚକ୍ଷୁଶୀଳ ହୋଇଥିଲେ । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଆଜି ଓଡିଶାର ଜାତୀୟ ସଂଗୀତ ମାନ୍ୟତା ଲାଭ କରିଛି । ସେ ଜଣେ ପ୍ରକୃତ ସ୍ରଷ୍ଟା ସହ ନିରଳସ ସାଧକ ଥିଲେ । ସେ ସାହିତ୍ୟରେ ଯେଉଁ ସଂଗୀତର କୋଣାର୍କ ଗଢି ଯାଇଛନ୍ତି, ତାକୁ ଏ ଓଡିଆ ଜାତି ଯୁଗଯଗକୁ ମନେରଖିବ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ୟ୍ୟକ୍ରମକୁ ପରିଚାଳନାରେ ଶିକ୍ଷୟିତ୍ରୀ ପ୍ରତିମା ବେହେରା, ଦେବଜାନୀ ବାରିକ, ନିବେଦିତା ମହାନ୍ତି, ତିଳୋତ୍ତମା ସାମନ୍ତରାୟ, ପାର୍ବତୀ ଟପ୍ପୋ, ସ୍ବୟଂପ୍ରଭା ଦାସ, ହୃଷିକେଶ ମଲ୍ଲିକ ପ୍ରମୁଖ ସହଯୋଗ କରିଥିବା ବେଳେ ଦେବଜାନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।