ସର୍ବ ଭାରତୀୟ ଲାଲମନି କ୍ରିକେଟ : ସମ୍ବଲପୁର ଏମଏମସିସି ଚାମ୍ପିୟନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଚାଲିଥିବା ୩୭ ତମ ସର୍ବଭାରତୀୟ ଲାଲମନି ସ୍ମାରକୀ କ୍ରିକେଟର ଫାଇନାଲ ଖେଳ ଭୁବନେଶ୍ଵର ବାପୁଜୀ କ୍ଲବ୍ ଏବଂ ସମ୍ବଲପୁର ଏମଏମସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଏମଏମସିସି ଦଳ ବିଜୟୀ ହୋଇ ଚଳିତ ବର୍ଷ ଚାମ୍ପିୟନ ହୋଇଛି । ପ୍ରଥମ ଟି-୨୦ ମ୍ୟାଚରେ ସମ୍ବଲପୁର ଦଳ ବ୍ୟାଟିଂ କରି ୭ ୱିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲା । ବେଳେ ଦଳ ପକ୍ଷରୁ ଗୌରବ ତୋମାର ୧୨୩ ରନ, ନବନୀତ ଝା ୭୯ ରନ ସଂଗ୍ରହ କରିଥିଲେ । ଭୁବନେଶ୍ଵର ଦଳ ପକ୍ଷରୁ ନିରଞ୍ଜନ ବେହେରା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭୁବନେଶ୍ୱର ଦଳ ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ ୨୦୮ ରନ ସଂଗ୍ରହ କରିଥିଲା ବେଳେ ଦଳ ପକ୍ଷରୁ ପ୍ରୟାସ ସିଂହ ୭୩ ରନ ଏବଂ ରାକେଶ ପଟ୍ଟନାୟକ ୬୬ରନ ସଂଗ୍ରହ କରିଥିଲେ । ସମ୍ବଲପୁର ଦଳ ପକ୍ଷରୁ ଜଶମିତ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ଇନିଂସ ଟି-୧୦ ମ୍ୟାଚରେ ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ ୭ ୱିକେଟ ବିନିମୟରେ ୧୬୨ ରନ ସଂଗ୍ରହ କରିଥିଲା ବେଳେ ଦଳ ପକ୍ଷରୁ ଯଶମିତ ୬୪ ରନ, ୟଜଶ ଶର୍ମା ୩୫ ରନ ସଂଗ୍ରହ କରିଥିଲେ । ଭୁବନେଶ୍ୱର ଦଳ ପକ୍ଷରୁ ସୁଶୀଲ ବାରିକ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭୁବନେଶ୍ଵର ଦଳ ୮.୫ ଓଭରରେ ୩ ୱିକେଟ ହରାଇ ୧୬୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ବେଳେ ଦଳ ପକ୍ଷରୁ ଅଭିଷେକ ଯାଦବ ୫୩ ରନ ଏବଂ ଅତୁଲ ସରକାର ୩୯ ରନ ସଂଗ୍ରହ କରିଥିଲେ । ସମ୍ବଲପୁର ଦଳ ପକ୍ଷରୁ ଯୋଗେଶ ୨ଟି ୱିକେଟ ଅକ୍ତିଆର କରିଥିଲେ । ଉଭୟ ଟି-୨୦ ଏବଂ ଟି-୧୦ ଫର୍ମାଟରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଥିବାରୁ ସୁପର ଓଭର ଖେଳାଯାଇଥିଲା । ଏଥିରେ ସମ୍ବଲପୁର ଦଳ ୧ ଓଭର ରେ ୧୯ ରନ୍ କରିଥିବା ବେଳେ ଭୁବନେଶ୍ୱର ଦଳ ମାତ୍ର ୯ ରନ କରିଥିଲା ଫଳରେ ସମ୍ବଲପୁର ଏମଏମସିସି ଦଳ ଚଳିତ ବର୍ଷ ୨୦୨୬ର ଚାମ୍ପିୟନ ହୋଇଛି । ସମ୍ବଲପୁର ଦଳର ଯଶମିତ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଖେଳକୁ ପୃଥ୍ବୀରାଜ ମିଶ୍ର ଓ ସତ୍ୟପ୍ରସାଦ ରଥ ପରିଚାଳନା କରିଥିବା ବେଳେ ପ୍ରଦୀପ୍ତ ସେଠୀ ଏବଂ କ୍ଷେତ୍ରବାସୀ ସାହୁ ସ୍କୋରର୍ ଥିଲେ । ଅନ୍‌ଲାଇନ ସ୍କୋରର ଦୀନେଶ ଘିବିଲା, ବିଶ୍ୱନାଥ ନାୟକ ଏବଂ ହିମାଂଶୁ ପ୍ରଧାନ ରହିଥିଲେ । ସନ୍ତୋଷ ନାୟାର, ବି.ଏସ୍. ରାଓ, ପାର୍ଥସାରଥି ଦାଶ, ବିନୋଦ ମହାକୁର, ଅଚ୍ୟୁତ ମିଶ୍ର ଧାରା ବିବରଣୀ ଦେଇଥିଲେ । ମ୍ୟାଚରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ରାମଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଓସିଏ ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଓଡ଼ିଶା ଅଲିମ୍ପିକ ଆସୋସିଏସନର ଅଭିଜିତ ପାଲ, ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ଯୁଗଳ କିଶୋର ସାମଲ, ବରଗଡ଼, ବଲାଙ୍ଗିର, ଭଦ୍ରକ, ସମ୍ବଲପୁର, ନୂଆପଡ଼ା ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ମାନେ ଅତିଥି ଭାବେ ଯୋଗଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବ ଅନ୍ତର୍ଜାତୀୟ କ୍ରିକେଟର ନରେନ୍ଦ୍ର ହିରୱାନୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ସମ୍ପାଦକ ପ୍ରଦୀପ ସେଠୀ ବିବରଣୀ ପାଠ ଏବଂ ଉପସଭାପତି ବି. ସତ୍ୟ ନାରାୟଣ ରାଓ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.