- ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର କୂଟନୀତି ସବୁବେଳେ ରାଷ୍ଟ୍ର ପ୍ରଥମ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛି । ଉଭୟ ଅନ୍ତର୍ଜାତୀୟ ମଞ୍ଚ ଏବଂ ଘରୋଇ କ୍ଷେତ୍ରରେ ଭାରତକୁ ଏହାର ସୁଫଳ ମିଳୁଛି । ନିକଟରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ଭାରତର ସମ୍ପର୍କକୁ ନେଇ ପରିବର୍ତ୍ତିତ ଘଟଣାକ୍ରମରେ ଏହାର ଲାଭ ଦେଖିବାକୁ ମିଳିଛି । ଦୁଇ ବର୍ଷ ପୂର୍ବେ, ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମୁକ୍ତ ଭାବେ ‘ଇଣ୍ଡିଆ ଆଉଟ୍’ (ଭାରତକୁ ବହିଷ୍କାର) ନୀତି ନେଇ ମାଳଦ୍ୱୀପରେ କ୍ଷମତାକୁ ଆସିଥିଲେ । ସେତେବେଳେ ଗଣମାଧ୍ୟମ ସମ୍ପାଦକୀୟଗୁଡ଼ିକ ଭାରତର ମାଳଦ୍ୱୀପ ନୀତିକୁ ନେଇ ପ୍ରଶ୍ନ ଉଠାଇବାର ସହ ଏହାର ପରିସମାପ୍ତି ହୋଇଛି ବୋଲି ଲେଖିଥିଲେ । ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ନୂଆଦିଲ୍ଲୀ ନିଜର ନିକଟତମ ସାମୁଦ୍ରିକ ସହଯୋଗୀ ସହ ରଖିଥିବା ସମ୍ପର୍କ ହରାଇବାକୁ ଯାଉଛି ବୋଲି ସେମାନେ ମତ ଦେଇଥିଲେ । କେତେକ ଅଗ୍ରଣୀ ଗଣମାଧ୍ୟମ ମତ ଦେଇଥିଲେ ଯେ ଭାରତ ନିଜର ବିଶ୍ୱସ୍ତ ସହଯୋଗୀକୁ ହରେଇବାକୁ ଯାଉଛି । ଏହା ଭାରତ ପାଇଁ ଧକ୍କା ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ସମ୍ପର୍କର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଭାରତ କୂଟନୀତିରେ ନିଜର ଦୃଷ୍ଟିକୋଣ ବଦଳାଇବା ଆବଶ୍ୟକ ବୋଲି ମଧ୍ୟ କୁହାଗଲା । ବିଦେଶୀ ଗଣମାଧ୍ୟମ ଭାରତର ରଣନୀତିକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ କରିଥିଲେ । ଏଭଳି ପରିସ୍ଥିତିରେ ଭାରତ ସବୁଠୁ ଉପଯୁକ୍ତ ପଦକ୍ଷେପ ନେଇ ସଂଯମତା ଅବଲମ୍ବନ କରିଥିଲା । ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ନକରି ନିରବ ଏବଂ ସ୍ଥିର ରହିଥିଲା । ଭାରତ ଜବାବୀ ପଦକ୍ଷେପ ଗ୍ରହଣ କରିବ ବୋଲି ସମସ୍ତେ ଭାବୁଥିବା ସମୟରେ ଏହାର ବିପରୀତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବିଶ୍ୱନେତା ଭାବେ ରାଷ୍ଟ୍ରପତି ମୁଇଜୁଙ୍କୁ ନିର୍ବାଚନ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ । ସମୟକ୍ରମେ ଏହି ସମ୍ପର୍କ ଅଧିକ ସୁଦୃଢ଼ ହେଲା । ଚଳିତ ସପ୍ତାହରେ ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ମୁଇଜୁଙ୍କ ନିମନ୍ତ୍ରଣକ୍ରମେ ସେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିବେ । ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ୍ ଦିଆଯାଇଥିବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ପରିବର୍ତ୍ତିତ ସମ୍ପର୍କର ଏହା ଏକ ଉଦାହରଣ । ରାଷ୍ଟ୍ରପତି ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତ ନିଜକୁ ମାଳଦ୍ୱୀପ ପାଇଁ ବିପଦ ବେଳର ବନ୍ଧୁ ଭାବେ ପ୍ରମାଣିତ କରି ଆସିଛି । ୪୦୦ ନିୟୁତ ଡଲାରର ଆର୍ଥିକ ସହାୟତା ସହିତ ମୁଦ୍ରା ବିନିମୟ ଜରିଆରେ ୩ହଜାର କୋଟି ଟଙ୍କାର ସହଯୋଗ ଯୋଗାଇ ଦେଇଛି ଭାରତ । ମାଳଦ୍ୱୀପର ବିଭିନ୍ନ ଅଞ୍ଚଳକୁ ନୌକା ସେବା ପାଇଁ ୧୩ଟି ନୂଆ ବୁଝାମଣା ସ୍ୱାକ୍ଷର କରିଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ଏବଂ ଦକ୍ଷତା ବିକାଶ ସହଯୋଗ ଅତୁଳନୀୟ ଭାବେ ବୃଦ୍ଧି ପାଇଛି । ଭାରତୀୟ ବ୍ୟବସାୟୀ ଏବଂ ପର୍ଯ୍ୟଟକମାନଙ୍କ ଆଗମନ ସହ ମାଳଦ୍ୱୀପରେ ବାଣିଜ୍ୟ ଓ ନିବେଶ ପରିମାଣ ବଢ଼ିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୫୪୮ ନିୟୁତ ଡଲାରକୁ ବୃଦ୍ଧି ପାଇଛି । ମାଳଦ୍ୱୀପ ତଟରକ୍ଷୀ ବାହିନୀ ଏବଂ ପ୍ରତିରକ୍ଷା ବାହିନୀର ଅଧିକାରୀମାନଙ୍କୁ ଭାରତ ଦକ୍ଷତା ତାଲିମ ଦେଇଛି । ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଳଦ୍ୱୀପ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ମୁଇଜୁ ଗତବର୍ଷ ଅକ୍ଟୋବରରେ ଭାରତ ଗସ୍ତରେ ଆସିଥିଲେ । ନଭେମ୍ବର ୨୦୨୩ରେ ଦାୟିତ୍ୱ ଗ୍ରହଣ ପୂର୍ବରୁ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା । ଏହି ଗସ୍ତ କାଳରେ ସେ କହିଥିଲେ, ମାଳଦ୍ୱୀପର ସାମାଜିକ ଆର୍ଥିକ ଏବଂ ଭିତ୍ତିଭୂମି ବିକାଶରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଭାରତ ଦରକାର ବେଳେ ସବୁବେଳେ ମାଳଦ୍ୱୀପକୁ ସହଯୋଗ କରିଛି । ଭାରତର ନିରବ କୂଟନୀତିର କାହାଣୀ କେବଳ ମାଳଦ୍ୱୀପ ସହ ସମ୍ପର୍କରେ ସୀମିତ ହୋଇ ରହିନାହିଁ । ଶ୍ରୀଲଙ୍କାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆଦିଲ୍ଲୀ-କଲୋମ୍ବୋ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ସମାଲୋଚକ ପ୍ରଶ୍ନ ଉଠାଇଥିଲେ । ଶ୍ରୀଲଙ୍କାରେ ବାମପନ୍ଥୀ ସରକାର ଆସିବା ଭାରତ ପାଇଁ ଚିନ୍ତାର ବିଷୟ ବୋଲି ସେମାନେ କହିଥିଲେ । ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଭାରତ ଠାରୁ ନିଜକୁ ଦୂରେଇ ରଖିବେ ବୋଲି ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ମାତ୍ର ଏହାର ବିପରୀତ ଭାରତ-ଶ୍ରୀଲଙ୍କା ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିଲା । ସମ୍ପର୍କକୁ ସମ୍ମାନ, ସମୟୋଚିତ ସହାୟତା ଏବଂ ରଣନୀତିକ ସଂଯମତା ପ୍ରଦର୍ଶନ କରି ଭାରତ ଏହି ସମ୍ପର୍କକୁ ବଜାୟ ରଖିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀଲଙ୍କା ଗସ୍ତ କରିଥିଲେ । ଏହା ଦୁଇ ଦେଶର ସମ୍ପର୍କରେ ଭରସାର ଭାବନାକୁ ସୁଦୃଢ଼ କରିଥିଲା । ରାଷ୍ଟ୍ରପତି ଦିସାନାୟକେ ଆନୁଷ୍ଠାନିକ ସ୍ୱାଗତ ଠାରୁ ଆରମ୍ଭ କରି ମିଳିତ ସାର୍ବଜନୀନ ସଭାରେ ଯୋଗଦେବା ଏବଂ ପ୍ରସିଦ୍ଧ ସାଂସ୍କୃତିକ ସ୍ଥଳ ପରିଦର୍ଶନ କରିବା ପର୍ଯ୍ୟନ୍ତ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖେ ପାଖେ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ମିତ୍ର ବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦିସାନାୟକେ କହିଥିଲେ, ଭାରତ ‘‘ଶ୍ରୀଲଙ୍କା ପାଇଁ ପ୍ରଥମ ସହାୟତାକାରୀ ଦେଶ’’ । ସେ ଦୁଇ ଦେଶ ମଧ୍ୟରେ ଦୃଢ଼ ଆପୋସ ଭରସାକୁ ବ୍ୟକ୍ତ କରିଥିଲେ । ସଙ୍କଟ ସମୟରେ ପ୍ରଥମେ ସହାୟତା ଯୋଗାଇ ଦେବା ହେଉ କିମ୍ବା ଅନ୍ୟମାନେ ପଛକୁ ହଟିଯିବା ସମୟରେ ନିର୍ଭରଯୋଗ୍ୟ ପଡ଼ୋଶୀ ଭାବରେ ଠିଆ ହେବା ହେଉ, ଭାରତ ମହାସାଗର କ୍ଷେତ୍ରରେ ଭାରତ ସବୁବେଳେ ସହଯୋଗୀ ବନ୍ଧୁ ଭାବେ ଛିଡ଼ା ହୋଇଛି । ପଡ଼ୋଶୀ ଦେଶରେ ରାଜନୈତିକ ପରିବର୍ତ୍ତନ ଆସିଲେ ଭାରତର ଆଚରଣ ହିଁ ଏହାର ସହଭାଗୀତାକୁ ସ୍ଥିର ରଖିଥାଏ । ଏହା ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତିର ଗତିଶୀଳ ଏବଂ ଅନୁକୂଳ ପ୍ରକୃତିକୁ ପ୍ରକାଶ କରେ, ଯାହାକି ବିଶ୍ୱ କୂଟନୀତିର ପରିବର୍ତ୍ତନଶୀଳ ଧାରା ସହିତ ସୂକ୍ଷ୍ମ ଭାବରେ ସମନ୍ୱିତ । ରଣନୀତି ଏବଂ ଉଦ୍ଦେଶ୍ୟର ଏକ ସ୍ପଷ୍ଟ ଭାବନା ସହିତ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରନ୍ତି । ଅନ୍ୟମାନେ ତାଙ୍କ ଆଭିମୁଖ୍ୟକୁ ବୁଝିପାରନ୍ତି ବୋଲି ଦାବି କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଶୈଳୀରେ ଗଭୀର, ଅଧିକ ସୂକ୍ଷ୍ମ ସ୍ତର ଅଛି ଯାହା ପ୍ରାୟତଃ ସାଧାରଣ ଦୃଷ୍ଟିକୋଣରୁ ବାହାରେ ରହିଥାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଦେଶିକ ନୀତିର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ହେଉଛି ରଣନୀତିକ ସଂଯମତା । ସେ ମାପିଚୁପି ଏବଂ ଚିନ୍ତାଶୀଳ ଆଭିମୁଖ୍ୟ ଗ୍ରହଣ କରିଥା’ନ୍ତି ଯାହା ଦେଶକୁ ଲାଭ ପହଞ୍ଚାଇଥାଏ । ଯେତେବେଳେ ଅନ୍ୟମାନେ ବିଫଳ ହୁଅନ୍ତି କିମ୍ବା ପ୍ରତିକ୍ରିୟା ଦେବାକୁ ମନା କରନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରାୟତଃ ଯେକୌଣସି ଦେଶର ସପକ୍ଷରେ ଥାଆନ୍ତି । ମାନବୀୟ ସହାୟତା ପାଇଁ ଟିକା ଯୋଗାଣ ହେଉ, ଦକ୍ଷତା ବିକାଶ ହେଉ କିମ୍ବା ଆର୍ଥିକ ସହାୟତା ହେଉ, ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସେହି ନେତା ଯିଏ ସବୁବେଳେ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସମର୍ଥନ କରନ୍ତି । ଏହି ସ୍ଥିରତା କାରଣରୁ ରାଜନୈତିକ ନେତୃତ୍ୱ ପରିବର୍ତ୍ତନ ଘଟିଲେ ସୁଦ୍ଧା ଭାରତର ବୈଦେଶିକ ସମ୍ପର୍କ ସ୍ଥିର ଓ ଗଠନମୂଳକ ରହିଛି । ଏହାର ପରିଣାମସ୍ୱରୂପ ବିଶ୍ୱସ୍ତରରେ ଭାରତର ସ୍ଥିତି ସୁଦୃଢ଼ ହେଉଛି । ବ୍ୟବହାରିକତା ଏବଂ ସିଦ୍ଧାନ୍ତ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିବା ବିଦେଶ ନୀତି କାରଣରୁ ଭାରତକୁ ଏ କ୍ଷେତ୍ରରେ ସଫଳତା ମିଳିପାରିଛି ।