କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ବଲାଙ୍ଗିରରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରର ୩ କଳା କୃଷି ବିଲ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ରଥ ଆଜି ବଲାଙ୍ଗିରକୁ ପହଞ୍ଚିଛି । ଓଡିଶା କୃଷକ ଅଧିକାର ସଂଘର୍ଷ ସମିତି ଓ ଏନଏପିଏମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଯାତ୍ରରେ ଓଡିଶାର ବିଶିଷ୍ଟ ଜନଆନ୍ଦୋଳନର ନେତାଗଣ ସାମିଲ ହୋଇଛନ୍ତି । ଆଜି ସକାଳ ୧୦ଟାରେ ଏହି ଟିମ୍‌ ବଲାଙ୍ଗିର ଯାଦବ ଭବନରେ ପହଞ୍ଚିଥିଲେ । ବଲାଙ୍ଗିରରେ ଜୟ କିଷାନ ଆନ୍ଦୋଳନ ବଲାଙ୍ଗିର ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏନଏପିଏମର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ, ଅଖିଳ ଭାରତ କୃଷକ ସଭାର ରାମଚନ୍ଦ୍ର ମୁଦୁଲି, ଓଡିଶା କୃଷକ ସଭାର ଯମେଶ୍ୱର ସାମନ୍ତରା, ଅଖିଳ ଭାରତ କିଷାନ ମଜଦୁର ସଭାର ଭାଲଚନ୍ଦ୍ର ଷଢଙ୍ଗୀ, ଅଲଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନର ନିରଞ୍ଜନ ମହାନ୍ତି, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଇନସାଫ ଓଡିଶାର ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ କେନ୍ଦ୍ରର କଳାକୃଷି ଆଇନ ୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ । ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ଓ ଓଡିଶାରେ ବିଜେଡି ସରକାର ଉଭୟ କୃଷକଙ୍କ ସହିତ ଖେଳ ଖେଳୁଛନ୍ତି । ବିଜେପିର ବିଧାୟକ ଆତ୍ମହତ୍ୟା ନାଟକ ଛାଡି କୃଷକଙ୍କ ସମସ୍ୟାକୁ ବୁଝି କଳା ବିଲ୍‌କୁ ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଅନ୍ତୁ । ସେହିପରି ବିଜେଡି ଦଳ ଲୋକସଭାରେ ବିଲ୍‌ ସପକ୍ଷରେ ରହି ବିଲ୍‌ ପାସ କରାଇବା ପରେ ରାଜ୍ୟସଭାରେ ବିରୋଧ କରିଛି । କିନ୍ତୁ କେରଳ ଓ ପଞ୍ଜାବ ସରକାର ଭଳି ବିଧାନସଭାରେ ବିଲ୍‌କୁ ଲାଗୁ ନକରିବାକୁ ସର୍ବ ସମ୍ମତି ନିଷ୍ପତ୍ତି ନେଇ ପ୍ରସ୍ତାବ ପାରିତ କରନ୍ତୁ ବୋଲି ଦାବୀ କରିଛନ୍ତି । ବିଧାନସଭାରେ ଅଯଥାରେ ସମୟ ନଷ୍ଟ କରି ଲୋକଙ୍କୁ ଭ୍ରମିତ କରାନଯାଉ ବୋଲି ଶ୍ରୀ ସାମନ୍ତରା କହିଛନ୍ତି । ସେହିପରି କେନ୍ଦ୍ରର ୩ଟି ଯାକ କଳା କୃଷି ବିଲ ବିରୋଧରେ ଦିଲ୍ଲୀରେ ଚାଷୀମାନଙ୍କର ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ର ସରକାର କର୍ପୋରେଟ୍‌ ହାଉସ ପାଇଁ କାମ କରୁଛି । ତେଣୁ ସେହି ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଲୋକଙ୍କୁ ସଚେତନ କରିବାକୁ ଏହି ସଚେତନତା ଯାତ୍ରା ଚାଲିଛି । ଓଡିଶାର ୨୦ଟି ଜିଲ୍ଲାକୁ ଏହା କଭର୍‌ କରିବ । ଏଥିରେ ଓଡିଶାର ୧୨ଟି କୃଷକ ସଂଗଠନ ସାମିଲ ଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜନରେ ବଲାଙ୍ଗିର ଆବାହକ ସତ୍ୟ ବନଛୋର, ତ୍ରିଲୋଚନ ପୁଞ୍ଜି, ପ୍ରଦେଶୀ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଜଗନ୍ନାଥ ମାହାଣା, ରାଜେଶ ବଗର୍ତ୍ତି, ସୌରୀ ସାହୁ, ବ୍ୟାସଦେବ ଥନାପତି ପ୍ରମୁଖ ବିଶେଷ ଭୂମିକା ନେଇଥିଲେ ।

Leave A Reply

Your email address will not be published.