oom

ଭୟାବହ ମରୁଡ଼ି ଅବସ୍ଥା ସମ୍ଭାଳିବାକୁ କୋଶଳାଂଚଳ ପାଇଁ ଚାରି ହଜାର କୋଟିର ପେକେଜ୍ ଘୋଷଣା ନିମନ୍ତେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଦାବୀ

jsmm

ବଲାଙ୍ଗିର, (କେପିଏନ୍ଏସ୍) : ଗତ ତିନିମାସ ଧରି କୋଶଳାଂଚଳରେ ଆବଶ୍ୟକ ପରିମାଣର ବର୍ଷା ନ ହେବାରୁ କୋଶଳାଂଚଳରେ ଭୟାବହ ମରୁଡ଼ି ଦେଖାଦେଇଛି । କରୋନା ଯୋଗୁଁ ଚାଷୀ ତଥା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗି ଯାଉଥିବା ବେଳେ ଏଭଳି ସ୍ୱଳ୍ପ ବୃଷ୍ଟି ପାଇଁ ଭୟାବହ ମରୁଡ଼ି ଜନିତ ପରିସ୍ଥିତି ଯୋଗୁଁ ଏ ଅଂଚଳର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର କାଗଜ କଲମରେ କିଛି ଅଂଚଳକୁ ମରୁଡ଼ିଗ୍ରସ୍ତ ବୋଲି ଘୋଷଣା କରି ଦେଇଥିଲେ ମଧ୍ୟ ବାସ୍ତବରେ ଚାଷୀମାନଙ୍କ ପାଖରେ କୌଣସି ପ୍ରକାରର ସହାୟତା ପହଂଚି ନାହିଁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଅଭିଯୋଗ ଆଣିଛନ୍ତି । ସେ ଆହୁରି କହିଛନ୍ତି ଯେ, ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ କୋଶଳାଂଚଳର ଚାଷୀ ଗତ ସାତ ଦଶକ ହେଲା ନିସ୍ପେଷିତ ହୋଇ ରହିଛନ୍ତି । ବିଶେଷ କରି ଗତ ତିନି ବର୍ଷ ହେଲା ତିନି ଶହରୁ ଉଧ୍ୱର୍ ଚାଷୀ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ ମଧ୍ୟ ସରକାର ସେମାନଙ୍କୁ କୌଣସି ପ୍ରକାର ସହାୟତା ଦେଇନାହାନ୍ତି । ଏହାଛଡ଼ା ଶସ୍ୟ ବୀମା କରିଥିବା ଚାଷୀମାନଙ୍କୁ କ୍ଷତିପୂରଣ ସଂପର୍କୀତ ଅର୍ଥ ପ୍ରଦାନ ଦିଗରେ ମଧ୍ୟ ଗତ ତିନି ବର୍ଷ ହେଲା ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ଚାଷୀମାନେ ଏ ବର୍ଷ ବଡ଼ କଷ୍ଟରେ ବିହନ କିଣି ତଥା ଋଣ କରି ଚାଷ କାର୍ଯ୍ରରେ ନିଜର ସମ୍ବଳ ବିନିଯୋଗ କରିଥିଲେ । ଏଭଳି ସ୍ଥଳରେ ଗଜା ମରୁଡ଼ି ଜନିତ ପରିସ୍ଥିତି ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ତେଣୁ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ତୁରନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ସହ ଚାଷୀମାନଙ୍କ ପାଇଁ ପେନ୍ସନ୍ ଯୋଜନା ଲାଗୁ କରିବାକୁ, କୃଷି ଋଣ ସଂପୂର୍ଣ୍ଣ ଛାଡ଼ କରିବାକୁ, ସ୍ୱଳ୍ପ ସୁଧ ହାରରେ ନୂତନ ଋଣ ପ୍ରଦାନ କରିବାକୁ ତଥା ଚାଷୀମାନଙ୍କ ପୁଅଝିଅମାନଙ୍କ ଶିକ୍ଷା ଫି’ ସଂପୂର୍ଣ୍ଣ ଛାଡ଼ କରିବାକୁ ତଥା କୋଶଳାଂଚଳର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ୪୦୦୦ କୋଟି ଟଙ୍କାର ପେକେଜ୍ ପ୍ରସ୍ତୁତ କରିବାକୁ ଦାବୀ କରିଛି । ସରକାର ଯଦି ତୁରନ୍ତ ଏ ଦାବୀ ସମୂହ ପୂରଣ ନ କରନ୍ତି, ତାହେଲେ ବ୍ୟାପକ ଚାଷୀ ଆନେ୍ଦାଳନ କରାଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ମିଶ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.