ସରକାରୀ ସହାୟତାରୁ ବଞ୍ଚିତ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ : ଗ୍ୟାସ୍, ପାଇଖାନା, ମଶାରୀ, ବିଜୁଳି କି କମ୍ବଳ ମିଳିନି : ପରିବାର ସହ କୁଡ଼ିଆ ଘରେ ରହୁଛନ୍ତି ଶ୍ରମିକ

ଦେଓଗାଁ, (ମନୀଷ କୁମାର ସାହୁ) : କେନ୍ଦୁପତ୍ର ଗୁଛାକଟାରୁ ଆରମ୍ଭ କରି ବସ୍ତାରେ ପ୍ୟାକିଙ୍ଗ କରିବା ସହ ଗାଡ଼ିରେ ଲୋଡ୍ କରିବା ପର୍ୟ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ଭୂମିକା ରହିଥାଏ । ଗୁଛା କାଟିବା, ପତ୍ର ତୋଳିବା, ଶୁଖାଇବା, ଫଡ଼ିକୁ ଆଣିବା, ବାନ୍ଧିବା ମୁଖ୍ୟ ଗୋଦାମକୁ ନେବା, ବିକ୍ରୟ ପରେ ଗାଡ଼ିରେ ଲୋଡ୍ କରିବା ପର୍ୟ୍ୟନ୍ତ ନିୟୋଜିତ ଶ୍ରମିକମାନଙ୍କୁ କୁଶଳୀ ମାନ୍ୟତା ମିଳିବା କଥା । କିନ୍ତୁ ଏହି ମାନ୍ୟତା ମିଳୁ ନାହିଁ କି ଏମାନଙ୍କ ପାଇଁ ଥିବା ସରକାରୀ ସହାୟତା ବି ଦିଆଯାଉ ନାହିଁ । ଏପରି ଅଭିଯୋଗ କରିଛନ୍ତି ଦେଓଗାଁ କେନ୍ଦୁପତ୍ର ରେଞ୍ଜ ଉପରଝର ସେକ୍ସନ ନୂଆଁପାଲି ଗାଁର ପତ୍ରଫଡ଼ିରେ କାମ କରୁଥିବା ଶ୍ରମିକମାନେ । ଏହି ପତ୍ରଫଡ଼ିରେ ଥିବା ପତ୍ରକୁ ବାନ୍ଧିବା ପାଇଁ ଦେଓଗାଁ ବ୍ଲକ୍ ବନ୍ଧପାଲି, କୁକୁରଖାଇ ଓ ଶିରାବାହାଲ ଗାଁର ୯ଟି ଖୁଣ୍ଟିରେ ୯ ପରିବାରର ୧୮ଜଣ ନିଯୁକ୍ତ ହୋଇଛନ୍ତି । ଦେଓଗାଁ ରେଞ୍ଜରେ ଥିବା ୫ଟି ସେକ୍ସନର ୫୨ଟି ଫଡ଼ିରେ ୯ଟି ଖୁଣ୍ଟି ହିସାବରେ ୪୬୦ ପରିବାର କାମ କରୁଥିବା ଜଣାପଡ଼ିଛି । ଶ୍ରମିକ ସାରଳା ରଣାଙ୍କ କହିବା ଅନୁସାରେ ପରିବାରର ସହଯୋଗରେ ଅତି ବେଶୀରେ ଦିନକୁ ୧୦ଟି ବିଡ଼ା ବାନ୍ଧିପାରନ୍ତି । ବିଡ଼ା ପ୍ରତି ୭୨ ଟଙ୍କା ହିସାବରେ ମାତ୍ର ୭୨୦ଟଙ୍କା ମଜୁରି ମିଳିଥାଏ । ଗାଁ ବାହାରେ ପତ୍ରଫଡ଼ିରେ ପିଲାଛୁଆଙ୍କୁ ଧରି ରହିଥାନ୍ତି । ସରକାରୀ ସହାୟତା କହିଲେ ଏକ ସୋଲାର ଲାଇଟ ମିଟି ମିଟି ହୋଇ ଜଳୁଛି । ବର୍ଷା ମାସ ପୁଣି ଗାଁ ବାହାରେ ରହୁଥିବାରୁ ମଶା ଯୋଗୁଁ ଶୋଇ ହେଉନାହିଁ । ପତ୍ର କୁଡ଼ିଆରେ ନିଆଁରେ ରନ୍ଧାକାମ ଚାଲିଛି । ପାଇଖାନା ନାହିଁ, ବାହାରକୁ ଯିବାକୁ ପଡ଼ୁଛି । ପାଇଖାନା ନିର୍ମାଣ ନାମରେ ନିମ୍ନମାନର କାମ କରି ଟଙ୍କା ଲୁଟ୍ କରାଯାଇଛି ବୋଲି ଅଭିଯୋଗ ହେଉଛି । ସରକାର କମ୍ବଳ ଯୋଗାଇ ଦେବା କଥା । କିନ୍ତୁ, ଦେଉ ନାହାନ୍ତି। କେବଳ ନୂଆଁପାଲି ଫଡ଼ିରେ ୯ ପରିବାର ରହୁଥିବା ବେଳେ ଦେଓଗାଁ ରେଞ୍ଜର ୫୨ଟି ଫଡ଼ିରେ ଏହିପରି କାମ ଚାଲିଛି । କୁଶଳୀ କାରିଗରର ମାନ୍ୟତା ଦେବା, ବିଡ଼ା ପ୍ରତି ଅଧିକ ଟଙ୍କା, ପାଇଖାନା ରହିବା, ପତ୍ର ଫଡ଼ିରେ ଆଲୋକ, ମଶାରୀ ଓ କମ୍ବଳ ଯୋଗାଇ ଦେବା ସହ କୋମଳମତି ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରାଯିବାକୁ ଦାବୀ କରିଛନ୍ତି ।


ସେହିପରି କେନ୍ଦୁପତ୍ର ତୋଳାଳୀଙ୍କ ପୁଅ ଝିଅଙ୍କୁ ମିଳିନି ୨୦୧୮ର ଶିକ୍ଷାବୃତ୍ତି । ସହାୟତାର ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି ଓ ପାଇବା ଆଶା ମଉଳିବାରେ ଲାଗିଛି । ଗରିବ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର ଶିକ୍ଷା ଛାତ୍ର ବୃଦ୍ଧି ନାଁରେ ସହାୟତା ଯୋଗାଉଛନ୍ତି ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଏହି ସହାୟତା ରାଶି ସେମାନଙ୍କୁ ମିଳୁ ନାହିଁ। ଏପରି ଅଭିଯୋଗ ଆଣିଛନ୍ତି ଭୁତିଆରବାହାଲ ରେଞ୍ଜ ଅନ୍ତର୍ଗତ ୫୮ଟି ଗାଁର କେନ୍ଦୁପତ୍ର ତୋଳାଳୀମାନେ । ଅଭିଯୋଗ ଅନୁସାରେ, ୨୦୧୮ ମସିହାର କେନ୍ଦୁପତ୍ର ତୋଳାଳୀଙ୍କ ପିଲାଛୁଆ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ସେମାନଙ୍କୁ ମିଳି ନାହିଁ । ସରକାର ସହାୟତା ଘୋଷଣା କରିଛନ୍ତି । ହେଲେ ଅଧିକାରୀମାନେ ଅଟକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ୨୦୧୮ରେ କରା ଯାଇଥିବା ନିୟମ ଅନୁସାରେ ଯୋଗ୍ୟ ତୋଳାଳୀଙ୍କ ପରିବାରର କୌଣସି ପୁଅ ଯୁକ୍ତ ଦୁଇ ‌ଦ୍ୱିତୀୟ ବର୍ଷ ଶିକ୍ଷା ପାଇଁ ୨ ହଜାର ଝିଅ ୧୦ହଜାର ୫ଶହ ଏବଂ ଯୁକ୍ତତିନି ଅଧ୍ୟୟନ କରିବାକୁ ଇଚ୍ଛା କରୁଥିବା ପୁଅ ପାଇଁ ୧୫ ହଜାର ଓ ଝିଅଙ୍କ ପାଇଁ ୨୨ହଜାର ୫ଶହ ଟଙ୍କା ସହାୟତା ରାଶି ଦେବାର ବ୍ୟବସ୍ଥା କରାଯାଇଛି । ପତ୍ର ତୋଳାଳୀ ହରିପ୍ରିୟା ଭୋଇ, ଦାମୋଦର ପୁଟେଲ, କେତକୀ ହାତୀ, ବାମୁଲି ପୁଲ, କାନ୍ତି ଭୋଇ, ଦୁଲଣା ବାଗ, କ୍ଷତିସୁତା ବାଗଙ୍କ ସହ ଅନେକ ହିତାଧିକାରୀ ରେଞ୍ଜରଙ୍କୁ ଲିଖିତ ଭାବେ ଅସନ୍ତୋଷ ଜଣାଇଥିଲେ ମଧ୍ୟ ପାଟଣାଗଡ଼ ଡିଭିଜନ ଭୁତିଆରବାହାଲ ରେଞ୍ଜରେ ଏହାର ବ୍ୟକିକ୍ରମ କରାଯାଇଛି । ଏନେଇ ରେଞ୍ଜରଙ୍କୁ ପଚାରିବାରୁ ସେ କହିଥିଲେ, ତୋଳାଳୀମାନଙ୍କ ୧୦ ଟଙ୍କିଆ ରସିଦ କାଟିବା ପାଇଁ ପ୍ରଥମେ ୨୦୧୮ଜୁନ ୩ଠ ଶେଷ ତାରିଖ ଥିଲା । ପୁଣି ଥରେ ଅକ୍ଟୋବର ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଅକ୍ଟୋବର ୩୧ ତାରିଖ ନୁହେଁ ଜୁନ ୩୦ତାରିଖ ଶେଷ ତାରିଖ ବୋଲି ନିର୍ଦ୍ଦେଶ ଆସିବାରୁ ସବୁ ବ୍ୟକିକ୍ରମ ହୋଇଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବୈଠକରେ ସବିଶେଷ ଆଲୋଚନା ପରେ ଦିଆଯିବ ବୋଲି ସେ କହିଛନ୍ତି । ଏଥିରୁ ପ୍ରଶ୍ନ ହେଉଛି ଯେ, ଅଧିକାରୀମାନେ ବାରମ୍ବାର ଶେଷ ତାରିଖ ପରିବର୍ତ୍ତନ କରୁଛଛି । ଫଳରେ ଗରିବ ଲୋକମାନେ ଆର୍ଥିକ ସହାୟତା ରାଶି ପାଇବାରେ ବିଳମ୍ବ ହେଉଛି । ତୁରନ୍ତ ହିତାଧିକାରୀଙ୍କୁ ସହାୟତା ଓ ଯୋଗାଇ ଦେବାକୁ ଦାବୀ ହେଉଛି।


ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଟିଟିଲାଗଡ଼ ଡିଭିଜନର ଦେଓଗାଁ ରେଞ୍ଜ ଅଧୀନରେ ଅଛି ୫ଟି ସେକ୍ସନ ଯଥା ଦେଓଗାଁ, ଉପରଝର, ଫଟାମୁଣ୍ଡା, ବରପଦର ଓ ଶିରାବାହାଲ ଅଧୀନରେ ୫୨ଟି ଗାଁରେ ୪୭୮୭ ଜଣ କେନ୍ଦୁପତ୍ର ତୋଳାଳୀ ରହିଛନ୍ତି । ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ ଆରମ୍ଭରୁ କରୋନା ମହାମାରୀ ପ୍ରଭାବ ଦେଖାଯାଇଥିବା ବେଳେ ଠିକ୍ କେନ୍ଦୁପତ୍ର ତୋଳିବା ଆରମ୍ଭରେ ଦେଓଗାଁ ଓ କଛାରପାଲିକୁ କଣ୍ଟନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ୧୭ଦିନ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ଦେଓଗାଁ, କଛାରପାଲି, ଜରାସିଂହା, ସାଲେପାଲି ଅଞ୍ଚଳର ପତ୍ର ତୋଳାଳୀ ପ୍ରଭାବିତ ହୋଇଥିଲେ । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ପତ୍ର ନଷ୍ଟ ହୋଇଥିଲା । ୨୦୧୮ ୧୯ରେ ୬୭ଲକ୍ଷ ୨୨ହଜାର ୨୭୦ କେରି କେନ୍ଦୁ ପତ୍ର କିଣାଯାଇଥିବା ବେଳେ ଚଳିତ ବର୍ଷ ୬୩ଲକ୍ଷ ୨୪ ହଜାର ୩୨୦ କେରି କେନ୍ଦୁପତ୍ର କ୍ରୟ ହୋଇଥିଲା । ସରକାର କେନ୍ଦୁପତ୍ର ଚଟା (ଶହେ ବିଡାରେ ଗୋଟିଏ ଚଟା) ପିଛା ୨୦ ଟଙ୍କା ବୃଦ୍ଧି କରିଥିବାରୁ ଶହେ ଟଙ୍କାରୁ ବୃଦ୍ଧି ପାଇ ୧୨୦ ଟଙ୍କା ହୋଇଛି । ମୋଟ ୫୨ଟି କେନ୍ଦ୍ର ପତ୍ର ଫଡ଼ି ମଧ୍ୟରୁ ୩୨ଟି କେନ୍ଦୁପତ୍ର ଫଡ଼ି ଘରକୁ ମରାମତି ପାଇଁ ୨୨ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିଥିବା ଜଣାପଡ଼ିଛି । ହେଲେ ମରାମତି ତାଲିକାରେ ଥିବା ଅନେକ ଫଡ଼ି ଘର ପାଣି ଗଳୁଥିବାରୁ ମରାମତି ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Leave A Reply

Your email address will not be published.