jayashree

କରାଟେରେ ମଗ୍ନ : ତମନ୍ନା

  • ଜିଲ୍ଲାସ୍ତରରୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି, ଲକ୍ଷ୍ୟ ଦେଶକୁ ପ୍ରତିନିଧିତ୍ଵ

ମ.ରାମପୁର, (ହେମନ୍ତ ସାହୁ) : କରାଟେରେ ନିଜକୁ ହଜେଇ ଦେଇଛନ୍ତି ତମନ୍ନା ମେହେର । ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅଟି ଜିଲ୍ଲା ସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜର ପ୍ରତିଭାର ପରିଚୟ ଦେଇ ସାରିଛନ୍ତି । ଏକାଧିକ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରି ଚର୍ଚ୍ଚାରେ ରହିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁରର ମୂଳ ନିବାସୀ ମାନ ଗୋବିନ୍ଦ ମେହେର ଓ ନିରୁପମା ମେହେରଙ୍କ ଏକ ମାତ୍ର ଝିଅ ତମନ୍ନା ସମ୍ପ୍ରତି ବଲାଙ୍ଗିରରେ ନିଜ ବାପା ମା’ଙ୍କ ସହିତ ରହି ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କରାଟେରେ ବ୍ଲାକ ବେଲ୍ଟ ଅଧିକାର କରି ସାରିଛନ୍ତି । ତେବେ ଏଇ କୁନି ଝିଅଙ୍କ କରାଟେରେ ପ୍ରବେଶ ପଛରେ ଏକ ସୁନ୍ଦର ଅନୁଭବ ରହିଛି । ପିଲାଦିନେ ତମନ୍ନାଙ୍କ ଦେହ ସବୁ ବେଳେ ଖରାପ୍ ରହୁଥିଲା ଥଣ୍ଡା, କାଶ, ଜ୍ଵର ଲାଗି ରହିଥାଏ । ବାପା ମା’ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ନେଇ ତାଙ୍କର ଚିକିତ୍ସା କରାଇଥିଲେ । ଠିକ୍ ଏହି ସମୟରେ ତାଙ୍କର ଗାନ୍ଧୀ ଷ୍ଟାଡିଅମ ନିକଟରେ ଥିବା କରାଟେ ସ୍କୁଲ୍‌ରେ ନାମ ଲେଖା ହୁଏ । କରାଟେ ପାଇଁ ପ୍ରଚୁର ବ୍ୟାୟାମ ଓ ଦୌଡ଼ିବାକୁ ପଡ଼େ । ଏହାର ପ୍ରଭାବରେ ଆଉ ତାଙ୍କ ଦେହ ଖରାପ ହେଲା ନାହିଁ । ଠିକ୍ ସେହି ବର୍ଷ (୨୦୧୮) ବଲାଙ୍ଗିର ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତାରେ ସେ ଦୁଇଟି ଗୋଲ୍ଡ ମେଡାଲ ପାଇଥିଲେ । ତା’ପରଠୁ ଆଉ ପଛକୁ ଫେରି ନାହାନ୍ତି ସେ । ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ସମୟରେ ଅନଲାଇନ୍ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ହାଇଦ୍ରାବାଦ, ତାମିଲନାଡୁ ଦ୍ଵାରା ଆୟୋଜିତ ଜାତୀୟ ସ୍ତରରେ ମଧ୍ୟ ଗୋଲ୍ଡ ମେଡାଲ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେହି ସମୟରେ ଶ୍ରୀଲଙ୍କାରେ ହୋଇଥିବା କରାଟେ ଚମ୍ପିୟାନସିପ୍‌ରେ ଦୁଇଟି ଗୋଲ୍ଡ ମେଡାଲ ପାଇଥିଲେ । ଓଡ଼ିଶା କରାଟେ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ କରାଟେ ଚମ୍ପିୟାନ ସିପ୍‌ରେ ଗୋଲ୍ଡ ମେଡାଲ ପାଇ ପୁନେଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ହାସଲ କରିଥିଲେ । ଗତ ଜୁଲାଇ ୨୯-୩୦ ତାରିଖ ଦୁଇ ଦିନ ଧରି କୋଲକାତାଠାରେ ଅନୁଷ୍ଠିତ ସପ୍ତମ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଉଭୟ କାତା ଓ କୁମୁତିରେ ସ୍ଵର୍ଣ୍ଣ ପଦକ ଜିତି ଅଞ୍ଚଳବାସୀଙ୍କ ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ । ତମନ୍ନା ମୁଖ୍ୟ କୋଚ ହୃଦୟ ଶବର ଓ ଆସିଷ୍ଟାଣ୍ଟ କୋଚ୍ ଚନ୍ଦ୍ର ଶେଖର ସେଠ୍‌ଙ୍କ ପାଖରୁ କରାଟେ ଶିକ୍ଷା ଗ୍ରହଣ କରୁଛନ୍ତି । ଭବିଷ୍ୟତରେ କଳାହାଣ୍ଡି ତଥା ମ.ରାମପୁର ଅଞ୍ଚଳରେ କରାଟେକୁ ପୁନର୍ଜୀବିତ କରିବା ସହ ମ. ରାମପୁରରେ ଏକ କରାଟେ ସ୍କୁଲ ଖୋଲିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି । ତେବେ ଆଗାମୀ ଦିନରେ ସେ ଦେଶ ପାଇଁ ପ୍ରତିନିଧିତ୍ଵ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କରି ଏଇ ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.