ଦହମୁଣ୍ଡା ଆଞ୍ଚଳିକ ସାଧନକେନ୍ଦ୍ରରେ ସୁରଭି କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା ସଭା ମଞ୍ଚ ପରିଚାଳନା କରିଥିବାବେଳେ, ଉଦ୍‌ଘାଟକ ତଥା ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ମଞ୍ଜୁରାଣୀ ବେହେରା, ମୁଖ୍ୟ ବକ୍ତାଭାବେ ନୀଳପୁରା ନାଟେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସପନ ଦେ, ବିଶିଷ୍ଟ ଅତିଥି ଭାବେ ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ବସୁମତି ପତି, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠି, ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ପ୍ରଧାନ, ଆରୁହାବୃତ୍ତି ନଂ ୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଗିରି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକାୟିତ ପ୍ରତିଭା ଉନ୍ମୋଚନ ପାଇଁ ସୁରଭି କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋଟ୍ ୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ଭାବେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ହସ୍ତକଳା, ଚିତ୍ରକଳା, ଗଣିତ ଖେଳ ଓ ବିତର୍କରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ଶିକ୍ଷକ ଦେବବ୍ରତ ଦେ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଞ୍ଚ ଆହ୍ୱାନ କରିଥିବାବେଳେ ଶିକ୍ଷକ ବନବିହାରୀ ସିଟ୍ ବେଦ ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ସି. ଆର୍‌. ସି. ସି. ପବନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରଷ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.