କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ୧୫ ଦିନ ପାଇଁ କରୋନା କଟକଣାକୁ କଡାକଡି କଲେ ଝାରସୁଗୁଡା ଜିଲ୍ଲା ପ୍ରଶାସନ

ଝାରସୁଗୁଡା : ୧୫ ଦିନ ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି କରୋନା କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ଆବଶ୍ୟକସ୍ଥଳେ ଏହି କଟକଣା ଆହୁରି ବୃଦ୍ଧି କରାଯିବ । ଏନେଇ ଆଜି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ସାମଲ କହିଛନ୍ତି ଝାରସୁଗୁଡାରେ କରୋନାକୁ ପ୍ରତିହତ କରିବା ପାଇଁ ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି । ତେଣୁ ଜିଲ୍ଲାବାସୀ ଘରୁ ବାହିରିଲେ ମାସ୍କ ବ୍ୟବହାର କରନ୍ତୁ, ସାମଜିକ ଦୂରତା ରକ୍ଷା କରନ୍ତୁ ଏବଂ ଅଯଥାରେ ଗହଳି ସୃଷ୍ଟି ନକରି କରୋନା ମୁକାବିଲା ପାଇଁ ସରକାର ଜାରି କରିଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରନ୍ତୁ । ଯଦି କେହି ଏହି ନିୟମକୁ ଉଲଙ୍ଘନ କରନ୍ତି ତେବେ ତାଙ୍କଠାରୁ ଫାଇନ ଆଦାୟ କରାଯିବାସହ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ କରାଯିବ । କରୋନାର ଦ୍ୱିତୀୟ ପବାହରୁ ଝାରସୁଗୁଡା ଜିଲ୍ଲାକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିମାନ ତଥା ରେଳ ଯୋଗେ ବାହାର ରାଜ୍ୟରୁ ଝାରସୁଗୁଡାକୁ ଆସୁଥିବା ବ୍ୟକ୍ତିଙ୍କର ପୁଣି ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସ୍ୱାବ ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିମାନ ବନ୍ଦରର ଟେକ୍ସି ଚାଳକଙ୍କୁ ତାଙ୍କ ଟେକ୍ସିରେ ସେପାରେଟରର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସୀମାନ୍ତ ଅଂଚଳକୁ ପଡୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ପାଇଁ ଆଶାକର୍ମୀ, ଅଙ୍ଗନବାଡି ଦିଦିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି କୋଭଡ ନିୟମକୁ ଯେପରି ଲୋକେ କଡାକଡି ଭାବରେ ପାଳନ କରିବେ ଏଥିପାଇଁ ମାଜିଷ୍ଟ୍ରେଟ ଏବଂ ପୁଲିସଦଳକୁ ନେଇ ୧୭ଟି ଟିମ ପ୍ରସ୍ତୁତ କରାଯାଇଛି । ଏହାସହ ବିଦ୍ୟାଳୟଗୁଡିକରେ କୋଭିଡ ନିମୟ ପାଳନକୁ କଡାକଡି କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷାକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାସହ କୌଣସି ସାମଜିକ କାର୍ୟ୍ୟ, ପୂଜାପାଠ ସମୟରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସେହିପରି ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ ଓ ଖଣି କର୍ତୁପକ୍ଷଙ୍କୁ ମଧ୍ୟ କୋଭିଡର ସମସ୍ତ ନିୟମକୁ ପାଳନ କରିବାସହବ ବାହାର ରାଜ୍ୟରୁ କେହି ଯଦି ତାଙ୍କ ଅନୁଷ୍ଠାନକୁ ଆସନ୍ତି ତେବେ ତୁରନ୍ତ ତାଙ୍କର ପଞ୍ଜିକରଣ କରାଇ ସ୍ୱାବ ପରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସାମଲ କହିଛନ୍ତି ।

Leave A Reply

Your email address will not be published.