jayashree

ଜଳସେଚନ ଦାବିରେ ଜାତୀୟ ରାଜପଥ ୨୬ ଅବରୋଧ, ପ୍ରତିଶ୍ରୁତି ପରେ ହଟିଲା ଅବରୋଧ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦଣ୍ଡପାଟ କୃଷକ ସଙ୍ଘ ପକ୍ଷରୁ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ ସହ ଧାରଣା ଦେଲେ କୋକସରା ଓ ଧର୍ମଗଡ଼ ବ୍ଲକର ୪ଟି ପଂଚାୟତର ଚାଷୀ । କୋକସରା ବ୍ଲକର ୩ଟି ପଞ୍ଚାୟତ ଡ଼ହଗାଁ, ମୂଷାପାଲି ଓ ଡାଲଗୁମା ଓ ଧର୍ମଗଡ଼ ବ୍ଲକର ତରାପୁର ପଞ୍ଚାୟତକୁ ରବି ଚାଷ ପାଇଁ ଜଳସେଚନ ପାଇଁ ଗତ ୨୧ ତାରିଖରେ ଚାଷୀମାନେ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ନଭେମ୍ବର ୨୭ ତାରିଖ ସୁଦ୍ଧା କୌଣସି ପ୍ରତିଶୃତି ନ ମିଳିଲେ ୨୮ରେ ରାସ୍ତା ଅବରୋଧ ସହ ଧାରଣା ଦେବାକୁ ଚାଷୀମାନେ ଚେତାବନୀ ଦେଇଥିଲେ । ତେବେ ମେଗାଲିଫ୍ଟ ବିଭାଗ ପକ୍ଷରୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ମଙ୍ଗଳବାର ସକାଳ ୧୧ ଘଣ୍ଟାରୁ ୪ଟି ପଂଚାୟତର ଚାଷୀ ଦଣ୍ଡପାଟ କୃଷକ ସଙ୍ଘର ଆବାହକ ଦିଗାମ୍ବର ଦୁରିଆ, ବିଜେପି ବରିଷ୍ଠ ନେତା ଜନାର୍ଦନ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କୋକସରା ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ଡହଗାଁ କୃଷି ସମବାୟ ସଭାପତି ବ୍ରଜରାଜ ନାଏକ, ତରାପୁର ସରପଞ୍ଚ ସନ୍ଦୀପ ସାହୁ, କଂଗ୍ରେସ ଯୁବନେତା ଡାକେଶ୍ୱର ଲହଜଳ, କଂଗ୍ରେସ ଯୁବ ରାଜ୍ୟ ସମ୍ପାଦକ ବେଣୁପାଣି ଦୁର୍ଗା, ବିଜେପି ନେତା ତ୍ରିନାଥ ଶବର, ଚାଷୀ ନେତା ଘନଶ୍ୟାମ ନାଏକ, ପୂର୍ବତନ ସରପଞ୍ଚ ଦୀପକପଣ୍ଡା, ମହେନ୍ଦ୍ର ଧରୁଆ, ଘନଶ୍ୟାମ ଜାଲଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରିଥିଲେ । ଏହାସହ ରବି ଜଳସେଚନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ କୋକସରା ପୋଲିସ ଆଇଆଇସି ରନିତା ପ୍ରଧାନ ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଂଚି ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା । ଚାଷୀ ମାନେ ନିଜ ଜିଦ୍‌ରେ ଅଡ଼ି ବସି ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଗାଡି ମଟର ସହ ଯାତ୍ରୀମାନେ ଅଟକି ରହିଥିଲେ । ଆନ୍ଦୋଳନର ଦୀର୍ଘ ୩ ଘଣ୍ଟା ପରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ୪ଟି ପଂଚାୟତର ପାଖାପାଖି ୩ ହଜାର ହେକ୍ଟରକୁ ଜଳସେଚନ ପାଇଁ ଫୋନ୍‌ରେ ପ୍ରତିଶ୍ରୁତି ଦେଇଥିଲେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀ । ଏହି ପ୍ରତିଶ୍ରୁତିକୁ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ଆନ୍ଦୋଳନରେ ଥିବା ଚାଷୀଙ୍କୁ କହିବା ସହ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply

Your email address will not be published.