ରସମୁଣ୍ତାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ରସମୁଣ୍ଡା ଗ୍ରାମରେ ସୋଲାର୍ ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ସତ, କିନ୍ତୁ ଦୀର୍ଘ ୨ ମାସରୁ ଅଧିକ ହେବ ଜଳ ଯୋଗାଣ ବନ୍ଦ ହୋଇଯିବା ଫଳରେ ଲୋକେ ପୋଖରୀ ତଥା ନଈନାଳର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଗନ୍ଧମାର୍ଦ୍ଦନ ପାହାଡ ପର୍ବତକୁ ଘେରି ରହିଥିବା ଉକ୍ତ ଗ୍ରାମଟି ବରଗଡ ଜିଲ୍ଲାର ମେଲେରିଆ ପ୍ରବଣ ଅଂଚଳ ଭାବେ ସଦାସର୍ବଦା ରହିଛି । ଏ ସମ୍ପର୍କରେ ଭେଙ୍ଗରାଜପୁର ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ୱାଳ ପାଇକମାଲ ବିଡିଓଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ବିଡିଓ ମହାଶୟ ଅଭିଯୋଗକୁ ଫୁ କରି ଉଡାଇ ଦେଇଛନ୍ତି । ଏପଟେ ଉକ୍ତ ପଂଚାୟତ ଅଧୀନସ୍ଥ ନାକଡିହି ଗ୍ରାମର କଲ୍ୟାଣ ମଣ୍ଡପ ନିକଟରେ ଥିବା ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ୨ମାସ ହେବ ବନ୍ଦ ହୋଇ ପଡିରହିଛି । ଏ ସମ୍ପର୍କରେ ମଧ୍ୟ ବିଡିଓ ମହାଶୟ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବା କୁହାଯାଇଛି । ଏସମ୍ପର୍କରେ ଆରଡବ୍‌ଲ୍ୟୁଏସ୍‌ଏସ୍‌ ବିଭାଗ ମଧ୍ୟ ଜାଣିଶୁଣି ଚେଇଁ ଶୋଇବାର ଅଭିନୟ କରି ଚାଲିଛନ୍ତି । କିଛି ମାସ ତଳେ ନାକଡିହି ଗ୍ରାମରେ ପ୍ରବଳ ଝାଡାବାନ୍ତିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ । ଏଣୁ ଯଦି ୧୫ ଦିନ ମଧ୍ୟରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସୁଚାରୁ ରୂପେ ପାନୀୟ ଜଳର ବ୍ୟବସ୍ଥା ନ କରନ୍ତି, ତେବେ ଏଠାକାର ପାଇକମାଲ ବ୍ଲକ ସମିତି ସଭ୍ୟ ବାଧ୍ୟ ହୋଇ ପାଇକମାଲ ବ୍ଲକ କାର୍ୟ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.