ଦଳିତ ହିଂସା : ସରକାରଙ୍କ ଯଥେଷ୍ଟ ଆଇନ ବ୍ୟବସ୍ଥା ସତ୍ତ୍ୱେ ଲାଗି ପାରୁନାହିଁ ଲଗାମ୍‌

ନୂଆଦିଲ୍ଲୀ : ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼, ଦଳିତ ଯୁବତୀଙ୍କ ସହ ବଳକ୍ରାର, ଦଳିତମାନଙ୍କୁ ମନ୍ଦିରରେ ପଶିବାକୁ ମନା…. ଏଭଳି ଅଗଣିତ ଜାତିଗତ ଉତ୍ପୀଡ଼ନ ଏବଂ ଭେଦଭାବ ସଂପର୍କୀତ ଖବର ଆଉ ନୂଆ ଭଳି ଲାଗୁନାହିଁ । ପ୍ରତ୍ୟହ କିଛି ନା କିଛି ଘଟଣା ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଛି । ସରକାରଙ୍କ ଯଥେଷ୍ଟ ଆଇନ ବ୍ୟବସ୍ଥା ଥାଇ ସୁଦ୍ଧା ଏଭଳି ଅମାନୁଷିକ ଉତ୍ପୀଡ଼ନରେ ଲଗାମ୍‌ ଲାଗି ପାରୁନାହିଁ, ଯାହା ନିଶ୍ଚୟ ମାନବ ସମାଜ ପାଇଁ ଘାତକ ପ୍ରମାଣିତ ହେବାକୁ ଯାଉଛି ।

ବିଗତ ଦିନରେ ଉତ୍ତର ପ୍ରଦେଶର ହାଥ୍‌ରସ୍‌ରେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ ସହ ଅମାନବୀୟ ତଥା ନୃଶଂସ ଗଣ ବଳକ୍ରାର ଏବଂ ହତ୍ୟା ଘଟଣା ଉପରୋକ୍ତ ଉତ୍ପୀଡ଼ନର ଏକ ନିଚ୍ଛକ ନମୂନା । ଏହି ଘଟଣା ପରେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପୁଣି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଉଛି, ସ୍ୱାଧୀନତାର ୭୩ ବର୍ଷ ପରେ ବି ଦଳିତ ଜନସାଧାରଣ ସମାନତା ପାଇଁ ଦେଶରେ ସଂଘର୍ଷ କରୁଛନ୍ତି ।

ପ୍ରତିବର୍ଷ କିଛି ନା କିଛି ଏଭଳି ଘଟଣା ଘଟେ, ଯାହା ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରର କଥା ସ୍ପଷ୍ଟ ଭାବରେ କୁହେ । ଏହି ବିଷୟରେ ସ୍ପଷ୍ଟତା ଆଣେ ରାଷ୍ଟ୍ରୀୟ ଅପରାଧ ରେକଡର଼୍ ବ୍ୟୁରୋ(ଏନ୍‌ସିଆର୍‌ବି)ର ତାଜା ଆକଳନ । ଏହି ଆକଳନରୁ ଆହୁରି ସ୍ପଷ୍ଟ ଜଣାପଡେ଼ ଯେ, ଦଳିତମାନଙ୍କ ଉପରେ ଅତ୍ୟାଚାର କମିବା ବଦଳରେ ବଢ଼ିବାକୁ ଲାଗିଛି ।

ଏନ୍‌ସିଆର୍‌ବି ଦ୍ୱାରା ଭାରତରେ ୨୦୧୯ର ଅପରାଧ ଆକଳନ ଜାରି କରାଯାଇଛି । ଏହି ଆକଳନ ଅନୁସାରେ ଅନୁସୂଚୀତ ଜାତିର ଜନସାଧାରଣଙ୍କ ଉପରେ ଅପରାଧ ମାମଲା ୨୦୧୯ରେ ୭.୩ ପ୍ରତିଶ୍ରତ ବୃଦ୍ଧି ପାଇଛି । ୨୦୧୮ରେ ୪୨,୭୯୩ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୨୦୧୯ରେ ୪୫,୯୩୫ଟି ମାମଲା ରୁଜ୍ଜୁ ହୋଇଛି । ଏଥିରେ ସମାନ୍ୟ ଗଣ୍ଡଗୋଳରେ ୧୩,୨୭୩ ମାମଲା ରହିଥିବା ବେଳେ ଅନୁସୂଚୀତ ଜାତି/ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅଧୀନରେ ୪,୧୨୯ ଏବଂ ଦୁଷ୍କର୍ମରେ ୩,୪୮୬ ମାମଲା ରୁଜ୍ଜୁ ହୋଇଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟଗୁଡ଼ିକ ଭିତରେ ସବୁଠୁ ଅଧିକ ୨୩୭୮ଟି ଏଭଳି ମାମଲା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏବଂ ସବୁଠୁ କମ୍‌ ଗୋଟିଏ ମାମଲା ମଧ୍ୟପ୍ରଦେଶରେ ଦର୍ଜ ହୋଇଛି । ଅନ୍ୟପକ୍ଷରେ ଜାମ୍ମୁ, କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଏସ୍‌ସି/ଏସ୍‌ଟି ଅଧିନିୟମରେ ଗୁଡ଼ାଏ ମାମଲା ଦର୍ଜ କରାଯାଇନାହିଁ । ତେବେ ଅନୁସୂଚୀତ ଜନଜାତି ଲୋକମାନଙ୍କ ବିରୋଧରେ ୨୦୧୯ରେ ୨୬.୫ ପ୍ରତିଶତ ଘଟଣା ବୃଦ୍ଧି ପାଇଛି । ୨୦୧୮ରେ ୬,୫୨୮ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୧୯ରେ ୮,୨୫୭ଟି ମାମଲା ଲୋକଲୋଚନକୁ ଆସିଛି ।

ତେବେ ଦଳିତ ହିଂସାରେ ଲଗାମ୍‌ ଲାଗିବ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ସରକାରଙ୍କ ଯଥେଷ୍ଟ ଆଇନ ବ୍ୟବସ୍ଥା କେଉଁ କାମରେ ଆସୁଛି ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.