ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସହରର ୨୫ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିଲ ସେଣ୍ଟର ଠାରେ ପ୍ରତ୍ୟହ ସନ୍ଧ୍ୟା ୬ଟା ୧୫ରେ ଆରମ୍ଭ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେକ୍ଟର ୮ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏକତ୍ରର ସଭାପତି ରାଜୀବ ପାଣି, ସାଧାରଣ ସମ୍ପାଦକ ସୁଦେଶ ନାୟକ, ଉପଦେଷ୍ଟା ଡ ।. କୃପାସିନ୍ଧୁ ନାୟକ, କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଡ଼ଃ. ସୁମନ ଦତ୍ତ, ଶରତ ଦାସ, ଆବାହକ କୈଳାଶ ପାଣିଗ୍ରାହୀ, ସ୍ୱତନ୍ତ୍ର ଅତିଥି ଜର୍ଜ ତିର୍କୀ ଓ ଅନ୍ୟମାନେ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ୨ ତାରିଖ ଦିନ ସ୍ପନ୍ଦନ ପ୍ରାୟୋଜିତ ନାଟ୍ୟକାର ତଥା ନିର୍ଦ୍ଦେଶକ ଡଃ ସମର ମୁଦାଲିଙ୍କ ନାଟକ ପ୍ୟୁପା, ୩ ତାରିଖ ଦିନ ନାୟିକା ରାଉରକେଲାର ନାଟ୍ୟକାର ଓ ନିର୍ଦ୍ଦେଶିକା କନକଲତା ଦାସଙ୍କ ନାଟକ ଶୂନ୍ୟତା ତଥା ଉପହାର ପ୍ରାୟୋଜିତ ନାଟ୍ୟକାର ସୂର୍ଯ୍ୟକାନ୍ତ ସାହୁ ଓ ନିର୍ଦ୍ଦେଶକ ସଚ୍ଚି ସାହୁଙ୍କ ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ ହେବ । ୪ ତାରିଖ ଦିନ ନାଟ୍ୟାନୁଷ୍ଠାନ ଦି ବିଲିଭର ତରଫରୁ ନାଟ୍ୟକାର ସ୍ୱର୍ଗତ ନୀଳକଣ୍ଠ ମହାନ୍ତି ଓ ନିର୍ଦ୍ଦେଶକ ଚିନ୍ମୟ ତ୍ରିପାଠୀଙ୍କ ନାଟକ ଧନୁଯାତ୍ରା ଓ ଦ୍ୱିତୀୟରେ କୋଶଳ ନାଟ୍ୟ ପରିଷଦର ନାଟ୍ୟକାର ଓ ନିର୍ଦ୍ଦେଶକ ଗୌତମ ମହାନନ୍ଦଙ୍କ ନାଟକ ଦାଦନ, ୫ ତାରିଖରେ ନାଟ୍ୟାନୁଷ୍ଠାନ ପ୍ରତିଧ୍ଵନିର ନାଟ୍ୟକାର ଡ଼ଃ. ପ୍ରଦୀପ ଭୌମିକ ଓ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନାଟକ ଖାଣ୍ଟିସୁନା ତଥା ଦ୍ୱିତୀୟରେ ନାଟ୍ୟାନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ତରଫରୁ ନାଟ୍ୟକାର ସୁନିଲ ରାଜ ଓ ନିର୍ଦ୍ଦେଶକ ପ୍ରବୀର କୁମାର ଜେନାଙ୍କ ନାଟକ ସମ୍ବୋଧନ ପରିବେଷଣ ହେବ । ୬ ତାରିଖ ଦିନ ସଂକଳ୍ପର ନାଟ୍ୟକାର ପ୍ରଭାକର ପାତ୍ର ଓ ନିର୍ଦ୍ଦେଶକ କୁଞ୍ଜନଲାଲ ବୋଷଙ୍କ ନାଟକ ଏମିତି ବି ହୁଏ ତଥା ଦ୍ୱିତୀୟରେ ଆମେ ନାଟୁଆ ନାଟ୍ୟନୁଷ୍ଠାନ ତରଫରୁ ନାଟ୍ୟକାର ଓ ନିର୍ଦ୍ଦେଶକ ଗଙ୍ଗାଧର ଜେନାଙ୍କ ନାଟକ ଅନ୍ୟ ଆକାଶ ପରିବେଷଣ କରାଯିବ । ୭ ତାରିଖ ଦିନ ରଙ୍ଗମଞ୍ଚ ପ୍ରାୟୋଜିତ ନାଟ୍ୟକାର ଡଃ. ପଞ୍ଚାନନ ପାତ୍ର ଓ ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀ ନିର୍ଦ୍ଦେଶିତ ନାଟକ ଜୀବନ ଯେମିତି, ୮ ତାରିଖରେ ସମ୍ପର୍କ ପ୍ରାୟୋଜିତ, ନାଟ୍ୟକାର ସ୍ୱର୍ଗତ ମନୋରଞ୍ଜନ ଦାସ ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ଜନ୍ମମାଟି ପରିବେଷଣ କରାଯିବ । ୯ ତାରିଖ ଦିନ ପ୍ରୟାସ ପ୍ରାୟୋଜିତ ନାଟ୍ୟକାର ଡଃ. ନିବେଦିତା ଜେନା ଓ ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶିତ ନାଟକ ଗିରଫ,୧୦ ତାରିଖ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ପ୍ରାୟୋଜିତ ନାଟ୍ୟକାର ଓ ନିର୍ଦ୍ଦେଶକ ବିଲୋଚନ ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ହନୁର ଲାଞ୍ଜ, ୧୧ ତାରିଖ ଦିନ ନାଟ୍ୟାନୁଷ୍ଠାନ ମହୁମାଛି ପ୍ରାୟୋଜିତ ନାଟ୍ୟକାର ସ୍ୱର୍ଗତ ଦେବାଶିଷ ବାନାର୍ଜୀ ଓ ନିର୍ଦ୍ଦେଶକ ଆଲୋକ ବୋଷଙ୍କ ନାଟକ ଆବିଷ୍କାର ବିଭ୍ରାଟ ତଥା ଦ୍ୱିତୀୟରେ ତିତିଲି ଫାଉଣ୍ଡେସନ ତରଫରୁ ନାଟ୍ୟକାର ମୋହିତ ଚାଟାର୍ଜୀ ଓ ନିର୍ଦ୍ଦେଶକ ପଲ୍ଲବ ଚାଟାର୍ଜୀଙ୍କ ନାଟକ ଡବା ପରିବେଷଣ କରାଯିବ । ଅନ୍ତିମ ଦିବସ ୧୨ତାରିଖ ଦିନ ସ୍ୱସ୍ତି ଝଙ୍କାରର ନାଟ୍ୟକାର ଡଃ. ସୁଧାଂଶୁ ନାୟକ ଓ ନିର୍ଦ୍ଦେଶକ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ନାଟକ ବିଶ୍ୱାସର ଆତ୍ମଲିପି ପରିବେଷଣ କରାଯିବ । ସେହିଦିନ ଉଦ୍ଯାପନୀ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଛି । ତେଣୁ ନାଟ୍ୟପ୍ରେମୀ ତଥା ସହରବାସୀ ବହୁ ସଂଖ୍ୟାରେ ଏହି ନାଟକ ଗୁଡିକୁ ଉପଭୋଗ କରିବା ସଂଗେ ସଂଗେ ଅଭିନେତାମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ନାଟ୍ୟପ୍ରେମୀ ପ୍ରଦୀପ କୁମାର ନାୟକ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଜ୍ଞାନନ୍ଦ ମହାନ୍ତି, ସୁରେନ୍ଦ୍ର ପାଢ଼ୀ, ବିଜୟ କୁମାର ପାତ୍ର, ଅକ୍ଷୟ ଧଳ, ସରୋଜ ଶଙ୍ଖୁଆ, ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post