ସୋର : ପାରିବାରିକ କଳହରୁ ପୁଅକୁ ହତ୍ୟା କରିଦେଲା ବାପା । ମାଆ ଏବଂ ବାପାଙ୍କ ଝଗଡ଼ାରେ ବଳିପଡିଲା ପୁଅ । ନିଶାସକ୍ତ ଅବସ୍ଥାରେ ନାବାଳକ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ନୃଶଂସ ବାପା । ବାଲେଶ୍ୱର ଜିଲ୍ଲା ଔପଦା ଥାନା ନରମା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଖବର ଅନୁସାରେ ବିଳମ୍ବିତ ରାତିରେ ବାପା ଯୋଗେନ୍ଦ୍ର ସିଂ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲା । ଘରେ ପହଞ୍ଚି ସ୍ତ୍ରୀ ମୁନି ସିଂଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲା । ପାଟି ଶୁଣି ନାବାଳକ ପୁଅ ରାଜେଶ ଆସି ବାପା ମାଆଙ୍କ ଝଗଡ଼ା ହେଉଥିବା ଦେଖିଥିଲା । ଏହା ଦେଖି ପୁଅଟି ବାପାଙ୍କୁ ବିରୋଧ କରିଥିଲା । ଏଥିରେ ରାଗି ଯାଇ ବାପା ଯୋଗେନ୍ଦ୍ର ସିଂ ଏକ ଛୁରୀ ଆଣି ପୁଅ ଛାତିରେ ଭୁସି ଦେଇଥିଲା । ଯାହାଫଳରେ ରାଜେଶ ଗୁରୁତର ହୋଇପଡ଼ିଥିଲା । ଯାହାପରେ ଭଉଣୀ ଏବଂ ପଡ଼ୋଶୀ ରାଜେଶଙ୍କୁ ଗୁରୁତର ଅବସ୍ଥାରେ ଔପଦା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ନଥିବାରୁ ରାଜେଶକୁ ସୋର ଡାକ୍ତରଖାନା ନେବାକୁ ପରିବାର ଲୋକ ଭାବିଥିଲେ । ହେଲେ ଠିକଣା ସମୟରେ ଆମ୍ବୁଲାନ୍ସ ମିଳିନଥିଲା । ଶେଷରେ ଏକ ବରଯାତ୍ରୀ ଗାଡ଼ିରେ ରାଜେଶଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତ ବାପା ଯୋଗେନ୍ଦ୍ର ସିଂକୁ ଅଟକ ରଖି ଜେରା କରୁଛି ପୋଲିସ ।