ଅଭାବନୀୟ ଘଟଣା : ଘର ଭିତରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ : ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚନ୍ଦ୍ରଶେଖରନଗର ପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଏଲ୍‌ଆଇସି ଅଫିସ ପଛପଟ ଗଳିରେ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ତାଙ୍କ ଘର ଭିତରୁ ମିଳିଛି । ତେବେ ସ୍ୱାମୀଙ୍କ ମୃତ ଦେହ ଶୋଇଥିବା ଅବସ୍ଥାରେ ରହିଥିବା ବେଳେ ସ୍ତ୍ରୀଙ୍କ ମୃତ ଦେହ ଝରକାରେ ଝୁଲୁଥିବାର ଦେଖିବାକୁ ମିଳିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ମୃତ ବୃଦ୍ଧ ଦମ୍ପତ୍ତି ହେଲେ ବଲାଙ୍ଗିର ସଦର ବ୍ଲକ୍‌ କୁଡ଼ାସିଂଗା ଗାଁର ୮୨ ବର୍ଷ ବୟସ୍କ ବୃନ୍ଦାବନ ସାହୁ ଏବଂ ତାଙ୍କ ପତ୍ନୀ ୮୦ ବର୍ଷ ବୟସ୍କା ନିରାଶ ସାହୁ । ସନ୍ତାନ ସନ୍ତତି କେହି ନଥିବାରୁ ଗତ ଦୁଇ ତିନି ବର୍ଷ ହେଲା ସ୍ୱାମୀ ସ୍ତ୍ରୀ ଦୁହେଁ ବଲାଙ୍ଗିର ଆସି ଚନ୍ଦ୍ରଶେଖରନଗରରେ ଥିବା ଜଣେ ସଂପର୍କୀୟଙ୍କ ଘର ପାଖରେ ରାଜସ୍ୱ ବିଭାଗର ଖାଲି ପଡ଼ିଥିବା ଏକ ପୁରୁଣା ଘରେ ରହୁଥିଲେ । ଗତବର୍ଷ ଠାରୁ ଏଇ ଅଂଚଳରେ ଭିକ ମାଗି ଚଳୁଥିଲେ ବୃଦ୍ଧ ଦମ୍ପତ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଆଜି ସକାଳୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବଲାଙ୍ଗିର ଆଦର୍ଶ ଟାଉନ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.