oom

ସମସ୍ୟା ବହୁଳ ଗୋଠପଡାରେ ପହଞ୍ଚିଲେ ନରସିଂହ : ତୁରନ୍ତ ବିଜୁଳି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ, ବର୍ଷା ପରେ ନିର୍ମାଣ ହେବ ସ୍ଥାୟୀ ରାସ୍ତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳର ୧୭ ନଂ. ୱାର୍ଡର ବିଷ୍ଣୁମୁଣ୍ଡା ନିକଟସ୍ଥ ଗୋଠପଡାକୁ ଆଜି ବିଧାୟକ ନରସିଂହ ମିଶ୍ର ସେଠାକର ଲୋକଙ୍କର ସମସ୍ୟା ଶୁଣିବା ପାଇଁ ପହଞ୍ଚିଥିଲେ । ଝିପି ଝିପି ବର୍ଷା ସତ୍ୱେ ଶ୍ରୀ ମିଶ୍ର ଗୋଠପଡାକୁ ଯାଇ ସେଠାରେ ଥିବା ଗରିବ ଶ୍ରେଣୀର ଲୋକଙ୍କ ନିତି ଦିନିଆଁ ସମସ୍ୟା ଯଥା ରାସ୍ତା, ପିଇବା ପାଣି ଓ ବିଜୁଳି ସମସ୍ୟା ବାବଦରେ ମହିଳା ଓ ପୁରୁଷମାନଙ୍କ ଠାରୁ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏଠାରେ ମୁଖ୍ୟତଃ ଅତି ଗରିବ ତଥା ଦଳିତ ଶ୍ରେଣୀର ଲୋକେ ବସବାସ କରୁଥିବାରୁ ଏମାନଙ୍କ ସ୍ୱର ପ୍ରଶାସନ ପାଖରେ ପହଞ୍ଚିପାରୁ ନାହିଁ । ପଡାକୁ ଥିବା କଚ୍ଚା ରାସ୍ତା ଝିପି ଝିପି ବର୍ଷାରେ ପାଦଚଲା ଅବସ୍ଥାରେ ମଧ୍ୟ ନାହିଁ । ପଡାର ସବୁ ଅଂଚଳରେ ବିଜୁଳି ଖୁଣ୍ଟ ପୋତା ଯାଇଥିଲେ ହେଁ କୌଣସି ଖୁଣ୍ଟରେ ଷ୍ଟ୍ରିଟ ଲାଇଟ ଟିଏ ନାହିଁ । ପଡାରେ ପିଇବା ପାଇଁ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣି ଟାଙ୍କି କାମ ନିର୍ମାଣ ହୋଇ ପାଇପ ବିଛା କାମ ସରିଛି କିନ୍ତୁ ଗାଁରେ କୌଣସି ଜାଗାରେ ଷ୍ଟାଣ୍ଡ ପୋଷ୍ଟ ଟିଏ ନାହିଁ । ପୌରାଞ୍ଚଳରେ ଥିଲେ ମଧ୍ୟ ଏହି ଅଂଚଳକୁ ପୌରାଞ୍ଚଳ ତରଫରୁ ସବୁବେଳେ ଅଣଦେଖା କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅତି କ୍ଷୋଭର ସହ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଥିଲେ । ଏସବୁ ଆପତ୍ତି ଶୁଣି ସେଠାରେ ଥିବା ଲାଇଟ ଖୁଣ୍ଟ ଗୁଡିକରେ ଶୀଘ୍ର ଲାଇଟ ଲଗେଇବା ଏବଂ ବର୍ଷା ଯୋଗୁଁ ଖରାପ କଚ୍ଚା ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ପୌରଅଧିକାରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଷା ପରେ ବିଷ୍ଣୁମୁଣ୍ଡାରୁ ଗୋଠପଡା ପର୍ଯ୍ୟନ୍ତ ରାସ୍ତାକୁ ସ୍ଥାୟୀ ଭାବରେ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ । ଠିକ ସେହିପରି ପାନୀୟ ଜଳ ପାଇଁ ପାଇପ ବିଛା ସରିଥିଲେ ମଧ୍ୟ ପଡାର ବିଭିନ୍ନ ଅଂଚଳରେ ଷ୍ଟେଣ୍ଡ ପୋଷ୍ଟ ତଥା ଗୋଠପଡାର ପ୍ରତ୍ୟେକ ଗରିବ ପରିବାରକୁ ବିନା ମୂଲ୍ୟରେ ପାଇପ ପାଣି ଯୋଗାଇ ଦେବାକୁ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଏହି ପଡାରେ ଅନେକ ଗରିବ ଭୂମିହୀନ ପରିବାର ଥିବାରୁ, ସେମାନଙ୍କ ଦାବୀ ମୁତାବକ ବିନା ମୂଲ୍ୟରେ ଜମି ଓ ବାସଗୃହ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ଅଂଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଗସ୍ତରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ନଗର ସଭାପତି ବୁଲୁ ଦାନୀ, ଚନ୍ଦ୍ରମଣୀ ତ୍ରିପାଠୀ, ଲୋପନ ମିଶ୍ର, ସଞ୍ଜୟ ମିଶ୍ର ଓ ବୁଲୁ ବେହେରା ସମେତ ଗୋଠପଡାର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.