centurian jitm

ବାରିପଦାରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ -୨୦୨୫ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦାରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ -୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୮ଟା ସମୟରେ ବାରିପଦା କ୍ଲବରେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ଓ ରେଡକ୍ରସର ସଦସ୍ୟ ବୃନ୍ଦଙ୍କ ମିଳିତ ସହଯୋଗରେ ଜିଲ୍ଲା ରକ୍ତକେନ୍ଦ୍ରର ଅଧିକାରୀ ଡ଼. ସୌମ୍ୟ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ବାରିପଦା ଉପଜିଲ୍ଲାପାଳ ଡ଼.ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଶ୍ରଦ୍ଧା ସୁମନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଉକ୍ତ ରକ୍ତଦାନ ଦାନ ଶିବିରରେ ୮ ଜଣ ମହିଳାଙ୍କ ସମେତ ସମୁଦାୟ ୫୯ ଜଣ ରକ୍ତଦାନ କରିଥିଲେ । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଇଣ୍ଡିଆନ ରେଡକ୍ରସ ସୋସାଇଟି, ଜିଲ୍ଲା ଶାଖା, ମୟୁରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଶ୍ରଦ୍ଧା ସୁମନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବିଶିଷ୍ଠ ଅତିଥି ଭାବେ ବରିଷ୍ଠ ସାଧନ କର୍ମୀ ତଥା ଇଣ୍ଡିଆନ ରେଡକ୍ରସ ସୋସାଇଟି, ଜିଲ୍ଲା ଶାଖା, ମୟୁରଭଞ୍ଜର ଭାଇସ ପାଟ୍ରୋନ ଡ଼. ରମାକାନ୍ତ ମହାନ୍ତ ଏବଂ ସ୍ୱତନ୍ତ ଅତିଥି ଭାବେ ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ରେଡକ୍ରସର ପ୍ରତିଷ୍ଠାତା ସାର ଜିନ ହେନେରୀ ଡୁନାଣ୍ଟଙ୍କ ଫୋଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକ୍ଟର ଶ୍ରୀମତୀ ଶ୍ରଦ୍ଧା ସୁମନ ସ୍ୱାଗତ ଅଭିଭାଷଣ ପ୍ରଦାନ ସହିତ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବିଶ୍ୱରେ ରେଡକ୍ରସ ହେଉଛି ସର୍ବଶ୍ରେଷ୍ଠ ସେବା ପ୍ରଦାନକାରୀ ସଂସ୍ଥା, ଏହି ସଂସ୍ଥାର ସେବା ଯୋଗାଇବାର ପରିଧି ସାରା ବିଶ୍ୱରେ ପରିବ୍ୟାପ୍ତ, କାରଣ ଏହାର କାର୍ଯ୍ୟ କେବଳ ରକ୍ତଦାନରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ଯେମିତି କି ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଆକସ୍ମିକ ଦୁର୍ଘଟଣା ହେଉ ବା ଯୁଦ୍ଧ ବିଭୀଷିକା ହେଉ ଯଦି କେହି ଅସୁବିଧାରେ ପଡୁଛି ତାଙ୍କୁ ସାହାଯ୍ୟ ଓ ସେବା ଯୋଗାଇବା ହେଉଛି ଏହାର ଧର୍ମ । ତେଣୁ ସ୍ଵେଚ୍ଛାକୃତ ଭାବେ ନିଜ ପାର୍ଶ୍ୱରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଜିର ଦିବସରେ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ସେହିପରି ସମ୍ମାନିତ ଅତିଥି ଶ୍ରୀ ମଲ୍ଲିକ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ଓ ବିଶ୍ୱ ବନ୍ଧୁତା ହେଉଛି ରେଡକ୍ରସର ମୂଳଲକ୍ଷ୍ୟ । ସମସ୍ତଙ୍କ ଜୀବନ ମୂଲ୍ୟବାନ । ବହୁ ସମୟରେ ଏହି ମୂଲ୍ୟବାନ ଜୀବନକୁ ବଞ୍ଚାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼େ । ସମ୍ପ୍ରତି ଦେଶରେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଥିବାରୁ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଯୁବ ସମାଜ ତଥା ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ବିଶିଷ୍ଠ ଅତିଥି ଡ଼. ମହାନ୍ତ ସମ୍ପ୍ରତି ଦେଖା ଦେଇଥିବା ବାୟୁ ପ୍ରଦ୍ୟୁଷଣ ଏବଂ ଖାଦ୍ୟ ପ୍ରଦ୍ୟୁଷଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାଦେୟ ମୂଳକ ଟିପ୍ସ ଉଲ୍ଲେଖ କରିଥିଲେ । ପରିବେଶବିତ୍‌ ତଥା ରେଡକ୍ରସର ଆଜୀବନ ସଦସ୍ୟ ଶ୍ରୀ ପଟ୍ଟନାୟକ, ପରିବେଶକୁ ସୁରକ୍ଷା କରିବା ପାଇଁ ଉତ୍ତମ ମାନସିକତା ସହ ଉପଯୁକ୍ତ ଗଛ ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବା ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ରେଡକ୍ରସର ଆଜୀବନ ସଦସ୍ୟ ଦୀପକ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପଦାଧିକାରୀ, ସ୍ୱେଚ୍ଛାସେବୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସମେତ ରେଡକ୍ରସର ଆଜୀବନ ସଦସ୍ୟ ଅମର କୁମାର ସେଠୀ, ଶଶଧର ବିଶ୍ୱାଳ, ବଳରାମ ନାଥ, ଭାସ୍ୱତୀ ବାରିକ, ପେଟ୍ରୋନ ସୁବାସ ସାହୁ, ବିମ୍ବାଧର ସାହୁ, ନାରାୟଣ ପଦାର, କିଚକ ବେହେରା, ସତ୍ୟବ୍ରତ ଦାଶ, ସଞ୍ଜୟ କୁମାର ପଟ୍ଟନାୟକ, ସଞ୍ଜୟ ଦ୍ୱାରି, ରବୀନ୍ଦ୍ରନାଥ ଦାଶ, ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ରୁଚିକା ଖୁରାନା, ଛବି ମହାନ୍ତ, ଶକୁନ୍ତଳା ମହାନ୍ତ, ସୁକୁଲ ହେମ୍ବ୍ରମ, କରୁଣାକର ଜେନା ଓ ରବି ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.