ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉଭୟଙ୍କୁ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି ବିଶାଲ କନଓ୍ବର ସିଂ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସେବାୟତମାନେ ସ୍ବାଗତ ଜଣାଇଥିଲେ । ୫-ଟି ସଚିବ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସେବାୟତମାନେ ମହାପ୍ରଭୁଙ୍କଲାଗି ଖଣ୍ଡୁଆ ଦେଇ ସମ୍ବର୍ଦ୍ଧିତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଦୁହେଁ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ । ଭିତର ବେଢ଼ାରେ ଥିବା ପାର୍ଶ୍ୱଦେବଦେବୀଙ୍କୁ ଦର୍ଶନ କରିବା ସହ କିଛି ସମୟ ବିତାଇବା ପରେ ଫେରିଥିଲେ । ଏହି ଅବସରରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦାସ କହିଥିଲେ, ମହାପ୍ରଭୁ ତାଙ୍କ କାର୍ୟ୍ୟ କରୁଛନ୍ତି, ଆମେ କିଛି ନୁହଁ । ମହାପ୍ରଭୁଙ୍କ ମାର୍ଗଦର୍ଶନରେ ହିଁ ସମସ୍ତ କାର୍ଯ୍ୟ ହେଉଛି । ସେ ହେଉଛନ୍ତି ଭକ୍ତର ଭଗବାନ । ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଖୁବ୍‌ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ । କେହି ଏହାକୁ ଅଟକାଇ ପାରିବେନି ବୋଲି ଦାସ ପ୍ରକାଶ କରିଥିଲେ ।

Leave A Reply

Your email address will not be published.