ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଇସ୍ପାତ ସହର ରାଉରକେଲାର ଏକ ପୁରାତନ କଲେଜ । ୧୯୬୬ ମସିହାରୁ ସ୍ଥାପିତ ଏହି କଲେଜ ଇଭିନିଙ୍ଗ କଲେଜ ବା ସାଂଧ୍ୟ୍ୟ ମହାବିଦ୍ୟାଳୟ ଭାବେ ପରିଚିତ । କାରଣ ସାଧାରଣରେ ଆର୍ଏସ୍ପି ଓ ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଦିନବେଳେ ପାଠ ପଢିବା ପାଇଁ ସୁବିଧା ହେଉନଥିବା ବେଳେ ଏହି କଲେଜରେ ସଂଧ୍ୟା ସମୟରେ ନାମ ଲେଖାଇ ପାଠ ପଢିବାର ସୁଯୋଗ ମିଳୁଥିଲା । ୨୦୧୪-୧୫ ଶିକ୍ଷା ବର୍ଷରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେକ୍ଟର -୭ର ଏନ୍ଏସି କଲେଜକୁ ରାଉରକେଲା କଲେଜ ସହ ମିଶ୍ରଣ କରିଦିଆଗଲା । ତା’ପରଠାରୁ ସେକ୍ଟର ୪ କଲେଜରେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ କଳା ଓ ବାଣିଜ୍ୟର ସ୍ନାତକୋତ୍ତର ଡିଗ୍ରୀ ଚାଲୁଥିବା ବେଳେ ସେକ୍ଟର -୭ ବିଲଡିଂରେ ବିଜ୍ଞାନ ପାଠପଢ଼ା ହୋଇଆସୁଛି । ଉଭୟ କଲେଜ ବିଲଡିଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିନରେ ଥିବା ବେଳେ କଲେଜର ନିଜସ୍ଵ ଜମି ନଥିବାରୁ ଗ୍ରାଣ୍ଟ ଈନ୍ ଆଡ ଓ ୟୁଜିସି ମାଧ୍ୟମରେ କଲେଜର ଉନ୍ନତି ପାଇଁ କୌଣସି ଫଣ୍ଡ ମିଳିପାରିନାହିଁ । କଲେଜ ସଂପ୍ରସାରଣରେ ଆର୍ଏସ୍ପି କର୍ତ୍ତୃପକ୍ଷ ଅଯଥା ହସ୍ତକ୍ଷେପ ଉଭୟ କଲେଜ ଓ ଛାତ୍ରଛାତ୍ରୀଙ୍କୁ ପରିଣାମ ଭୋଗିବାକୁ ପଡୁଛି । ତେଣୁ ଏ ଦିଗରେ ତୁରନ୍ତ ଜମି ହସ୍ତାନ୍ତର ପକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଜି ସମାଜସେବୀ ପ୍ରଶାନ୍ତ ସେଠୀ ତାଙ୍କ ସମର୍ଥକଙ୍କ ସହ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରର ନକଲ ୫ଟି ସଚିବ, ସେଲ୍ ଅଧ୍ୟକ୍ଷ ନୂଆଦିଲ୍ଲୀ, ଆର୍ଏସ୍ପି ଡିଆଇଜି ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପଠାଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ଆର୍ଏସ୍ପି ପ୍ରଶାସନ ପକ୍ଷରୁ ରାଉରକେଲା କଲେଜ ସମେତ ଅନ୍ୟାନ୍ୟ କଲେଜ ଓ ସ୍କୁଲର ଜମିର ମାପଚୁପ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରି ସେଲ୍ ଅଧ୍ୟକ୍ଷଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପଠାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଜଣାଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୀମାଞ୍ଚଳ ଖଣ୍ଡୁଆଳ, ବିଶ୍ବ ରଞ୍ଜନ ରାଉତ, ଜିତେନ ମାଛଖଣ୍ଡ, ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Next Post