jayashree

ଖମନଖୋଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଲକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ । ଖମନଖୋଲ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୩ଟି ପଞ୍ଚାୟତବାସୀ ସହ ସୀମାନ୍ତ ଜିଲ୍ଲାର ଗ୍ରାମବାସୀ ନିର୍ଭର କରିଥାନ୍ତି । କିନ୍ତୁ ଏହି ଚିକିତ୍ସାଳୟରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କିମ୍ବା ବାରଖମା ଗୋଷ୍ଠୀ ଚିକିତ୍ସାଳୟକୁ ଆସିବାକୁ କୌଣସି ସୁବିଧା ନାହିଁ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାଲିଗୁଡା ଚିକିତ୍ସାଳୟକୁ ୪୦ କିମି ଓ ବାରଖମା ୩୦ କିମି ଦୂର । ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଅଧିକାଂଶ ଲୋକେ ଗରିବ ଶ୍ରେଣୀର ଅଟନ୍ତି । ଏଇ ଦୁଇ ପଞ୍ଚାୟତବାସୀ ଖମନଖୋଲ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଯଦି ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ପଡେ ତେବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ, ତେବେ ରୋଗୀଙ୍କୁ ବାଲିଗୁଡା କିମ୍ବା ବାରଖମା ଆସିବାକୁ ହେଲେ ଦୀର୍ଘ ସମୟ ଧରି ବସ୍‌କୁ ଅପେକ୍ଷା କରିବା ପାଇଁ ପଡିଥାଏ । ଗ୍ରାମବାସୀ ଅଧିକ ଟଙ୍କା ଦେଇ ଗାଡି ଭଡା କରି ଆସିବାକୁ ସକ୍ଷମ ନୁହଁନ୍ତି । ତେଣୁ ତୁରନ୍ତ ଏହି ଚିକିତ୍ସାଳୟକୁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେଲେ ଦୁଇ ଗ୍ରାମବାସୀର ଶତାଧିକ ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଚିକିତ୍ସାଳୟରେ ଡାକ୍ତର ବାସଭବନ ଗୁଡିକ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି । ଚିକିତ୍ସାଳୟ ପରିସରରେ ଏଏନ୍‌ଏମ୍‌ଙ୍କ ବାସଭବନ ଦୀର୍ଘ ୮ ବର୍ଷ ଧରି ନିର୍ମାଣ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନି । ଏ ସମ୍ପର୍କରେ ଅଂଚଳବାସୀ ବାରମ୍ବାର ବିଡିଓ, ଉପଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନହିଁ । ତେଣୁ ତୁରନ୍ତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.