ବ୍ଲକ୍‌ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ : ପ୍ରସ୍ତାବିତ କୃଷି ବିଶ୍ୱ ବିଦ୍ୟାଳୟ ଦେଓଗାଁରେ ସ୍ଥାପନ ଦାବୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ଶନିବାର ଅପରାହ୍ନରେ ଦେଓଗାଁ ଡ଼ାକ ବଙ୍ଗଳାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ସ୍ତରୀୟ ବିଜେଡ଼ି ନେତାମାନେ ପ୍ରକାଶ କରିଛନ୍ତି ଯେ, କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ବିଧାନସଭାରେ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ, ଗୁଡ଼ଭେଲା ଏବଂ ସଇଁନ୍ତଲା ବ୍ଲକ ଅଞ୍ଚଳର ଚାଷୀମାନେ ସ୍ୱାଗତ ଜଣାଇବା ସହ ପ୍ରସ୍ଥାବିତ କୃଷି ବିଶ୍ୱ ବିଦ୍ୟାଳୟ ଦେଓଗାଁ ନିକଟସ୍ଥ ମେଷ ପାଳନ କେନ୍ଦ୍ରରେ ଖୋଳାଯାଉ ବୋଲି ଦୃଢ଼ଦାବୀ ଜଣାଇଛନ୍ତି । ସୁଚନା ଯୋଗ୍ୟ ଯେ, ଦେଓଗାଁ ମେଷ ପାଳନ କେନ୍ଦ୍ରରେ କୃଷି ବିଶ୍ୱ ବିଦ୍ୟାଳୟ ପାଇଁ ଆବଶ୍ୟକ ପଡ଼ୁଥିବା ଅନେକ ଭିତ୍ତିଭୂମି ରହିଛି । ତାହା ସହ ଦେଓଗାଁ ଡାକ ବଙ୍ଗଳା ନିକଟରେ କୃଷି ମନ୍ତ୍ରଣାଳୟର ଅଧିନରେ ଥିବା ପଶୁ ସମ୍ପଦ ବିଭାଗ ନାଁରେ ଅଛି ୧୩୮ ଏକର ଜମି । ୧୯୭୨ ମସିହାରେ ସ୍ଥାପନ ହୋଇଥିବା ଏହି ମେଷ ପ୍ରଜନନ କେନ୍ଦ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ଅଛି । ଦେଓଗାଁ ମେଷ ପ୍ରଜନନ କେନ୍ଦ୍ରରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଲେ ସୋନପୁର, କଲାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ନୁଆଁପଡ଼ା, ନବରଙ୍ଗପୁର, କୋରାପୁଟ ଅଞ୍ଚଳର ଚାଷୀ ଓ ଯୁବକମାନେ ଉପକୃତ ହେବେ ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମଣ ମେହେର କହିଛନ୍ତି । ତାହାସହ ଆହୁରୀ କହିଛନ୍ତି ଯେ, ଏହି ମେଷ ପାଳନ କେନ୍ଦ୍ର ଦେଇ ବରଗଡ଼- ବୋରିଗୁମ୍ମା ଜାତୀୟ ରାଜପଥ ଗମନା ଗମନ ସୁବିଧା ରହିବା ସହ ଏହାର ପ୍ରାୟ ୩ କିଲୋମିଟର ଦୂରରେ ଦେଓଗାଁ ରେଲଷ୍ଟେସନ ଓ ୫କିଲୋମିଟର ଦୁରରେ ତୁଷୁରା ଉଡ଼ାଜାହାଜ ପଡ଼ିଆ ରହିଛି । ପାନୀୟ ଜଳ ପାଇଁ ନିକଟରେ ସୋନଗଡ଼ ନଦୀ ରହିଛି । ଉଚ୍ଚଶିକ୍ଷା ପାଇଁ ଦେଓଗାଁରେ କଳା, ବିଜ୍ଞାନ ଓ ବାଣିଜ୍ୟର ଡ଼ିଗ୍ରୀ କଲେଜ ମଧ୍ୟ ରହିଛି । ଚିକିତ୍ସା ନିମନ୍ତେ ଦେଓଗାଁରେ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଓ ଏମ୍‌ବିବିଏସ୍‌ ଛାତ୍ର, ଛାତ୍ରୀମାନଙ୍କ ପାଇଁ ଗ୍ରାମାଞ୍ଚଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି । ନିକଟରେ ଥିବା ଦେଓଗାଁ, ତୁଷରା, ସଇଁନ୍ତଳା, ଅର୍ଡା ଓ କନ୍ଧକେଳଗାଁରେ ବାଣିଜ୍ୟ ବ୍ୟବସାୟ ତଥା ସାପ୍ତାହିକ ବଜାରର ସୁବିଧା ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ଦେଓଗାଁରେ ପୋଲିସ ଥାନା ରହିଛି । ଗତ ୩ ବର୍ଷ ତଲେ ଏଠାରେ ଚାଷୀମାନଙ୍କର ସୁବିଧା ପାଇଁ ଏକ ବୃହତ ଡ଼ାଏରି ଫାର୍ମ ନିର୍ମାଣ ପାଇଁ ତତ୍‌କାଳୀନ ପଶୁ ସମ୍ପଦ ବିଭାଗର ସଚିବ ବିଷ୍ଣୁପଦ ସେଠୀ କୃଷି ବିଭାଗର ଅନ୍ୟାନ୍ୟ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଏଠାରେ ରହିଛି ଓ ଏହାର ଉନ୍ନତି କରାଯିବାର ପଦକ୍ଷେପ ନିଆଯିବ ବୋଲି ପରିଦର୍ଶନ ସମୟରେ କହିଥିଲେ । ପ୍ରକାଶ ଥାଉକି ଏଠାରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଲେ କେହି ବିସ୍ଥାପିତ ହେବେ ନାହିଁ କି ଜାଗା ମଧ୍ୟ ଖୋଜିବାକୁ ପଡ଼ିବ ନାହିଁ । ଦେଓଗାଁ ମେଷ ପାଳନ କେନ୍ଦ୍ରରେ ପ୍ରସ୍ଥାବିତ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ବ୍ଲକ ବିଜେଡ଼ି ପକ୍ଷରୁ ଦାବୀ ହେଉଛି । ଚଳିତ ମାସ ଶେଷ ସପ୍ତାହରେ ଦଳମତ ନିର୍ବିଶେଷରେ ବଲାଙ୍ଗୀର ଜିଳ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ଭୂବନେଶ୍ୱର ରାଜ୍ୟ କୃଷିମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଏହି ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦେଓଗାଁ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ରୀନା ମେହେର, ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡ଼ି ସଭାପତି ସୁଶୀଲ ଚାନ୍ଦ, ଯୁବ ବିଜେଡ଼ି ସଭାପତି ଶୈଲେନ୍ଦ୍ର ସାହୁ, ହୃଦାନନ୍ଦ ଗଡ଼ତ୍ୟା ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.