ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାଶିବରାତ୍ରି ପାଇଁ କୋଭିଡ୍ ଗାଇଡ଼ ଲାଇନ୍ ଜାରି କରାଯାଇଛି । ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ମହାଶିବରାତ୍ରି ଉପଲକ୍ଷେ ମାର୍ଚ୍ଚ ୧୧ ଓ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ହରିଶଙ୍କର ମନ୍ଦିର ଓ ଆଖପାଖ ଅଂଚଳ, ଟିଟିଲାଗଡ଼ ପୌରାଂଚଳ ଅନ୍ତର୍ଗତ ଶିବ ମନ୍ଦିର, ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଶିବ ମନ୍ଦିର ଏବଂ ବଲାଙ୍ଗିର ବ୍ଲକ ଅନ୍ତର୍ଗତ କଅଗାଁ ଶିବ ମନ୍ଦିର ଓ ଜିଲ୍ଲାରେ ଥିବା ଅନ୍ୟାନ୍ୟ ଶିବ ମନ୍ଦିର ଗୁଡ଼ିକରେ ଗହଳି କିମ୍ବା ଜନସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ମନ୍ଦିର ପରିସର କିମ୍ବା ମନ୍ଦିର ବାହାରେ ଜନସମାଗମକୁ ବାରଣ କରାଯାଇଛି । ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଯଥା ରୀତିନୀତି ଅନୁସାରେ ମନ୍ଦିର ସେବାୟତମାନେ ମନ୍ଦିର ପରିସରରେ ମହାଶିବରାତ୍ରି ପୂଜା ସଂପନ୍ନ କରିବେ । ଜିଲ୍ଲାର ଧାର୍ମିକ ସ୍ଥଳୀ, ଅନୁଷ୍ଠାନ କିମ୍ବା ସର୍ବସାଧାରଣ ସ୍ଥାନ ଗୁଡ଼ିକରେ କୋଭିଡ଼-୧୯ ସତର୍କତା ପ୍ରଟୋକଲ ଯଥା ବାଧ୍ୟତାମୂଳକ ମାସ୍କ ପରିଧାନ, ସାମାଜିକ ଦୂରତା ପାଳନକୁ ତଦାରଖ କରିବାକୁ ଉପଜିଲ୍ଲାପଳ, ବିଡ଼ିଓ, ପୌରପରିଷଦ ଓ ଏନ୍ଏସିର ନିର୍ବାହୀ ଅଧିକାରୀ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗହଳି ନକରିବା ତଥା ଗହଳି ସ୍ଥାନକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି । ଏତଦ୍ବ୍ୟତୀତ କରୋନା ଲକ୍ଷଣ ଅନୁଭବ କଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ଼ ପରୀକ୍ଷା କରାଇବାକୁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି । ହୋଟେଲ, ରେସ୍ତୋରାଁ, ଢାବା ତଥା ଅନ୍ୟାନ୍ୟ ଖାଦ୍ୟ ବିକ୍ରୟ ହେଉଥିବା ସ୍ଥାନ ଗୁଡ଼ିକରେ ସାମାଜିକ ଦୂରତା ପାଳନ ସହ ଅନ୍ୟାନ୍ୟ କୋଭିଡ଼-୧୯ ସତର୍କତା ପାଳନ, ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ କୋଭିଡ଼-୧୯ ଗାଇଡ଼ ଲାଇନ୍ ଏବଂ କୋଭିଡ଼ ସତର୍କତା ପ୍ରଟୋକଲ ପାଳନ କରିବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚୀତ କରାଯାଇଛି । ଏହାର ଖିଲାଫ୍ କଲେ ସଂପୃକ୍ତ ବ୍ୟକ୍ତି, ଅନୁଷ୍ଠାନ, ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।