କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଘାତକ ମାସ ଥିଲା ମେ ମାସ । ତେବେ ବର୍ତ୍ତମାନ ପରିସ୍ଥିତିରେ କନ୍ଧମାଳ ଜିଲାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଏବେ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି । ଜିଲାରେ ଦୈନିକ ସଂକ୍ରମଣ ତିନି ଅଙ୍କରୁ ଖସି ଦୁଇ ଅଙ୍କରେ ସୀମିତ ରହିଛି । ତେବେ ଜିଲାର କରୋନାଗ୍ରାଫକୁ ଅନୁଧ୍ୟାନ କଲେ ଗତ ମେ ମାସ ସର୍ବାଧିକ ସଂକ୍ରମଣର ମାସ ଥିବା ଜଣାପଡିଛି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଏକ ସୂଚନା ପ୍ରକାରେ, ଗତ ଏପ୍ରିଲ ମାସରେ ଦୈନିକ ସଂକ୍ରମଣ ହାର ୨୦ ଥିବା ବେଳେ ମେ ମାସରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇ ୮୭ରେ ପହଞ୍ଚିଥିଲା । କେବଳ ଗତ ମେ ମାସରେ ଜିଲାରେ ସମୂଦାୟ ୨୬୯୫ ଜଣ କୋଭିଡ କବଳରେ ପଡିଛନ୍ତି, ଯାହାକି ଆଜି ପର୍ୟ୍ୟନ୍ତ ସମୁଦାୟ ସଂକ୍ରମଣର ଶତକଡା ୨୮ ଭାଗ। ମେ’ ମାସ ୨୫ ତାରିଖରେ ସଂକ୍ରମଣ ଶୀର୍ଷ ଛୁଇଁଥିଲା । ଏହି ଦିନ ଜିଲାରେ ସର୍ବାଧିକ ୧୪୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଯାହାକି ଚଳିତ ଲହରର ଆଜି ପର୍ୟ୍ୟନ୍ତ ସର୍ବାଧିକ ଦୈନିକ ସଂକ୍ରମଣ ବୋଲି ରେକର୍ଡ କରାଯାଇଛି । ତେବେ ପ୍ରଥମ ଲହରର ଶୀର୍ଷ ସଂକ୍ରମଣଠାରୁ ଏହା କମି ଥିବା ଜଣାପଡିଛି । ୨୦୨୦ ଅଗଷ୍ଟ ୧୩ ତାରିଖରେ ଜିଲାରେ ନୁଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ ରହିଥିଲା, ଯାହାକି ଆଜି ପର୍ୟ୍ୟନ୍ତ ଜିଲାର ସର୍ବାଧିକ ଦୈନିକ ସଂକ୍ରମଣ । ସୂଚନା ଅନୁସାରେ ମେ’ ମାସରେ କନ୍ଧମାଳ ଜିଲାର ଫୁଲବାଣୀ ପୌରାଂଚଳରୁ ୩୮୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଫୁଲବାଣୀ ଗ୍ରାମାଂଚଳରୁ ୧୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ବାଲିଗୁଡା ଏନଏସିର ୧୧୭ ଜଣ, ବାଲିଗୁଡା ବ୍ଲକ ଅଞ୍ଚଳର ୨୨୯ ଜଣ, ଦାରିଙ୍ଗବାଡିର ୨୫୦ ଜଣ, ଫିରିଙ୍ଗିଆର ୧୯୫, ଚକାପାଦର ୧୮୨, ଖଜୁରୀପଡାର ୧୭୮, କୋଟଗଡର ୧୭୪, କେ.ନୂଆ ଗାଁର ୧୬୭, ତୁମୁଡିବନ୍ଧର ୧୫୨, ଜି.ଉଦୟଗିରିର ୧୫୧, ଟିକାବାଲିର ୧୪୪ ଓ ରାଇକିଆ ବ୍ଲକରୁ ୧୪୦ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି । ଜିଲା ବାହାରୁ ବିଭିନ୍ନ ସ୍ଥାନରୁ ୫୩ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି । ତେବେ ଚଳିତମାସରେ କମି କମି ଯାଉଥିଲେ ମଧ୍ୟ ପୂର୍ବପରି ସଚେତନତା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ଅଧିକ ଗୁରୂତ୍ୱ ଦିଆଯିବା ସହିତ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ବିିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରକାଶ କରାଯାଇଛି ।