ପୁଷ୍ ପୁନି ଦିନ ଛେର୍ ଛେର୍ ଛେର୍ ଛେରା’ ଧ୍ବନିରେ ଫାଟି ପଡ଼ିଲା ଗାଁ ଦାଣ୍ଡ : ଗ୍ରାମାଞ୍ଚଳରେ ଛୁଆଠୁ ବୁଢ଼ା, ସଭିଏଁ ବୁଲିଲେ ଘରକୁ ଘର

ଦେଓଗାଁ, (ମନୀଷ କୁମାର ସାହୁ) : ଛେର୍ ଛେର୍ ଛେର୍ ଛେରା, ଇ’ ଘରର୍ ବୁଢ଼ୀ କାହିଁଗଲା, କୁଁଡ଼ା ଖାଇ ଖାଇ ଛେରେଇ ହେଲା…… ଦିଅ ଗୋ’ ମା ଛେର୍ ଛେରା… ବୋଲି ଫାଟିପଡେ ପୁଷପୁନି ଦିନ ଗାଁ ଦାଣ୍ଡ । ସକାଳ ପାହିଲା ମାତ୍ରେ ହାତରେ ବ୍ୟାଗ ଗୋଟେ ଧରି ଛୁଆଠୁ ବୁଢା ପର୍ଯ୍ୟନ୍ତ ଘର ଘର ବୁଲି ଛେର୍ ଛେରା (ଚାଉଳ) ମାଗିଥାନ୍ତି । ଏହି ପର୍ବକୁ ଚାଷୀ ପରିବାର ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଆଜିର ଏହି ଆଧୁନିକ ଯୁଗରେ କଳୁଷିତ ହୋଇଛି ଏହି ପୁଷ୍ ପୁନି ପରମ୍ପରା । କେବଳ ବିଧି ରକ୍ଷା ପାଇଁ ଗାଁ ଗାଁ’ରେ ପାଳିତ ହେଉଛି ପୁଷ୍ ପୁନି।

ଦେଓଗାଁ ବ୍ଲକର ବିଭିନ୍ନ ଗାଁ’ରେ ପୁଷପୁନି ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡା, ପିଠା କରି ପାଖ ପଡ଼ୋସୀଙ୍କୁ ବାଣ୍ଟିଥାନ୍ତି ଲୋକମାନେ । ଦେଓଗାଁ, ଜରାସିଂହା, ସାଲେପାଲି, ଗୌଡ଼ଗୋଠ, ବନ୍ଧପଡ଼ା, ଉପରଝର ସହ ଅନେକ ଅଞ୍ଚଳରେ ଗୁରୁବାର ସକାଳେ ଛୋଟ ଛୋଟ ଶିଶୁମାନେ ଘର ଘର ବୁଲି ଛେର୍ ଛେରା ମାଗୁଥିବା ଦେଖାଯାଇଛି । ଏଥିସହ ଅପରାହ୍ଣରେ କୁଲିଆବାହାଲରେ ହୋଇଥିବା ରାମ ମନ୍ଦିରରେ ପୁଷ୍ପାଭିଷେକ କରାଯାଇଥିଲା ।

ଚାଷୀ ଚାଷ ଆରମ୍ଭରେ ନୂଆଁଖାଇ ପାଳନ କରୁଥିବା ବେଳେ ଚାଷ ଅମଳ ସରିଲେ ପୌଷ ପୂର୍ଣ୍ଣମୀ ଦିନ ପୁଷ୍ ପୁନି ପାଳନ କରିଥାଏ । ଏପରିକି ଦେଓଗାଁ ବ୍ଲକର ଅନେକ ଗାଁରେ ଗୋଟିଏ ଦିନ ରାମଚନ୍ଦ୍ର ପ୍ରଭୁଙ୍କ ପୁଷ୍ପାଭିଷେକ ରଥଯାତ୍ରା ଆୟୋଜନ କରିଥାନ୍ତି ଗାଁଲୋକମାନେ ।

Leave A Reply

Your email address will not be published.