centurian jitm

କାହା ସ୍ୱାର୍ଥରେ ହରିଶଙ୍କର ଚତୁର୍ଦ୍ଦଶୀ ମେଳା

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥପୀଠ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ ତହସିଲ୍‌ଦାର୍‌ ଆଦିତ୍ୟ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ଦେବୋତ୍ତର କମିଟି ସଦସ୍ୟ ଇନ୍ଦୁଭୂଷଣ ଠାକୁର, ରାଣା ପଧାନ, ବିପ୍ର ବିଶି, ସୁଶୀଲ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରା ସମୟରେ ସୁଦୂର ଛତିଶଗଡ ରାଜ୍ୟଠୁ ଆରମ୍ଭ କରି ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ନିମିତ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ତ୍ରୁଟି ରହିଥିବା ପରିଲିକ୍ଷିତ ହୋଇଛି । ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହୋତ୍ସବ କମିଟି ପକ୍ଷରୁ ସେମିତି କିଛି ଆଖି ଦୃଷ୍ଟିଆ ବ୍ୟବସ୍ଥା କରାଯାଇ ନଥିବା ସହିତ ରାସ୍ତାକଡରେ ଲାଗିଥିବା ବିଭିନ୍ନ ଫୁଡ୍‌ଷ୍ଟଲ୍ ଗୁଡ଼ିକର ମାଲିକମାନେ ମଧ୍ୟ ଗ୍ରାହକଙ୍କୁ ବାସି ଖାଦ୍ୟ ଦେଉଥିବା ସହିତ ନିଜ ସୁରକ୍ଷା ସହିତ ଗ୍ରାହକଙ୍କ ସୁରକ୍ଷାକୁ ମଧ୍ୟ ଅଣଦେଖା କରୁଛନ୍ତି । ଗୋଟିଏ ଦୁଇଟି ଷ୍ଟଲ୍‌କୁ ଛାଡ଼ିଦେଲେ ବାକି ଅନ୍ୟ ସମସ୍ତ ଦୋକାନରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ତା’ ସହିତ ନା ଅଛି ସେମାନଙ୍କ ପାଖରେ ଅଗ୍ନି ନିର୍ବାପକ ଯନ୍ତ୍ର ନା ଧୂଳିମଳିରୁ ଖାଦ୍ୟକୁ ସୁରକ୍ଷିତ ରଖିବାପାଇଁ କୌଣସି ବ୍ୟବସ୍ଥା । ତେବେ ସତରେ କ’ଣ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ପାଖରେ କୌଣସି ସୂଚନା ନାହିଁ ନା ସବୁ ଜାଣି ମଧ୍ୟ ଆଖି ବନ୍ଦ କରି ବସିଛି ଯୋଗାଣ ବିଭାଗ । ଦୋକାନୀ ମାନେ ଘରୋଇ ଗ୍ୟାସ୍ ବ୍ୟବହାର କରୁଥିବା ବେଳେ ଯଦି କୌଣସି ଦୁର୍ଘଟଣା ଘଟି ଗ୍ରାହକ ଅଥବା ଦର୍ଶକ ଏହାର ଶିକାର ହୁଅନ୍ତି, ତାହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପଡ଼ିଆ ମଧ୍ୟରେ ରଖା ଯାଇଥିବା ଗୋଟିଏ ଦମକଳ ଗାଡ଼ି କଣ ସୁରକ୍ଷା ଦେବାପାଇଁ ସକ୍ଷମ ହେବ କି, ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ । କଟକ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଦିନ ଦୋକାନୀ ମାନଙ୍କ ଖାଦ୍ୟ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା ହେଲେ, ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ହରିଶଙ୍କର ଠାରେ ହେଉଥିବା ଚତୁର୍ଦ୍ଦଶୀ ମେଳାରେ ଯୋଗାଣ ବିଭାଗର ଜଣେ ହେଲେ ବି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ । ଦୋକାନୀ ମାନେ ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବା ବେଳେ ଏବେ ଗ୍ରାହକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାରାନ୍ତରେ ମହୋତ୍ସବ କମିଟି ଏଥିରେ ସାମିଲ ନାହିଁ ତ, ତାହା ମଧ୍ୟ ଏବେ ସନ୍ଦେହ ଘେରରେ । ତେବେ ଏ ସମ୍ପର୍କରେ ରାସ୍ତାକଡରେ ଥିବା କିଛି ଦୋକାନୀଙ୍କୁ ପଚାରିବାରୁ, ଆମେ ଦୋକାନ ଖୋଲିବା ପାଇଁ ଜାଗା ବାବଦକୁ ମହୋତ୍ସବ କମିଟିକୁ ଟଙ୍କା ପ୍ରଦାନ କରିଛୁ, ତେବେ ତାହା କେମିତି ଭରଣା କରିବୁ । ମହୋତ୍ସବ କମିଟିର ଏପରି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖା ଦେଇଛି । ଅପରପକ୍ଷେ ଆୟୋଜିତ ହୋଇଥିବା ଚତୁର୍ଦ୍ଦଶୀ ଯାତ୍ରାରେ ଅବ୍ୟବସ୍ଥା ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପେକ୍ଷା କରାଯାଉଥିବା ବିଷୟ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଥିବା ଜଣାପଡିଛି । ତେବେ ଆତ୍ମବିଭୋର ଦେବୋତ୍ତର ବିଭାଗ ପ୍ରଶାସକଙ୍କୁ ଚତୁର୍ଦ୍ଦଶୀ ଯାତ୍ରାର ଅବ୍ୟବସ୍ଥିତ ବ୍ୟବସ୍ଥା ପ୍ରତି ତିଳେ ହେଲେ ମଧ୍ୟ ଚିନ୍ତା ନ ଥିବା ବିଷୟ ଦାଣ୍ଡରେ ପଡି ହାଟରେ ଗଡିଲା ଭଳି ହୋଇଥିବା କୁହାଯାଉଛି । ପ୍ରକାଶ ଥାଉକି, ଚତୁର୍ଦ୍ଦଶୀ ଯାତ୍ରା ବ୍ୟୟ ବରାଦର ହିସାବ ପଚରା ଯିବା ଭୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରସ୍ତୁତି ବୈଠକ ଠାରୁ ଆରମ୍ଭ କରି ସମାପନ ପର୍ଯ୍ୟନ୍ତ ଏଥିରେ ସାମିଲ କରାଯାଇନଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏହି ମହୋତ୍ସବକୁ ସମ୍ମାନ ତଥା ସମର୍ଥନ କରି ଖବର ପ୍ରକାଶନ ମାଧ୍ୟମରେ ନିଜର ନୈତିକ ଦାୟିତ୍ୱ ଜାରି ରଖିଥିଲେ ସୁଦ୍ଧା ଭଡାରେ ଆମନ୍ତ୍ରିତ ପ୍ରତିନିଧି ମାନଙ୍କ ଦ୍ୱାରା ଦେବୋତ୍ତର ବିଭାଗ ନିଜର ମହିମା ବଣ୍ଡନ କରିବାକୁ ମଧ୍ୟ ପଛଘୁଞ୍ଚା ଦେବ ନାହିଁ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ପୂର୍ବରୁ ପ୍ରତ୍ୟେକ ବର୍ଷ ମନ୍ଦିରର ଅନ୍ନଭୋଗ, ନଡ଼ିଆ ଭୋଗ, ଚେକ୍‌ଗେଟ୍‌ ସହିତ ବିଭିନ୍ନ ଟିକସ୍‌ ଆଦି ଟେଣ୍ଡର ହେଉଥିବା ବେଳେ ଏବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚତୁର୍ଥ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦ ମେରେ ହୋଇଥିବାରୁ ନିର୍ବାଚନ ଆଳ ଦେଖାଇ ଟେଣ୍ଡର୍‌ ଖୋଲା ନଯାଇ ପୁରୁଣା ଲୋକଙ୍କୁ ଦିଆଯାଇଛି । ମନ୍ଦିର ପରିସରରେ ବିଶୁଦ୍ଧ ପାନୀୟ ଜଳ ପିଇବାର ସୁବିଧା ନଥିବାରୁ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ସତ୍ୟସାଇ ସେବା ସଂଗଠନ, ସ୍ୱାଭିମାନ ପରିବାର, ବିଶ୍ୱାସେଦଳ ସମାଜ ସମେତ ବିଭିନ୍ନ ସଂଗଠନ ସହଯୋଗରେ ଜଳଛତ୍ର, ଦହିପାଣି ଖୋଳାଯାଇ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ଭୁଲିଆ ସମାଜ, ଯୁବ କୁଲତା ସମାଜ, ରଣା ସମାଜ ପକ୍ଷରୁ ମାଗଣା ଅନ୍ନଛତ୍ର ଖୋଲାଯାଇଥିବାରୁ ବହୁ ଶ୍ରଦ୍ଧାଳୁ ଭୋଜନ କରି ପାରୁଥିଲେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.