ଲଘୁଚାପଜନିତ ବର୍ଷାରେ ଫସଲ ଛାର୍‌ଖାର୍‌ : ହତୋତ୍ସାହ ହୋଇ ଜୀବନ ହାରିଦେଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଲଘୁଚାପ ଜନିତ ବର୍ଷାରେ ଫସଲ ଛାର୍‌ଖାର୍‌ ହୋଇଯାଇଥିବା ଯୋଗୁଁ ହତୋତ୍ସାହ ହୋଇ ଜୀବନ ହାରି ଦେଇଛନ୍ତି ଜଣେ ଚାଷୀ ବୋଲି ଅଭିଯୋଗ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ବିନେକେଲା ଗାଁର ଚାଷୀ ଚମରୁ ବାଗ (୪୭) ଚାଷରେ ଅସମ୍ଭାଳ କ୍ଷତି ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଲଘୁଚାପ ବର୍ଷା ବଲାଙ୍ଗିର ଜିଲ୍ଲାରେ ଫସଲ ନଷ୍ଟ କରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏଭଳି ଅବସ୍ଥାରେ ଚାଷୀ ଚମରୁ ଗତକାଲି ଦିନ ୨ଟା ସମୟରେ ବିଷ ଖାଇଦେଇଥିବା ସୂଚନାରେ ଦର୍ଶାଯାଇଛି । ଗତ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚମରୁଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଶବ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ଅନ୍ୟପକ୍ଷରେ ମୃତ ଚମରୁଙ୍କ ଦୁଇ ପୁଅ ଗୁଜରାଟକୁ ଦାଦନ ଖଟିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.