ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଜୟପୁରଠାରେ ହେବାକୁ ଯାଉଛି ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍ । ଓଡ଼ିଶା ଜିମ୍ନାଷ୍ଟିକ ସଂଘ ପକ୍ଷରୁ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳ ଭାଗ ନେଉଛି । ନୂତନ ଭାବେ ଗଠିତ ସୁନ୍ଦରଗଡ଼ ଜିଲ୍ଲା ଜିମ୍ନାଷ୍ଟିକ ସଂଘ ସହଯୋଗରେ ତଥା ରାଉରକେଲାରେ ଥିବା ଜିମ୍ନାଷ୍ଟିକ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଏହି ପ୍ରତିଯୋଗିତାରେ ୪ଜଣ ପ୍ରତିଯୋଗୀଙ୍କ ସମେତ ଜଣେ ପରିଚାଳକ ଓ ଜଣେ ପ୍ରଶିକ୍ଷିକ ଯୋଗଦେବେ । ସୁନ୍ଦରଗଡ଼ ଜିଲ୍ଲା ଜିମ୍ନାଷ୍ଟିକ ସଂଘର ସଭାପତି ଗୋଲକ ବିହାରୀ ମଙ୍ଗରାଜ ଏହି ଦଳକୁ ଶୁଭେଚ୍ଛା ଜଣାଇବା ପରେ ଦଳର ଖେଳାଳିମାନେ ଟ୍ରେନଯୋଗେ ରାଉରକେଲାରୁ ଯାତ୍ରା କରିଛନ୍ତି । ଦଳର ପ୍ରଶିକ୍ଷକ ଲେଖାରାଣୀଙ୍କ ନେତୃତ୍ୱରେ ଆଦିତି ପଣ୍ଡା, ଶ୍ରଦ୍ଧା ସୁମନ ସାହୁ, ଆର୍ଯ୍ୟାଂଶ ପରିଡ଼ା ଏବଂ ସଙ୍ଗୀତା ହାଲ୍ଦାର ଏବଂ ପରିଚାଳିକା ଭାବେ ମିରଭା ପରିଡା ରହିଛନ୍ତି । ଏହି ଅବସରରେ ଶ୍ରୀ ମଙ୍ଗରାଜ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାନନ୍ଦ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରଭାତ ଭୋଳଙ୍କୁ ଦଳ ପଠାଇବା ନିମନ୍ତେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ବରିଷ୍ଠ ପ୍ରଶିକ୍ଷକ ରମେଶ ଦାସ ଏବଂ ଅନ୍ୟତମ ପ୍ରଶିକ୍ଷକ ସାୟନ ଦାସ ରାଜ୍ୟ ଚମ୍ପିୟାନ୍ସିପ୍ରେ ଅଫିସିଆଲ ଭାବେ ଯୋଗଦେବାକୁ ଯାତ୍ରା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ପ୍ରାୟ ୧୦ ମାସ ପୂର୍ବେ ରାଉରକେଲା ସ୍ଥିତ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଜିମ୍ନାଷ୍ଟିକ ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ରମେଶ ଚନ୍ଦ୍ର ବେହେରା ଓ ଅନ୍ୟତମ ପ୍ରଶିକ୍ଷକ ସାୟନ ଦାସ ଏବଂ ଲେଖା ରାଣିଙ୍କ ଦ୍ୱାରା ୧୦୦ରୁ ଅଧିକ ବିଭିନ୍ନ ବୟଷର ବାଳକ ଓ ବାଳିକାମାନେ ପ୍ରଶିକ୍ଷଣ ନେଉଛନ୍ତି ।