କରୋନା ଆକ୍ରା‌ନ୍ତ ହୋଇ ଚାଲିଗଲେ ଟିଟିଲାଗଡ ବ୍ଲକର ମୁଖ୍ୟ କିରାଣୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ମହାମାରୀ କରୋନାରଦ୍ୱିତୀୟ ଲହର ଉଦ୍‌ବେଗ ଜନକ ସ୍ଥିତି ସୃଷ୍ଟି କରୁଛି । ତେବେ ଟିଟିଲାଗଡ ସହରର ହାଇସ୍କୁଲ ଖେଳ ପଡିଆ ସମ୍ମୁଖରେ ରହୁଥିବା ଜଗନ୍ନାଥ ଦାସ କରୋନା ଯୁଦ୍ଧରେ ହାରି ଯାଇଛନ୍ତି । ସ୍ବର୍ଗତ ଜଗନ୍ନାଥ ଦାସ ସହରର ଜଣେ ଉତ୍ତମ ମେଲାପୀ, ପରୋପକାରୀ, ସଂସ୍କୃତିପ୍ରେମୀ ତଥା କଳାପ୍ରେମୀ ଭାବେ ବେଶ୍ ପରିଚିତ ଥିଲେ । ସେ ଟିଟିଲାଗଡ ଉପଜିଲ୍ଲାପାଳ କାର୍ୟ୍ୟଳୟରେ ମୁଖ୍ୟ କିରାଣୀ ଭାବରେ ରହିଥିବା ବେଳେ ତହସିଲ କାର୍ୟ୍ୟଳୟରେ ମଧ୍ୟ ଏକଦା ମୁଖ୍ୟ କିରାଣୀ ଭାବରେ ରହି ବେଶ୍ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିଥିଲେ । କରୋନାରେ ଆକ୍ରାନ୍ତ ହେବା ସମୟରେ ସେ ଟିଟିଲାଗଡ ବ୍ଲକ କାର୍ୟ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ ରହିଥିଲେ। ଆଣ୍ଟିଜେନନ ଟେଷ୍ଟରେ କରୋନା ପଜିଟିଭ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍‌ ଆଇସୋଲେସନ୍ରେ କିଛି ଦିନ ଘରେ ରହିଥିଲେ । ଦୁଇ ଦିନ ବ୍ୟବଧାନ ପରେ ଆରପିଡିସି ରିପୋର୍ଟରେ ପଜିଟିଭ ଆସିବାରୁ ସେ ବଲାଙ୍ଗିର କୋବିଡ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । କରୋନା ଯୋଦ୍ଧା ଭାବରେ ଜଗନ୍ନାଥ ଦାସ ଟିଟିଲାଗଡ ଉପଜିଲ୍ଲାପାଳ କାର୍ୟ୍ୟାଳୟ , ତହସିଲ କାର୍ୟ୍ୟଳୟ ଏବଂ ବ୍ଲକ କାର୍ୟ୍ୟାଳୟରେ ବେଶ୍ ପରିଚିତ ଥିଲେ । ହେଲେ କରୋନା ସହ ସଂଗ୍ରାମରେ ସେ ହାରି ଯାଇଛନ୍ତି । ଟିଟିଲାଗଡ ସହରରେ ଲୋକଙ୍କୁ ଡିସ୍‌ କେବୁଲ ମାଧ୍ୟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସେ ଥିଲେ ମୁଖ୍ୟ ପୁରୋଧା। ନୀଳଚକ୍ର କେବୁଲ୍ ନେଟୱର୍କ ମାଧ୍ୟମରେ ସେ ପ୍ରଥମେ ଟିଟିଲାଗଡ ସହରରେ ଯୋଗାଇ ଦେଇଥିଲେ ଡିସ୍‌ କେବୁଲ । ପରେ ନୀଳଚକ୍ର ନୃତ୍ୟ ଏକାଡେମୀ ଖୋଲି କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ମଞ୍ଚ ଭେଟି ଦେଇଥିଲେ ସ୍ବର୍ଗତ ଜଗନ୍ନାଥ ଦାସ । ତାଙ୍କର ଆକସ୍ମିକ ମୃତ୍ୟୁରେ ଟିଟିଲାଗଡ ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.