ବରଗାଁରୁ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର ଘଟଣା, ୬ ବର୍ଷ ପରେ ମାମଲା ରିଓପନ୍‌, ସ୍କେଚ୍‌ ଜାରିକଲା ପୁଲିସ : ଲେମ୍ବୁ ସାହୁଙ୍କ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିବ କେବେ, ସାଧାରଣରେ ପ୍ରଶ୍ନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ ୨୦୧୫ ମସିହା ଜୁଲାଇ ୨ ତାରିଖରେ ଜଣେ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର କରିଥିଲା ସଇଁନ୍ତଲା ପୁଲିସ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ-୨୬ ବରଗାଁରୁ ଡ଼ଙ୍ଗରମୁଣ୍ଡା ଯିବା ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଜାଲି ଦେଇଥିଲେ ଦୁର୍ବୃତ । ପୁଲିସ ସେହି ଘଟଣାକୁ ନେଇ ତଦନ୍ତ କରିଥିଲେ ମଧ୍ୟ ନା’ ଯୁବତୀଙ୍କ ପରିଚୟ ପାଇ ପାରିଥିଲା ନା’ ଅଭିଯୁକ୍ତ କିଏ, ତାହା ଜାଣି ପାରିନଥିଲା ପୁଲିସ ! ତେବେ ଯୁବତୀଙ୍କ କେହି ଦାବୀଦାର ବି ବାହାରି ନଥିଲେ, ଯାହା ଫଳରେ ପୁଲିସକୁ ପରିଚୟ ପାଇବାରେ କଷ୍ଟକର ହୋଇ ପଡ଼ିଥିଲା ।ଶେଷରେ ପୁଲିସ ଏହି ଘଟଣାକୁ ନାଲିଫିତା ତଳେ ରଖି ଦେଇଥିଲେ । ତତ୍କାଳୀନ ବଲାଙ୍ଗିର ଏସ୍‌ପି ଡ.ଦୀପକ କୁମାର ଏବେ ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗଦେବା ପରେ ଏହି ମାମଲାକୁ ରିଓପନ କରିବାକୁ ବଲାଙ୍ଗିର ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦେବା ଉତାରୁ ପୁଣିଥରେ ୬ ବର୍ଷ ପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ଏନେଇ ପୁଲିସ ଯୁବତୀଙ୍କ ସ୍କେଚ ଜାରି କରିଛି । ଏହା ସହ ଯିଏ ଯୁବତୀଙ୍କୁ ଚିହ୍ନଟ କରିବ କିମ୍ବା ଏ ସମ୍ପର୍କରେ ଜାଣି ଥିବ, ଫୋନ ୦୬୬୫୨୨୩୨୧୦୦ରେ ଯୋଗାଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୫ ଜୁଲାଇ ୧ ତାରିଖ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ୨ ତାରିଖରେ ସକାଳୁ ଲୋକେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଘଟଣା ଘଟାଇ ଥିବା ଅପରାଧୀମାନେ ରାତି ୧୧ ଟା ୪୭ ମିନିଟ ସମୟରେ ମହଗାଁ ସ୍ଥିତ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ କିଣି ନେଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଏଭଳି ଏକ ଘଟଣାକୁ ନେଇ ସେହି ସମୟରେ ଉତେଜନା ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ପୁଲିସ ଅପରାଧୀ ମାନଙ୍କ ଟେର୍‌ ପାଇନଥିଲା । ଏହି କେସର ରେକର୍ଡ ଓ ଜବତ ସାମଗ୍ରୀ ସଇଁନ୍ତଲା ଥାନାରେ ରଖାଯାଇଥିଲା । ଏବେ ଅପରାଧୀଙ୍କୁ ଧରିବାକୁ ପୁଣିଥରେ ପୁଲିସ କସରତ ଆରମ୍ଭ କରିଛି । ତେବେ ଏଥିରେ ପୁଲିସ କେତେ ସଫଳତା ହାସଲ କରୁଛି ଓ କେବେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଉଛି, ତାହାକୁ ନେଇ ଲୋକଙ୍କ ଅପେକ୍ଷା ମଧ୍ୟ ରହିଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଥାନା ଅଞ୍ଚଳରେ ଆଉ କିଛି ମାମଲାର ତଦନ୍ତ ଏମିତି ଅଧାରେ ଅଟକିଛି ଓ ଅପରାଧୀ ମଧ୍ୟ ଆରାମରେ ଅଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ସଇଁନ୍ତଲା ଥାନା ନୂଆପଡା ଗ୍ରାମର ଲେମ୍ବୁ ସାହୁ ୨୦୨୦ ମସିହା ଜାନୁଆରୀ ୩୧ ତାରିଖରେ ଘୁନସର ଗ୍ରାମକୁ କୃଷି ବୀମା କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଫେବୃଆରୀ ୧ ତାରିଖ ଦିନ ଘୁନସର ଗ୍ରାମ ନିକଟରେ ଥିବା ଯୁକ୍ତ୩ କଲେକ ଛକ ଦେଉଳି ନର୍ସରୀ ମଧ୍ୟରୁ ଲେମ୍ବୁଙ୍କ ପେସନପ୍ରୋ ବାଇକ (ନଂ ଓଡ଼ି ୦୩ କେ ୧୯୦୨) ରକ୍ତ ଛିଟା ଲାଗିଥିବା ଅବସ୍ଥାରେ ମିଳିଥିଲା । ୨ ଫେବୃଆରୀ ଦିନ ପ୍ରାୟ ୧୧ଟା ସମୟରେ ଘୁନସର ଯୁକ୍ତ୨ କଲେଜ ନିକଟରେ ଥିବା ଏକ ଜମିରୁ ଲେମ୍ବୁ ସାହୁଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା । ହେଲେ କିଛି ଜଣ ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିବା ପରେ ଛାଡି ଦେଇଥିଲା । ସେହି ମାମଲାର ହତ୍ୟାକାରୀଙ୍କୁ ପୁଲିସ ଏପର୍ୟ୍ୟନ୍ତ ଗିରଫ କରିପାରିନାହିଁ ।ସେହିପରି ଗତ ଫେବୃଆରୀ ମାସରେ ସ୍ଥାନୀୟ ଥାନା ବିବିନା ଗ୍ରାମର ସଂଜୟ ମୁନାଙ୍କ ଜମିରେ ଥିବା ପାଳଗଦାକୁ କେହି ଦୁର୍ବୃତ ପୋଡି ଦେଇଥିବା ଜଣାପଡିଥିଲା । ଖବର ପାଇ ପୁଲିସ ପହଞ୍ଚିବା ପରେ ପୋଡା ପାଳଗଦାରୁ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା । ପାଳଗଦାରୁ ପୁଲିସ ଚୁଡି ଓ ପାଉଁଜି ମଧ୍ୟ ଜବତ କରିଥିଲା । ସେହି ମାମଲାର ଆଦି ଅନ୍ତ ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡି ନାହିଁ । ଏଭଳି ଘଟଣା ସଇଁନ୍ତଲା ଥାନାରେ ବଢି ଚାଲିଥିବା ବେଳେ ପୁଲିସ ଅଭିଯୁକ୍ତକୁ ମଧ୍ୟ ଗିରଫ କରି ପାରିନାହିଁ ।ତେବେ ପୁଲିସ କେତେ ସଫଳତା ହାସଲ କରୁଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.