jayashree

ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି : ବିଚ ରାସ୍ତାରେ ହେଉଛି ଷଣ୍ଢ ଲଢେଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଥାନା ସମ୍ମୁଖରେ, ରେଳ ଓଭର ବ୍ରିଜ ଉପରେ, ପେଟ୍ରୋଲ ପମ୍ପ ଛକରେ, ମଙ୍ଗଳା ମନ୍ଦିରଠାରେ, ହାଇସ୍କୁଲ ଖେଳ ପଡିଆ ନିକଟରେ ଅନବରତ ବୁଲା ଗାଈଗୋରୁଙ୍କ ଦ୍ୱାରା ରାସ୍ତା ଅବରୋଧ ଦେଖିବାକୁ ମିଳୁଛି, ତା ସାଙ୍ଗକୁ ଷଣ୍ଢ ଲଢେଇ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି ।

ଯେଭଳି ଭାବରେ ସହରର ମୁଖ୍ୟ ରାସ୍ତା ଉପରେ ରାସ୍ତାକୁ ଅବରୋଧ କରି ଷଣ୍ଢ ଲଢେଇ ହେଉଛି, ସେହି ସମୟରେ ଯାଉଥିବା ଲୋକଙ୍କ ଅବସ୍ଥା କହିଲେ ନସରେ । କେତେ ବେଳେ କେଉଁ ଗାଡି ସହ ବାଡେଇ ହେବେ, ତାହାର ଠିକଣା ନାହିଁ, ଯିବା ଆସିବା କରୁଥିବା ଲୋକଙ୍କ ସହ ବାଡେଇ ହୋଇ ମଧ୍ୟ ବହୁତ କ୍ଷୟକ୍ଷତି ହେଉଛି । କିଛି ଦିନ ପୂର୍ବରୁ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା, ତାହା କିନ୍ତୁ ବୈଠକରେ ହିଁ ସୀମିତ ହୋଇ ରହିଗଲା । ଟିଟିଲାଗଡର ଜନସାଧାରଣ ଏବେ କାହାକୁ ଦୁଃଖ ଗୁହାରିବେ । ପୌର ପରିଷଦ ପକ୍ଷରୁ ମଧ୍ୟ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ନିଜର କାର୍ଯ୍ୟକୁ ସିମିତ ରଖି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଗାଈଗୋରୁ ମାଲିକଙ୍କ ଖାମଖିଆଲ ମନୋଭାବ ଯୋଗୁଁ କ୍ଷୀର କାଢି ବଜାରକୁ ଛାଡ଼ି ଦେବା ସାର ହେଉଥିବା ବେଳେ ଅନ୍ୟପଟେ ଗାଈ ଗୋରୁଙ୍କ ଉପରେ ଗାଡି ମାଡ଼ି ଯାଇ ଲହୁ ଲୁହାଣ ହୋଇ ରାସ୍ତା କଡ଼ରେ ପଡ଼ି ରହି ଜୀବନ ହାରୁଥିବା ଦେଖିବାକୁ ମିଳୁଛି । ସମାଜସେବୀ ତଥା ଗୋମାତା ପ୍ରେମୀଙ୍କ ଉଦ୍ୟମ ଯୋଗୁଁ କିଛି ଗାଈଗୋରୁ ଚିକିତ୍ସିତ ହୋଇ ପାରୁଛନ୍ତି । ଷଣ୍ଢ ଲଢେଇରେ କିଛି ଲୋକଙ୍କ ଗାଡ଼ି ଭଙ୍ଗରୁଜା ହେବା ମଧ୍ୟ ଅଭିଯୋଗ ହେଉଛି । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.