ଦଶହରା ପୂଜାରେ ପାରମ୍ପରିକ ବାଦ୍ୟ ପରିବେଷଣ ଉପରେ ବାରଣର ସରକାରୀ ନିର୍ଦ୍ଦେଶକୁ ନେଇ ସମ୍ବଲପୁର ବିଜେପି.ର ବିରୋଧ

ସମ୍ବଲପୁର, (ଦାମୋଦର ପ‌ଣ୍ଡା) : ଆରମ୍ଭ ହେଲା ପବିତ୍ର ଶାରଦୀୟ ନବରାତ୍ରୀ ପୂଜା । ସମସ୍ତ ଦେବୀ ମନ୍ଦିର ମାନଙ୍କରେ ନବରାତ୍ର ରେ ମା’ ପୂଜା ପାଇବେ ନଅଟି ରୂପରେ ଭିନ୍ନ ଭିନ୍ନ ଦିନ । ଆଶ୍ଵିନ ସପ୍ତମୀ ଠୁ ଆରମ୍ଭ ହେବ ବିଭିନ୍ନ ପୂଜା ମଣ୍ଡପରେ ଶକ୍ତି ପୂଜା । ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ଯୋଗୁଁ ଦଶହରା ପୂଜା ଓ ଉତ୍ସବର ଆକାର ପ୍ରକାରରେ ଦେଖାଦେବ ଅନେଜ ପରିବର୍ତ୍ତନ । ଓଡିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ପୂଜା ଓ ଉତ୍ସବ ପାଇଁ ଉଲ୍ଲେଖ କରାଯାଇଛି ବିଭିନ୍ନ ନିୟମାବଳୀ ଓ ସର୍ତ୍ତାବଳୀ । କରୋନା ସଂକ୍ରମଣକୁ ରୋକିବା ଓ ରୋଗର ଭୟାବହାତାକୁ ଆଖି ଆଗରେ ରଖି ସରକାରଙ୍କ ଦ୍ଵାରା ଜାରି କାରାଯାଇଥିବା ସର୍ତ୍ତାବଳୀକୁ ବିଭିନ୍ନ ମନ୍ଦିର କମିଟି ଓ ମଣ୍ଡପ ପୂଜା ଆୟୋଜକ ରାଜି ଥିଲେ ମଧ୍ୟ ଗୋଟିଏ ସର୍ତ୍ତ ଉପରେ ଦୁଃଖିତ ମର୍ମାହତ ଓ ଚିନ୍ତିତ ।

ଓଡିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶାନାମାରେ ଉଲ୍ଲେଖିତ ସର୍ତ୍ତାବଳୀରେ ମନ୍ଦିର ଓ ପୂଜା ମଣ୍ଡପ ଗୁଡିକରେ ସଙ୍ଗୀତ ଓ ମନୋରଞ୍ଜନ କାର୍ୟ୍ୟକ୍ରମ (ଗଙ୍କଗ୍ଦସମ ବଦ୍ଭୟ ଋଦ୍ଭଗ୍ଧରକ୍ସଗ୍ଧବସଦ୍ଭଜ୍ଞରଦ୍ଭଗ୍ଧ) ପାଇଁ ବାରଣ କରାଯାଇଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ପାରମ୍ପରିକ ବାଦ୍ୟ ପରିବେଷଣ ପାଇଁ ମଧ୍ୟ ବାରଣ କରାଯାଇଛି ବୋଲି ମତବ୍ୟକ୍ତ କରିଛନ୍ତି ଓ ଅନୁମତି ଦେବାକୁ ମନା କରୁଛନ୍ତି । ଏହାକୁ ନେଇ ବହୁ ମନ୍ଦିର କମିଟି ଓ ଆୟୋଜକ ବିରୋଧ ର ସ୍ୱର ଉତ୍ତୋଳନ କରିଛନ୍ତି । ଏଭଳି କିଛି ଅଭିଯୋଗ ପାଇଲା ପରେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରସାନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରଥିଲେ ଓ ସେମାନେ ମଧ୍ୟ ସେଇ ଅନୁରୂପ ମତ ପ୍ରଦାନ କରିଥିଲେ ।

ରାଜ୍ୟ ସରକାରଙ୍କ ଏଭଳି ସର୍ତ୍ତାବଳୀକୁ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଏହି ସର୍ତ୍ତକୁ ବିରୋଧ ମଧ୍ୟ କରିଛି । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରାଜ୍ୟ ବିଜେପି ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ବିଜେପି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଯୁଗ ଯୁଗ ଧରି ଦେବୀ ପୂଜାରେ ପୌରାଣିକ ଓ ପାରମ୍ପରିକ ବାଦ୍ୟ ପରିବେଷଣର ଏକ ଧାର୍ମିକ ମହତ୍ତ୍ୱ ରହିଛି । ଯେମିତି ହିନ୍ଦୁ ଧର୍ମର ସମସ୍ତ ପୂଜା ବିଧିରେ ପୌରାଣିକ ବାଦ୍ୟ ଘଣ୍ଟି, ଘଣ୍ଟ, ଶଙ୍ଖ, ଗିନୀ, ମୃଦଙ୍ଗ, ଝାଞ୍ଜ ଇତ୍ୟାଦିର ଉପଯୋଗ ରହିଛି ଓ ଏଗୁଡିକର ବିନା କୌଣସି ପୂଜାବିଧି ସମ୍ପନ୍ନ କରିବା ଅସମ୍ଭବ । ଠିକ ସେହିପରି ଢୋଲ, ନିଶାନ, ତାସା, ମହୁରୀ, ଝାଞ୍ଜ, ଘୁଙ୍ଗୁରୁ ଭଳି ଇତ୍ୟାଦି ପାରମ୍ପରିକ ବାଦ୍ୟ ଯନ୍ତ୍ରର ପରିବେଷଣ ବିନା ଦେବୀ ପୂଜାର ସମସ୍ତ ବିଧି ସମ୍ପୂର୍ଣ୍ଣ କରିବା ଅସମ୍ଭବ । ଦେବୀ ପୂଜାରେ ପାରମ୍ପରିକ ବାଦ୍ୟ ଯନ୍ତ ପରିବେଷଣ ଓ ବୈଦ୍ୟୁତିକ ଧ୍ୱନି ଯନ୍ତ୍ର ପରିବେଷଣର ପାର୍ଥକ୍ୟ ବିଷୟରେ ବୋଧେ ସରକାରୀ ଅଧିକାରୀଙ୍କର ସାମ୍ୟକ ଧାରଣା ନାହିଁ । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ମନ୍ଦିର ଓ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଓ ଅଯଥା ଜନଗହଳିକୁ ନିୟନ୍ତ୍ରଣ କରିବାର ଯଥାର୍ଥତା ରହିଛି । କିନ୍ତୁ ପାରମ୍ପରିକ ବାଦ୍ୟ ପରିବେଷଣ ସହିତ କରୋନା ଭୁତାଣୁ ସଂକ୍ରମଣର କି ସମ୍ପର୍କ ରହିଛି ବୁଝି ହେଉନାହିଁ । କୋଭିଡ ନିୟମ ନାଁରେ ସରକାରଙ୍କର ଏଭଳି ଧର୍ମବିରୋଧୀ ନିୟମାବଳୀର ନିର୍ଦ୍ଦେଶ ଦେବୀଙ୍କ ପୂଜା ବିଧିରେ ଏକ ବଡ଼ ବାଧକ ଓ ଧର୍ମ ବିରୋଧୀ । ତେଣୁ ରାଜ୍ୟ ସରକାର ଦେବୀ ପୂଜାରେ ଏହି ପାରମ୍ପରିକ ବାଦ୍ୟ ପରିବେଷଣର ବାରଣ ସର୍ତ୍ତକୁ ଖାରଜ କରି ରାଜ୍ୟର ସମସ୍ତ ମନ୍ଦିର ଓ ପୂଜା ମଣ୍ଡପରେ ଏହାର ପରିବେଷଣ ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଦାବୀ କରିଛନ୍ତି ।

Leave A Reply

Your email address will not be published.